ଗୀତସଂହିତା54ory_irv

ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍। “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ?” ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ।

1ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣକର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର।2ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋʼମୁଖର କଥାରେ କର୍ଣ୍ଣପାତ କର।3କାରଣ ଅପରିଚିତ ଲୋକମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି,ପୁଣି, ଦୁରନ୍ତ ଲୋକମାନେ ମୋʼ ପ୍ରାଣ ଖୋଜି ଅଛନ୍ତି।ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି। [ସେଲା]4ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ;ପ୍ରଭୁ ମୋʼ ପ୍ରାଣରକ୍ଷକ ଅଟନ୍ତି।5ସେ ମୋʼ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ;ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର।6ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି;ହେ ସଦାପ୍ରଭୋ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି,କାରଣ ତାହା ଉତ୍ତମ।7ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି;ଆଉ, ମୋʼ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି।