ପ୍ରଥମ କରିନ୍ଥୀୟ5
ମଣ୍ଡଳୀରୁ ଅସଦାଚାରୀକୁ ଦୂର କର
1ତୁମ୍ଭମାନଙ୍କମଧ୍ୟରେ ଯେ ଯୌନ ଅସଦାଚାର ରହିଛି, ଏହି ଜନରବ ପ୍ରକୃତରେ ଶୁଣାଯାଉଛି ଯାହାକି ଅନ୍ୟ ଜାତିର ଲୋକଙ୍କ ମଧ୍ୟରେ ସୁଦ୍ଧା ଦେଖାଯାଏ ନାହିଁ: ଅର୍ଥାତ୍ ଜଣେ ଲୋକ ତାହାର ପିତାର ପତ୍ନୀକୁ ରଖିଛି।2ଆଉ ତୁମ୍ଭେମାନେ ଗର୍ବ ଅନୁଭବ କରୁଛ! ବରଞ୍ଚ ମନସ୍ତାପ କରି ଏହି କାର୍ଯ୍ୟ କରିଥିବା ଲୋକକୁ ତୁମ ସହଭାଗିତା ମଧ୍ୟରୁ ବହିଷ୍କାର କରିବା ତୁମର ଉଚିତ ନ ଥିଲା କି?3ମୁଁ ଶାରୀରିକଭାବେ ଉପସ୍ଥିତ ନ ଥିଲେ ମଧ୍ୟ, ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି। ମୁଁ ସେଠାରେ ଉପସ୍ଥିତ ଥିଲା ପରି, ସେହି କାର୍ଯ୍ୟ କରିଥିବା ଲୋକକୁ ଦଣ୍ଡାଦେଶ ଦେଇ ସାରିଲିଣି।4ଆମର ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଯେତେବେଳେ ସମବେତ ହୁଅ ଏବଂ ମୁଁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥାଏ, ପୁଣି ଆମର ପ୍ରଭୁ ଯୀଶୁଙ୍କର ଶକ୍ତି ବିଦ୍ୟମାନ ଥାଏ,5ସେତେବେଳେ ସେହି ଲୋକର ଶରୀର ଯେପରି ବିନାଶ ପାଏ, ଓ ପ୍ରଭୁଙ୍କ ଦିବସରେ ତାହାର ଆତ୍ମା ଯେପରି ରକ୍ଷା ପାଏ ଏଥିପାଇଁ ତାକୁ ଶୟତାନର ହସ୍ତରେ ସମର୍ପଣ କର।6ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ। ତୁମ୍ଭେମାନେ କଅଣ ଜାଣ ନାହିଁ ଟିକିଏ ଖମିର ସମୁଦାୟ ମଇଦା ପିଣ୍ଡୁଳାକୁ ଖମିରମୟ କରିଦିଏ?7ତୁମ୍ଭେମାନେ ପ୍ରକୃତରେ ଯେଉଁ ପ୍ରକାର ଖମିରଶୂନ୍ୟ ଅଟେ, ସେହି ପ୍ରକାରର ଏକ ନୂତନ ଖମିରଶୂନ୍ୟ ମଇଦା ପିଣ୍ଡୁଳା ଯେପରି ହୋଇପାରିବ ଏଥିପାଇଁ ପୁରୁଣା ଖମିରକୁ ଦୂର କର। କାରଣ ଖ୍ରୀଷ୍ଟ, ଯେ ଆମର ନିସ୍ତାର ପର୍ବର ମେଷଶାବକ ସଦୃଶ, ସେ ବଳିପ୍ରାପ୍ତ ହୋଇଛନ୍ତି।8ସେଥିପାଇଁ ଆସ ଆମେ ପୁରାତନ ଖମିର, ଅର୍ଥାତ୍ ବିଦ୍ୱେଷ ଓ ପାପାଚାର ରୂପ ଖମିର ଦ୍ଵାରା ପର୍ବ ପାଳନ ନ କରି, ଖମିରଶୂନ୍ୟ ରୋଟୀ ଅର୍ଥାତ୍ ସରଳତା ଓ ସତ୍ୟତା ରୂପ ରୋଟୀ ଦ୍ଵାରା ପର୍ବ ପାଳନ କରୁ।9ଯୌନଅସଦାଚାରୀ ଲୋକଙ୍କ ସହିତ ସମ୍ପର୍କ ନ ରଖିବାକୁ ମୁଁ ମୋର ପତ୍ରରେ ତୁମ୍ଭମାନଙ୍କୁ ଲେଖିଥିଲି।10ମୁଁ ଆଦୌ ଏହି ଅର୍ଥରେ ଲେଖି ନ ଥିଲି ଯେ ଏ ଜଗତରେ ଯେଉଁମାନେ ଅସଦାଚାରୀ ବା ଲୋଭୀ ବା ପ୍ରତାରକ ବା ପ୍ରତିମାପୂଜକ, ସେମାନଙ୍କ ସହିତ ସମ୍ପର୍କ ରଖ ନାହିଁ। ତା ହେଲେ ତୁମ୍ଭମାନଙ୍କୁ ତ ଏ ଜଗତ ଛାଡ଼ି ଚାଲିଯିବାକୁ ହେବ।11କିନ୍ତୁ ମୁଁ ଏବେ ତୁମ୍ଭମାନଙ୍କୁ ଲେଖୁଛି ଯେକେହି ଯଦି ନିଜକୁ ଭାଇ ବୋଲାଇ ଯୌନଅସଦାଚାରୀ ବା ଲୋଭୀ ବା ପ୍ରତିମାପୂଜକ, ବା ନିନ୍ଦୁକ, ବା ମଦ୍ୟପ ବା ପ୍ରତାରକ ହୋଇଥାଏ, ତେବେ ତା ସହିତ ସମ୍ପର୍କ ରଖ ନାହିଁ। ସେପ୍ରକାର ଲୋକ ସହିତ ଭୋଜନ ସୁଦ୍ଧା କର ନାହିଁ।12ମଣ୍ଡଳୀର ବାହାରେ ଥିବା ଲୋକଙ୍କ ବିଚାର କରିବାକୁ ମୋର ଅବା କି ଅଧିକାର ଅଛି? ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି ସେହି ଲୋକମାନଙ୍କର ବିଚାର କରିବା ତୁମର ଉଚିତ ନୁହେଁ କି?13ବାହାର ଲୋକଙ୍କ ବିଚାର ଈଶ୍ୱର କରିବେ। “ତୁମ୍ଭମାନଙ୍କମଧ୍ୟରୁ ସେହି ଦୁରାଚାରୀକୁ ବହିଷ୍କାର କର।”Biblica, Inc.