ପ୍ରଥମ ପିତର2

1ଅତଏବ, ସବୁ ବିଦ୍ୱେଷଭାବ, ସବୁ ଛଳନା, ସବୁପ୍ରକାର କପଟତା, ପରଶ୍ରୀକାତରତା ଓ ପରନିନ୍ଦା ପରିହାର କର।2ନବଜାତ ଶିଶୁ ଯେପରି ଦୁଗ୍‌ଧ ପାଇଁ ଲାଳାୟିତ, ତୁମେ ସେହିପରି ଅମିଶ୍ରିତ ପାରମାର୍ଥୀକ ଦୁଗ୍‌ଧ ପାଇଁ ଲାଳାୟିତ ହୁଅ ତାହାହେଲେ ତୁମ୍ଭେମାନେ ତଦ୍ଦ୍ୱାରା ପରିତ୍ରାଣରେ ବୃଦ୍ଧି ଲାଭ କରିବ,3କାରଣ ପ୍ରଭୁ ଯେ ମଙ୍ଗଳମୟ ଏହା ତୁମେ ତ ଏବେ ଅନୁଭବ କରିଅଛ।

ଜୀବନ୍ତ ପ୍ରସ୍ତର

4ଯେ ଜୀବନ୍ତ ପ୍ରସ୍ତର ସ୍ଵରୂପ ଅଟନ୍ତି ତାହାଙ୍କ ନିକଟକୁ ଆସ, ସେ ମନୁଷ୍ୟମାନଙ୍କ ଦ୍ଵାରା ଅଗ୍ରାହ୍ୟ ହେଲେ କିନ୍ତୁ ଈଶ୍ୱରଙ୍କ ଦ୍ଵାରା ମନୋନୀତ ଓ ତାହାଙ୍କ ଦୃଷ୍ଟିରେ ଅମୂଲ୍ୟ ଅଟନ୍ତି।5ତୁମ୍ଭେମାନେ, ମଧ୍ୟ ଜୀବନ୍ତ ପ୍ରସ୍ତରଗୁଡ଼ିକ ସ୍ଵରୂପେ, ଏକ ପାରମାର୍ଥୀକ ଗୃହରେ ବ୍ୟବହୃତ ହେଉଅଛ ଓ ପବିତ୍ର ଯାଜକକୁଳ ଭାବରେ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଈଶ୍ୱରଙ୍କ ସୁଗ୍ରାହ୍ୟ ଆଧ୍ୟାତ୍ମିକ ବଳି ଉତ୍ସର୍ଗ କରୁଅଛ।6କାରଣ ଧର୍ମଶାସ୍ତ୍ରରେ ଲିଖିତ ଅଛି:“ଦେଖ, ମୁଁ ସିୟୋନରେ ଏକ ପ୍ରସ୍ତର,ଏକ ମନୋନୀତ ଏବଂ ମୂଲ୍ୟବାନ୍ କୋଣପ୍ରସ୍ତର ସ୍ଥାପନ କରୁଅଛି,ଯେ ତାହାଙ୍କଠାରେ ବିଶ୍ୱାସ କରେସେ କଦାପି ଲଜ୍ଜିତ ହେବ ନାହିଁ।”
7ବିଶ୍ୱାସ କରୁଥିବାରୁ ତୁମ୍ଭମାନଙ୍କ ପ୍ରତି ଏହି ପ୍ରସ୍ତର ଅମୂଲ୍ୟ ଅଟେ। କିନ୍ତୁ ଯେଉଁମାନେ ଅବିଶ୍ୱାସ କରନ୍ତି ସେମାନଙ୍କ ପ୍ରତି,“ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେତାହା ପ୍ରଧାନ କୋଣପ୍ରସ୍ତର ହେଲା।”
8ଆହୁରି ମଧ୍ୟ,“ସେ ଏପରି ଏକ ପ୍ରସ୍ତର ସ୍ଵରୂପ ହେବେ ଯାହା ମନୁଷ୍ୟମାନଙ୍କର ଝୁଣ୍ଟିବାର କାରଣ ହୁଏଏବଂ ସେ ଏପରି ଏକ ଶିଳା ସ୍ଵରୂପ ହେବେ ଯାହା ସେମାନଙ୍କ ପତନର କାରଣ ହୁଏ।”ସେମାନେ ଝୁଣ୍ଟି ପଡ଼ନ୍ତି କାରଣ ସେମାନେ ବାକ୍ୟର ଆଜ୍ଞାବହ ନୁହନ୍ତି, ଏହା ହିଁ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଅଛି।
9କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ଵାନ କଲେ, ତୁମ୍ଭେମାନେ ଯେପରି ସେହି ଈଶ୍ୱରଙ୍କର ମହିମାକୀର୍ତ୍ତନ କରିବ, ଏଥିପାଇଁ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକକୁଳ, ପବିତ୍ର ଜାତି ଓ ଈଶ୍ୱରଙ୍କ ସ୍ଵଜନ ହୋଇଅଛ।10ଏକଦା ତୁମ୍ଭେମାନେ ସ୍ଵଜନ ନ ଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ସ୍ଵଜନ ହୋଇଅଛ; ଏକଦା ତୁମ୍ଭେମାନେ ଦୟା ଲାଭକରି ନ ଥିଲ, କିନ୍ତୁ ଏବେ ଦୟା ଲାଭ କରିଅଛ।
11ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ଏ ଜଗତରେ ବିଦେଶୀ ଓ ପ୍ରବାସୀ ପରି ହୋଇଥିବାରୁ, ମୁଁ ଅନୁରୋଧ କରୁଅଛି, ତୁମ ଆତ୍ମା ବିରୁଦ୍ଧରେ ସଂଗ୍ରାମ କରୁଥିବା କୁଅଭିଳାଷଗୁଡ଼ିକରୁ ବିରତ ହୁଅ।12ଅନ୍ୟଜାତୀୟ ଲୋକଙ୍କ ମଧ୍ୟରେ ତୁମ୍ଭେମାନେ ଏପ୍ରକାର ଜୀବନଯାପନ କର ଯେ, ସେମାନେ ତୁମ୍ଭମାନଙ୍କୁ ଅନ୍ୟାୟକାରୀ ବୋଲି କହିଲେ ମଧ୍ୟ, ଈଶ୍ୱରଙ୍କ ଆଗମନ ଦିନରେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତାହାଙ୍କର ସ୍ତୁତିବାଦ କରିବେ।

ଶାସକ ଓ କର୍ତ୍ତାମାନଙ୍କର ଆଜ୍ଞାଧୀନ ହୁଅ

13ପ୍ରଭୁଙ୍କ ସକାଶେ ତୁମ୍ଭେମାନେ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ପ୍ରତ୍ୟେକ ଶାସନାଧିକାର: ଅର୍ଥାତ୍ ସର୍ବୋଚ୍ଚ ଶାସନାଧିକାରୀ ରାଜା ହୁଅନ୍ତୁ,14ବା ରାଜ୍ୟପାଳ ହୁଅନ୍ତୁ, ସେମାନଙ୍କର ବଶ୍ୟତା ସ୍ୱୀକାର କର ଦୁଷ୍କର୍ମକାରୀମାନଙ୍କୁ ଦଣ୍ଡ ଦେବାକୁ ଓ ସଦାଚାରୀମାନଙ୍କୁ ପ୍ରଶଂସା କରିବାକୁ ରାଜ୍ୟପାଳମାନେ ରାଜାଙ୍କ ଦ୍ଵାରା ପ୍ରେରିତ।15କାରଣ ଈଶ୍ୱରଙ୍କ ଇଚ୍ଛା ଏହି ଯେ ତୁମ୍ଭେମାନେ ସତ୍କର୍ମ କରିବା ଦ୍ଵାରା ମୂର୍ଖ ଲୋକଙ୍କର ନିର୍ବୋଧ କଥା ବନ୍ଦ କରିବ।16ସ୍ୱାଧୀନ ଲୋକଙ୍କପରି ଜୀବନଯାପନ କର, କିନ୍ତୁ ତୁମର ସ୍ୱାଧୀନତାକୁ ପାପାଚାରର ଏକ ଆବରଣ ରୂପେ ବ୍ୟବହାର କର ନାହିଁ; ମାତ୍ର ଈଶ୍ୱରଙ୍କ ଦାସ ଭାବରେ ଜୀବନଯାପନ କର।17ସମସ୍ତଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କର, ବିଶ୍ୱାସୀ ଭ୍ରାତୃ ବର୍ଗଙ୍କୁ ପ୍ରେମ କର ଈଶ୍ୱରଙ୍କ ଭକ୍ତି କର, ରାଜାଙ୍କୁ ସମ୍ମାନ ଦିଅ।
18ହେ କ୍ରୀତଦାସମାନେ, ତୁମ୍ଭେମାନେ ଭକ୍ତି ସହକାରେ ନିଜ ନିଜ କର୍ତ୍ତାମାନଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ ମାତ୍ର ଯେଉଁମାନେ ନିର୍ଦ୍ଦୟ ସେମାନଙ୍କର ମଧ୍ୟ ବଶୀଭୂତ ହୁଅ।19କାରଣ କେହି ଯଦି ଈଶ୍ୱରଙ୍କ ପ୍ରତି ସଚେତନ ରହି ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ ତେବେ ତାହା ପ୍ରଶଂସନୀୟ।20କିନ୍ତୁ ତୁମେ ଯଦି ଅନ୍ୟାୟ କରି ପ୍ରହାର ସହ୍ୟ କର ତେବେ ସେଥିରେ କି କୃତିତ୍ଵ ଅଛି? କିନ୍ତୁ ସତ୍‌କାର୍ଯ୍ୟ କରି ତୁମେ ଯଦି ଦୁଃଖଭୋଗ କର ଓ ଧୈର୍ଯ୍ୟ ଧର, ତାହା ଈଶ୍ୱରଙ୍କ ଦୃଷ୍ଟିରେ ପ୍ରଶଂସନୀୟ।21ତୁମ୍ଭେମାନେ ତ ଏଥିପାଇଁ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦାଙ୍କ ଅନୁସରଣ କରିବ, ଏଥିପାଇଁ ସେ ତୁମ ନିମନ୍ତେ ଦୁଃଖଭୋଗ କରି, ତୁମ ପାଇଁ ଏକ ଆଦର୍ଶ ଛାଡ଼ି ଯାଇଅଛନ୍ତି।22“ସେ କୌଣସି ପାପ କରି ନ ଥିଲେ,ଏବଂ ତାହାଙ୍କ ମୁଖରେ କୌଣସି ଛଳ କଥା ନ ଥିଲା।”
23ସେମାନେ ତାହାଙ୍କ ବିରୁଦ୍ଧରେ ନିନ୍ଦା ନିକ୍ଷେପ କଲାବେଳେ, ସେ ପ୍ରତିଶୋଧ ନେଇ ନ ଥିଲେ; ଦୁଃଖଭୋଗ କଲାବେଳେ, ସେ ଭୟପ୍ରଦର୍ଶନ କରି ନ ଥିଲେ। ତା ପରିବର୍ତ୍ତେ, ସେ ନ୍ୟାୟ ବିଚାରକର୍ତ୍ତାଙ୍କ ନିକଟରେ ନିଜକୁ ସମର୍ପଣ କରିଥିଲେ।24“ଆମେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ପାଇଁ ବଞ୍ଚିବୁ” ଏଥିପାଇଁ ସେ କ୍ରୁଶକାଠ ଉପରେ, ନିଜ ଶରୀରରେ ଆମର ପାପ ବହନ କଲେ; “ତାହାଙ୍କ କ୍ଷତ ଦ୍ଵାରା ତୁମ୍ଭେମାନେ ସୁସ୍ଥ ହୋଇଅଛ।”25“କାରଣ ତୁମ୍ଭେମାନେ ମେଷମାନଙ୍କ ପରି ବିପଥଗାମୀ ହୋଇଥିଲ,” ମାତ୍ର ଏବେ ତୁମ ଆତ୍ମାର ପାଳକ ଓ ତତ୍ତ୍ୱାବଧାରକଙ୍କ ନିକଟକୁ ଫେରି ଆସିଅଛ।

Biblica, Inc.

https://app.library.bible/content/97b51048ae7f2ec9