ଗୀତସଂହିତା79ory_irv
ଜାତିର ମୁକ୍ତି ପାଇଁ ପ୍ରାର୍ଥନା
ଆସଫର ଗୀତ।
1ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି;ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି;ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି।2ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି,ତୁମ୍ଭ ସଦ୍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ ଦେଇଅଛନ୍ତି।3ସେମାନଙ୍କର ରକ୍ତ ଯିରୂଶାଲମର ଚତୁର୍ଦ୍ଦିଗରେ ସେମାନେ ଜଳ ପରି ଢାଳିଅଛନ୍ତିଓ ସେମାନଙ୍କୁ କବର ଦେବା ପାଇଁ କେହି ନ ଥିଲା।4ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ,ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି ଓ ପରିହାସର ପାତ୍ର ହୋଇଅଛୁ।5ହେ ସଦାପ୍ରଭୋ, କେତେ କାଳ? ତୁମ୍ଭେ କି ସଦାକାଳ କ୍ରୁଦ୍ଧ ହେବ?ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜ୍ୱଳିବ?6ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁଓ ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ଆପଣା କୋପ ଢାଳିଦିଅ।7କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତିଓ ତାହାର ବାସସ୍ଥାନ ଉଜାଡ଼ କରିଅଛନ୍ତି।8ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ;ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ।କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ।9ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କରଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର।10ଅନ୍ୟ ଦେଶୀୟମାନେ କାହିଁକି କହିବେ, ସେମାନଙ୍କର ପରମେଶ୍ୱର କାହାନ୍ତି?ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି,ତହିଁର ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ପ୍ରକାଶିତ ହେଉ।11ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ;ତୁମ୍ଭ ପରାକ୍ରମର ମହତ୍ତ୍ୱାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର।12ପୁଣି, ହେ ପ୍ରଭୋ, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି,ସେହି ନିନ୍ଦାର ସାତ ଗୁଣ ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ।13ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ,ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା;ଆମ୍ଭେମାନେ ସମସ୍ତ ପିଢ଼ି ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା।