ଯିରିମୀୟ5ory_irv

ଅନୁତାପ ନିମନ୍ତେ ଯିରୂଶାଲମର ଅନିଚ୍ଛା

1ତୁମ୍ଭେମାନେ ଯିରୂଶାଲମର ସବୁ ସଡ଼କରେ ଏଣେତେଣେ ଧାଇଁ ଦେଖ ଓ ବୁଝ,ଆଉ ତହିଁର ଛକସ୍ଥାନ ସବୁରେ ଖୋଜ,ଯଦି ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇ ପାର,ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।2ସେମାନେ ଜୀବିତ ସଦାପ୍ରଭୁ ବୋଲି କହିଲେ ହେଁନିତାନ୍ତ ମିଥ୍ୟାରେ ଶପଥ କରନ୍ତି।3ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କʼଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ?ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ;ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି;ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି;ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି।4ତହିଁରେ ମୁଁ କହିଲି, “ନିଶ୍ଚୟ ଏମାନେ ଦରିଦ୍ର; ଏମାନେ ଅଜ୍ଞାନ;କାରଣ ଏମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କର ଶାସନ ଜାଣନ୍ତି ନାହିଁ;5ମୁଁ ବଡ଼ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି;କାରଣ ସେମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଶାସନ ଜାଣନ୍ତି।”ମାତ୍ର ଏମାନେ ଏକମନା ହୋଇ ଯୁଆଳି ଭାଙ୍ଗିଅଛନ୍ତି ଓ ବନ୍ଧନସବୁ ଛିଣ୍ଡାଇ ପକାଇଅଛନ୍ତି।6ଏନିମନ୍ତେ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବଓ ସନ୍ଧ୍ୟାକାଳର କେନ୍ଦୁଆ ବାଘ ସେମାନଙ୍କୁ ବିନାଶ କରିବ,ଚିତାବାଘ ସେମାନଙ୍କ ନଗରସମୂହ ନିକଟରେ ଛକି ରହିବ,ଯେ ପ୍ରତ୍ୟେକ ଲୋକ ନଗରରୁ ବାହାରିବ, ସେ ବିଦୀର୍ଣ୍ଣ ହେବ;କାରଣ ସେମାନଙ୍କର ଅପରାଧ ଅନେକ ଓ ସେମାନଙ୍କର ବିପଥଗମନ ବୃଦ୍ଧି ପାଇଅଛି।7“ଆମ୍ଭେ କିପରି ତୁମ୍ଭକୁ କ୍ଷମା କରି ପାରିବା?ତୁମ୍ଭର ସନ୍ତାନଗଣ ଆମ୍ଭକୁ ପରିତ୍ୟାଗ କରିଅଛନ୍ତିଓ ଯେଉଁମାନେ ଈଶ୍ୱର ନୁହନ୍ତି, ସେମାନଙ୍କ ନାମରେ ଶପଥ କରିଅଛନ୍ତି;ଆମ୍ଭେ ଯେତେବେଳେ ସେମାନଙ୍କୁ ପରିତୃପ୍ତ ରୂପେ ଭୋଜନ କରାଇଲୁ,ସେତେବେଳେ ସେମାନେ ବ୍ୟଭିଚାର କଲେଓ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ଏକତ୍ର ହେଲେ।8ସେମାନେ ପ୍ରଭାତରେ ସୁପୋଷିତ ଅଶ୍ୱ ତୁଲ୍ୟ ହେଲେ;ପ୍ରତ୍ୟେକେ ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ହିଁ ହିଁ ହେଲେ।9ସଦାପ୍ରଭୁ କହନ୍ତି, ଆମ୍ଭେ କʼଣ ଏହିସବୁର ପ୍ରତିଫଳ ଦେବା ନାହିଁ?ଆମ୍ଭର ପ୍ରାଣ କʼଣ ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ?10ତୁମ୍ଭେମାନେ ତାହାର ଦ୍ରାକ୍ଷଲତା ଦେଇ ଯାଇ ସେମାନଙ୍କୁ ବିନାଶ କର;ମାତ୍ର ନିଃଶେଷ ରୂପେ ବିନାଶ କର ନାହିଁ; ତାହାର ଶାଖାସବୁ ଦୂର କର;କାରଣ ସେସବୁ ସଦାପ୍ରଭୁଙ୍କର ନୁହେଁ।11ସଦାପ୍ରଭୁ କହନ୍ତି, ଇସ୍ରାଏଲ ବଂଶ ଓ ଯିହୁଦା ବଂଶଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ବିଶ୍ୱାସଘାତକତା କରିଅଛନ୍ତି।12ସେମାନେ ସଦାପ୍ରଭୁଙ୍କୁ ଅସ୍ୱୀକାର କରି କହିଲେ,‘ଏ ତ ସେ ନୁହନ୍ତି; ପୁଣି, ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ ଘଟିବ ନାହିଁ;କିଅବା ଆମ୍ଭେମାନେ ଖଡ୍ଗ କି ଦୁର୍ଭିକ୍ଷ ଦେଖିବା ନାହିଁ;13ଆଉ, ଭବିଷ୍ୟଦ୍‍ବକ୍ତାମାନେ ବାୟୁ ତୁଲ୍ୟ ହେବେଓ ସେମାନଙ୍କ ଅନ୍ତରରେ ବାକ୍ୟ ନାହିଁ; ସେମାନଙ୍କ ପ୍ରତି ଏହିରୂପେ କରାଯିବ।’”

ପରମେଶ୍ୱରଙ୍କ ବିଚାର ଘୋଷଣା

14ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ପରମେଶ୍ୱର, ସଦାପ୍ରଭୁ କହନ୍ତି,“ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ ଆମ୍ଭର ବାକ୍ୟକୁ ଅଗ୍ନି ତୁଲ୍ୟଓ ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା, ତାହା ଏମାନଙ୍କୁ ଗ୍ରାସ କରିବ।15ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ, ଦେଖ,ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା;ସେ ବଳବାନ ଗୋଷ୍ଠୀ, ପ୍ରାଚୀନ ଗୋଷ୍ଠୀ,ସେହି ଗୋଷ୍ଠୀର ଭାଷା ତୁମ୍ଭେ ଜାଣ ନାହିଁ, କିଅବା ସେମାନଙ୍କର କଥା ତୁମ୍ଭେ ବୁଝ ନାହିଁ।16ସେମାନଙ୍କର ତୂଣ ଖୋଲା କବର ତୁଲ୍ୟ, ସେମାନେ ସମସ୍ତେ ବୀରପୁରୁଷ।17ପୁଣି, ସେମାନେ ତୁମ୍ଭର ଶସ୍ୟ ଓ ତୁମ୍ଭ ପୁତ୍ରକନ୍ୟାଗଣର ଭକ୍ଷ୍ୟଦ୍ରବ୍ୟ ଗ୍ରାସ କରିବେ;ସେମାନେ ତୁମ୍ଭର ମେଷପଲ ଓ ଗୋପଲ ଗ୍ରାସ କରିବେ;ସେମାନେ ତୁମ୍ଭର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ଗ୍ରାସ କରିବେ;ତୁମ୍ଭେ ଆପଣାର ଯେଉଁ ସୁଦୃଢ଼ ନଗରମାନରେ ବିଶ୍ୱାସ କରିଅଛ,ସେସବୁକୁ ସେମାନେ ଖଡ୍ଗରେ ନିପାତ କରିବେ।”18ମାତ୍ର ସଦାପ୍ରଭୁ କହନ୍ତି, “ସେସମୟରେ ହେଁ ଆମ୍ଭେ ତୁମ୍ଭମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ନାହିଁ।19ଆଉ, ତୁମ୍ଭେମାନେ ଯେତେବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର କାହିଁକି ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି,’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ନିଜ ଦେଶରେ ଯେପରି ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାଗଣର ସେବା କରିଅଛ, ସେପରି ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’”20ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ ଓ ଯିହୁଦା ମଧ୍ୟରେ ପ୍ରଚାର କରି କୁହ,21“ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ଚକ୍ଷୁ ଥାଉ ଥାଉ ଦେଖୁ ନାହଁ;କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଏହି କଥା ଶୁଣ;22ସଦାପ୍ରଭୁ କହନ୍ତି, ତୁମ୍ଭେମାନେ କି ଆମ୍ଭକୁ ଭୟ କରୁ ନାହଁ?ସମୁଦ୍ର ଯେପରି ଉଲ୍ଲଙ୍ଘନ କରି ନ ପାରିବ, ଏଥିପାଇଁ ନିତ୍ୟସ୍ଥାୟୀ ବିଧିକ୍ରମେତହିଁର ସୀମା ରୂପେ ବାଲୁକା ସ୍ଥାପନ କରିଅଛୁ ଯେ ଆମ୍ଭେ,ଆମ୍ଭ ସାକ୍ଷାତରେ ତୁମ୍ଭେମାନେ କି କମ୍ପବାନ ହେବ ନାହିଁ?ତହିଁର ତରଙ୍ଗମାଳା ଉଚ୍ଚକୁ ଉଠେ, ତଥାପି କୃତାର୍ଥ ହୋଇପାରେ ନାହିଁ,କଲ୍ଲୋଳ ଧ୍ୱନି କରେ, ତଥାପି ସୀମା ଅତିକ୍ରମ କରିପାରେ ନାହିଁ।23ମାତ୍ର ଲୋକମାନଙ୍କର ମନ ଅବାଧ୍ୟ ଓ ପ୍ରତିକୂଳାଚାରୀ;ସେମାନେ ଅବାଧ୍ୟ ହୋଇ ଚାଲି ଯାଇଅଛନ୍ତି।24ଅଥବା ଯେ ଯଥା ସମୟରେ ଆଦ୍ୟ ଓ ଶେଷ ବୃଷ୍ଟିର ପ୍ରଦାନକର୍ତ୍ତା;ଯେ ଆମ୍ଭମାନଙ୍କ ନିମନ୍ତେ ଶସ୍ୟଚ୍ଛେଦନର ନିରୂପିତ ସପ୍ତାହମାନ ରକ୍ଷା କରନ୍ତି,ଆସ, ଏବେ ଆମ୍ଭେମାନେ ସେହି ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କୁ ଭୟ କରୁ,ଏହା ସେମାନେ ମନେ ମନେ କହନ୍ତି ନାହିଁ।25ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅନ୍ୟଥା କରିଅଛିଓ ତୁମ୍ଭମାନଙ୍କର ପାପ ତୁମ୍ଭମାନଙ୍କର ମଙ୍ଗଳ ନିବାରଣ କରିଅଛି।26କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ ଦୁଷ୍ଟ ଲୋକ ଦେଖା ଯାଆନ୍ତି;ସେମାନେ ବ୍ୟାଧ ତୁଲ୍ୟ ଛକି ବସି ଜଗନ୍ତି; ସେମାନେ ଫାନ୍ଦ ପାତି ମନୁଷ୍ୟ ଧରନ୍ତି।27ଯେପରି ପିଞ୍ଜର ପକ୍ଷୀରେ ପୂର୍ଣ୍ଣ, ସେପରି ସେମାନଙ୍କର ଗୃହ ଛଳରେ ପୂର୍ଣ୍ଣ;ଏହେତୁ ସେମାନେ ଉନ୍ନତ ଓ ଆହୁରି ଆହୁରି ଧନବନ୍ତ ହୋଇଅଛନ୍ତି।28ସେମାନେ ଆହୁରି ଆହୁରି ମୋଟା ଓ ଚିକ୍କଣ ହୁଅନ୍ତି,ହଁ, ସେମାନେ ଦୁଷ୍କ୍ରିୟାର ସୀମା ଅତିକ୍ରମ କରନ୍ତି; ସେମାନେ ଗୁହାରି ବିଚାର କରନ୍ତି ନାହିଁ,ପିତୃହୀନମାନଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କର ଗୁହାରି ବିଚାର କରନ୍ତି ନାହିଁ;ପୁଣି, ଦରିଦ୍ରମାନଙ୍କର ବିଚାର ସେମାନେ ନିଷ୍ପତ୍ତି କରନ୍ତି ନାହିଁ।29ସଦାପ୍ରଭୁ କହନ୍ତି, ଆମ୍ଭେ କି ଏହିସବୁର ପ୍ରତିଫଳ ଦେବା ନାହିଁ?ଆମ୍ଭର ପ୍ରାଣ କି ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ?”30ଦେଶ ମଧ୍ୟରେ ଗୋଟିଏ ଆଶ୍ଚର୍ଯ୍ୟ ଓ ଭୟାନକ ବିଷୟ ଘଟିଅଛି;31ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତିଓ ସେମାନଙ୍କ ଦ୍ୱାରା ଯାଜକମାନେ କର୍ତ୍ତୃତ୍ୱ କରନ୍ତି;ପୁଣି, ଆମ୍ଭର ଲୋକମାନେ ଏପରି ହେବାର ଭଲ ପାଆନ୍ତି;ମାତ୍ର ତହିଁର ଶେଷରେ ତୁମ୍ଭେମାନେ କଅଣ କରିବ?