ନ୍ୟାୟ ପାଇଁ ପ୍ରାର୍ଥନା
1ହେ ସଦାପ୍ରଭୋ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ?ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ?2ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ;ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ।3କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ;ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ।4ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ,ପରମେଶ୍ୱର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର।5ତାହାର ସମସ୍ତ ଗତି ସର୍ବଦା ଦୃଢ଼;ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ,ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।6ସେ ଆପଣା ମନେ ମନେ କହେ, “ମୋʼ ପ୍ରତି କିଛି ବିପଦ ଘଟିବ ନାହିଁ;ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି।”7ତାହାର ମୁଖ ଅଭିଶାପ, ଛଳନା ଓ ଉପଦ୍ରବରେ ପରିପୂର୍ଣ୍ଣ;ତାହାର ଜିହ୍ୱା ତଳେ ଅନିଷ୍ଟ ଓ ଅଧର୍ମ ଥାଏ।8ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ;ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ;ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ।9ଯେପରି ସିଂହ ଆପଣା ଗହ୍ୱରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ,ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ;ସେ ଶିକାରୀ ସଦୃଶ୍ୟ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ।10ସେ ଛକି ବସେ, ସେ ନଇଁ ପଡ଼େ,ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ୱାରା ପତିତ ହୁଅନ୍ତି।11ସେ ଆପଣା ମନେ ମନେ କହେ, “ପରମେଶ୍ୱର ପାସୋରି ଯାଇଅଛନ୍ତି;ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ।”12ହେ ସଦାପ୍ରଭୋ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ;ଦୁଃଖୀମାନଙ୍କୁ ପାସୋର ନାହିଁ।13ଦୁଷ୍ଟ ଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେଓ “ତୁମ୍ଭେ ଅନୁସନ୍ଧାନ କରିବ ନାହିଁ” ବୋଲି ସେ ଆପଣା ମନେ ମନେ କହେ?14ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ;ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ;ତୁମ୍ଭେ ପିତୃହୀନର ସହାୟ ହୋଇଅଛ।15ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗିଦିଅ;ଆଉ, ତୁମ୍ଭେ ମନ୍ଦ ଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।16ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି;ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି।17ହେ ସଦାପ୍ରଭୋ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ;ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;18ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ,ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ।