ଗୀତସଂହିତା80ory_irv

ଜାତିର ପୁନଃରୁଦ୍ଧାର ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍-ଏଦୂତ୍‍ ସ୍ୱରରେ ଆସଫର ଗୀତ।

1ହେ ଇସ୍ରାଏଲର ପାଳକ,ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର;କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ।2ଇଫ୍ରୟିମ, ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କରଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର।3ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।4ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର,ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ?5ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।6ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ;ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି।7ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।8ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ;ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ତାହା ରୋପଣ କଲ।9ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ,ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା।10ତାହାର ଛାୟାରେ ପର୍ବତଗଣ ଆବୃତ ହେଲେଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସ ବୃକ୍ଷ ତୁଲ୍ୟ ହେଲେ।11ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖାଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।12କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ,ପଥିକସବୁ ତାହା ଛିଣ୍ଡାଇ ପକାଉଅଛନ୍ତି?13ବନରୁ ବରାହ ଆସି ତାହା ଉଜାଡ଼ି ପକାଏଓ ବିଲର ପଶୁଗଣ ତାହା ଖାଇଯାʼନ୍ତି।14ହେ ସୈନ୍ୟାଧିପତି ପରମେଶ୍ୱର,ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର15ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିରଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ।16ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି;ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି।17ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ,ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ।18ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରିଯିବା ନାହିଁ;ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା।19ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ;ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।