ଗୀତସଂହିତା45ory_irv
ରାଜାଙ୍କ ବିବାହ ଉଦ୍ଦେଶ୍ୟରେ ରଚିତ ଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍। ପ୍ରେମ ଗୀତ।
1ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି;ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ;ମୋʼ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ।2ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର;ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି;ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି।3ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ,ଆପଣା ମହିମା ଓ ପ୍ରଭାବ ବାନ୍ଧ।4ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣାପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ;ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ।5ତୁମ୍ଭର ତୀରସବୁ ତୀକ୍ଷ୍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି;ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ।6ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ;ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ।7ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ;ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର ମିତ୍ରଗଣ ଅପେକ୍ଷାତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି।8ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ସୁବାସମୟ;ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି।9ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ ଅଛନ୍ତି;ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ ଉଭା ହୁଅନ୍ତି।10ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର;ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର;11ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ ।କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର।12ପୁଣି, ସୋରର କନ୍ୟା ଭେଟି ନେଇ ସେଠାରେ ଉପସ୍ଥିତ ହେବ;ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତି କରିବେ।13ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ ସୁଶୋଭିତା;ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ।14ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ ଅଣାଯିବେ;ତାଙ୍କର ପଶ୍ଚାଦ୍ବର୍ତ୍ତିନୀ ସହଚରୀ କୁମାରୀଗଣତୁମ୍ଭ ନିକଟକୁ ଅଣାଯିବେ।15ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ;ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ;16ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ,ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି କରିବ।17ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ କରାଇବି;ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା କରିବେ।