ଗୀତସଂହିତା31ory_irv

ସଦାପ୍ରଭୁଙ୍କଠାରେ ନିର୍ଭରଶୀଳତାର ନିବେଦନ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି;ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ;ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କର।2ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର;ତୁମ୍ଭେ ମୋʼ ପ୍ରତି ଦୃଢ଼ ଶୈଳ,ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ।3କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ;ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।4ସେମାନେ ଗୋପନରେ ମୋʼ ପାଇଁ ଯେଉଁ ଜାଲ ପାତିଅଛନ୍ତି, ତହିଁରୁ ମୋତେ ଉଦ୍ଧାର କର;କାରଣ ତୁମ୍ଭେ ମୋହର ଦୃଢ଼ ଦୁର୍ଗ।5ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ;ହେ ସଦାପ୍ରଭୋ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।6ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ;ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ।7ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି;କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ;ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋʼ ପ୍ରାଣର ତତ୍ତ୍ୱ ନେଇଅଛ।8ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ;ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।9ହେ ସଦାପ୍ରଭୋ, ମୋʼ ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ;ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି।10କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେମୋହର ବର୍ଷ ବହି ଯାଉଅଛି;ମୋʼ ଅପରାଧ ସକାଶୁ ମୋର ବଳ କ୍ଷୀଣ ହେଉଅଛିଓ ମୋର ଅସ୍ଥିସବୁ କ୍ଷୟ ପାଉଅଛି।11ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣାପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦଓ ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି,ମୋତେ ବାହାରେ ଦେଖିଲା ଲୋକମାନେ ମୋʼ ନିକଟରୁ ପଳାଇଲେ।12ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି;ମୁଁ ଭଗ୍ନ ପାତ୍ର ସଦୃଶ।13କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି,ଚତୁର୍ଦ୍ଦିଗରେ ଆଶଙ୍କା;ସେମାନେ ମୋʼ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେମୋʼ ପ୍ରାଣ ନେବା ପାଇଁ ସଂକଳ୍ପ କଲେ।14ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନିଏ;ମୁଁ କହେ, “ତୁମ୍ଭେ ମୋହର ପରମେଶ୍ୱର।”15ମୋହର ସମୟ ସବୁ ତୁମ୍ଭର ହସ୍ତଗତ;ମୋʼ ଶତ୍ରୁଗଣ ହସ୍ତରୁ ଓ ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର।16ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର;ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର।17ହେ ସଦାପ୍ରଭୋ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି;ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ।18ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ,ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି।19ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ,ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ,ତାହା କିପରି ମହତ୍!20ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ;ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ।21ସଦାପ୍ରଭୁ ଧନ୍ୟ ହେଉନ୍ତୁ;କାରଣ ସେ ଦୃଢ଼ ନଗରରେ ମୋʼ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।22ମାତ୍ର ମୁଁ ତୁମ୍ଭ ଦୃଷ୍ଟିରୁ ଉଚ୍ଛିନ୍ନ ବୋଲିଆପଣା ଅଧୈର୍ଯ୍ୟରେ କହିଥିଲି;ତଥାପି ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ ତୁମ୍ଭେ ମୋʼ ନିବେଦନର ରବ ଶୁଣିଲ।23ହେ ସଦାପ୍ରଭୁଙ୍କ ସଦ୍‍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର;ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତିଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି।24ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ,ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।