ବିଜୟ ପାଇଁ ଧନ୍ୟବାଦ ପ୍ରାର୍ଥନା
1ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ;ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।2ଇସ୍ରାଏଲ ଏବେ କହନ୍ତୁ ଯେ,ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।3ହାରୋଣ-ବଂଶ ଏବେ କହନ୍ତୁ ଯେ,ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।4ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ,ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।5ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି;ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ।6ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ;ମନୁଷ୍ୟ ମୋହର କଅଣ କରିପାରେ?7ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ;ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି।8ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷାସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।9ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷାସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।10ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ;ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।11ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ;ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।12ସେମାନେ ମହୁମାଛି ପରି ମୋତେ ଚାରିଆଡ଼େ ଘେରିଲେ;ସେମାନେ କଣ୍ଟା ନିଆଁ ପରି ଲିଭି ଯାଇଅଛନ୍ତି;ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।13ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରୀ ଧକ୍କା ଦେଲ;ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ।14ସଦାପ୍ରଭୁ ମୋହର ବଳ ଓ ଗାନ;ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି।15ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ;ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।16ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ;ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।17ମୁଁ ମରିବି ନାହିଁ, ମାତ୍ର ବଞ୍ଚିବିଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।18ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି;ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି।19ମୋʼ ପାଇଁ ଦ୍ୱାରସବୁ ଫିଟାଅ ଯଦ୍ଦ୍ୱାରା ଧାର୍ମିକମାନେ ପ୍ରବେଶ କରନ୍ତି;ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।20ଏହି ସଦାପ୍ରଭୁଙ୍କ ଦ୍ୱାର;ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ।21ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛଓ ମୋହର ପରିତ୍ରାଣ ହୋଇଅଛି।22ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ,ତାହା କୋଣର ପ୍ରଧାନ ପଥର ହୋଇଅଛି।23ଏହା ସଦାପ୍ରଭୁଙ୍କ କର୍ମ;ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ।24ଏହା ସଦାପ୍ରଭୁଙ୍କ କୃତ ଦିନ;ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।25ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର;ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର।26ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ;ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।27ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି;ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ।28ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି;ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି।29ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ;ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।