ଯିରିମୀୟ48ory_irv

ମୋୟାବର ବିଚାର

1ମୋୟାବର ବିଷୟ।ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି,“ହାୟ, ହାୟ, ନବୋ! କାରଣ ତାହା ଉଚ୍ଛିନ୍ନ ହେଲା;କିରୀୟାଥୟିମ୍‍ ଲଜ୍ଜିତ ହେଲା, ତାହା ଧୃତ ହେଲା;ମିସ୍ଗନ୍‍ ଲଜ୍ଜିତ ଓ ଭଗ୍ନ ହେଲା।2ମୋୟାବର ପ୍ରଶଂସା ଆଉ ତ ନାହିଁ;ଲୋକମାନେ ହିଷ୍‍ବୋନରେ ତାହାର ଅମଙ୍ଗଳର ମନ୍ତ୍ରଣା କରି କହିଅଛନ୍ତି,‘ଆସ, ଆମ୍ଭେମାନେ ତାହାକୁ ଉଚ୍ଛିନ୍ନ କରି ଗୋଟିଏ ଗୋଷ୍ଠୀ ହୋଇ ରହିବାକୁ ନ ଦେଉ।ହେ ମଦ୍‍ମେନା, ତୁମ୍ଭେ ମଧ୍ୟ ନୀରବ କରାଯିବ; ଖଡ୍ଗ ତୁମ୍ଭ ପଶ୍ଚାଦ୍‍ଗାମୀ ହେବ।3“ହୋରୋନୟିମଠାରୁ କ୍ରନ୍ଦନର, ଧନ ଅପହରଣର ଓ ମହାବିନାଶର ଶବ୍ଦ!4ମୋୟାବ ନଷ୍ଟ ହେଲା;ତାହାର କ୍ଷୁଦ୍ର ଲୋକମାନଙ୍କର କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।5କାରଣ ଲୂହୀତର ଉଠାଣି ପଥରେ ଲୋକମାନେକ୍ରମାଗତ କ୍ରନ୍ଦନ କରୁ କରୁ ଉପରକୁ ଯିବେ;ଯେହେତୁ ହୋରୋନୟିମର ଗଡ଼ନ୍ତି ପଥରେସେମାନେ ବିନାଶ ହେତୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।6ପଳାଅ, ଆପଣା ଆପଣା ପ୍ରାଣ ରକ୍ଷା କର ଓ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ହୁଅ।7କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ,ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ; ଆଉ, କମୋଶ ନାମକ ଦେବତା ଆପଣାର ଯାଜକଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।8ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ, କୌଣସି ନଗର ରକ୍ଷା ପାଇବ ନାହିଁ;ସଦାପ୍ରଭୁଙ୍କ ବାକ୍ୟାନୁସାରେ ତଳଭୂମି ବିନଷ୍ଟ ହେବ ଓ ପ୍ରାନ୍ତର ଉଚ୍ଛିନ୍ନ ହେବ।9“ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ;ତାହାର ନଗରସକଳ ଧ୍ୱଂସିତ ହେବ, ତହିଁ ମଧ୍ୟରେ ବାସକାରୀ କେହି ରହିବ ନାହିଁ।10“ଯେଉଁ ଜନ ହେଳା ଭାବରେ ସଦାପ୍ରଭୁଙ୍କର କାର୍ଯ୍ୟ କରେ, ସେ ଅଭିଶପ୍ତ ହେଉଓ ଯେଉଁ ଜନ ରକ୍ତପାତ କରିବାକୁ ଆପଣା ଖଡ୍ଗ ଅଟକାଏ, ସେ ଅଭିଶପ୍ତ ହେଉ।11“ମୋୟାବ ବାଲ୍ୟକାଳରୁ ନିଶ୍ଚିନ୍ତରେ ଅଛି,ସେ ଆପଣା ଖାଦ ଉପରେ ସୁସ୍ଥିର ହୋଇଅଛିଓ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ, କିଅବା ବନ୍ଦୀ ହୋଇଯାଇ ନାହିଁ;ଏଥିପାଇଁ ତାହାର ସ୍ୱାଦ ତାହା ମଧ୍ୟରେ ରହିଅଛି ଓ ତାହାର ସୁବାସ ବିକୃତ ହୋଇ ନାହିଁ।12ଏହେତୁ ସଦାପ୍ରଭୁ କହନ୍ତି,ଦେଖ, ଯେଉଁ ସମୟରେ ଆମ୍ଭେ ତାହା ନିକଟକୁ ଢାଳି ପକାଇବା ଲୋକ ପଠାଇବା,ଆଉ ସେମାନେ ତାହାକୁ ଢାଳି ଦେବେଓ ତାହାର ପାତ୍ରସକଳ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ,ଏପରି ସମୟ ଆସୁଅଛି।13ପୁଣି, ଇସ୍ରାଏଲ ବଂଶ ଆପଣା ବିଶ୍ୱାସଭୂମି ବେଥେଲ୍‍ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।14ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ,’ଏହା ତୁମ୍ଭେମାନେ କିପରି କହୁଅଛ?15ମୋୟାବ ଉତ୍ସନ୍ନ ହୋଇଅଛିଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି,ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଲାଇ ଯାଇଅଛନ୍ତି,ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ, ସେ ଏହି କଥା କହନ୍ତି।16ମୋୟାବର ବିପଦ ନିକଟରେ ଉପସ୍ଥିତ ଓ ତାହାର କ୍ଳେଶ ଅତି ଶୀଘ୍ର ଆସୁଅଛି।17ତାହାର ଚତୁର୍ଦ୍ଦିଗସ୍ଥିତ ଓ ତାହାର ନାମ ଜାଣିଥିବା ଯେ ତୁମ୍ଭେମାନେ,ତୁମ୍ଭେ ସମସ୍ତେ ତାହାର ପାଇଁ ବିଳାପ କର,ଆଉ କୁହ, ‘ଏହି ଦୃଢ଼ ଦଣ୍ଡ, ସୁନ୍ଦର ଯଷ୍ଟି କିପରି ଭଗ୍ନ ହୋଇଅଛି!’18ହେ ଦୀବୋନ୍ ନିବାସିନୀ କନ୍ୟେ,ତୁମ୍ଭେ ଆପଣା ଐଶ୍ୱର୍ଯ୍ୟରୁ ଓହ୍ଲାଇ ଆସି ତୃଷାରେ ବସ;କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି,ସେ ତୁମ୍ଭର ଦୃଢ଼ ଦୁର୍ଗସବୁ ନଷ୍ଟ କରିଅଛି।19ହେ ଅରୋୟେର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର;ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକୁ ପଚାର; କଅଣ କରାଯାଇଅଛି କୁହ?20ମୋୟାବ ଲଜ୍ଜିତ ହୋଇଅଛି; କାରଣ ତାହା ଭଗ୍ନ ହୋଇଅଛି;ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର;ମୋୟାବ ଉତ୍ସନ୍ନ ହୋଇଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର।21ପୁଣି, ମୋୟାବ ଦେଶୀୟ ଦୂରସ୍ଥ କିଅବା ନିକଟସ୍ଥ ସମସ୍ତ ନଗର ଉପରେ,22ଅର୍ଥାତ୍‍, ସମଭୂମିସ୍ଥ ପ୍ରଦେଶ ଉପରେ ହଲୋନ,ଯହସ ଓ ମେଫାତ୍‍ ଦୀବୋନ୍, ନବୋ ଓ ବେଥ୍-ଦିବ୍ଳାଥୟିମ:23କିରୀୟାଥୟିମ୍‍, ବେଥ୍-ଗାମୁଲ୍ ଓ ବେଥ୍-ମୀୟୋନ୍‍;24କରୀୟୋଥ୍‍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେବିଚାରଦଣ୍ଡ ଉପସ୍ଥିତ ହୋଇଅଛି।25ସଦାପ୍ରଭୁ କହନ୍ତି, ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି।26ତୁମ୍ଭେମାନେ ତାହାକୁ ମତ୍ତ କରାଅ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି; ପୁଣି, ମୋୟାବ ଆପଣା ବାନ୍ତିରେ ଗଡ଼ିବ, ମଧ୍ୟ ସେ ପରିହାସାସ୍ପଦ ହେବ।27ଇସ୍ରାଏଲ କି ତୁମ୍ଭ ପ୍ରତି ପରିହାସର ବିଷୟ ହୋଇ ନ ଥିଲା? ସେ କି ଚୋରମାନଙ୍କ ମଧ୍ୟରେ ଧରା ପଡ଼ିଥିଲା? ତୁମ୍ଭେ ଯେତେ ଥର ତାହା ବିଷୟ କହୁଅଛ, ସେତେଥର ମସ୍ତକ ହଲାଉଅଛ।28ହେ ମୋୟାବ ନିବାସୀଗଣ,ତୁମ୍ଭେମାନେ ନଗରସବୁ ତ୍ୟାଗ କରି ଶୈଳରେ ବାସ କରଓ ଗର୍ତ୍ତର ମୁଖ ପାର୍ଶ୍ୱରେ ବସାକାରୀ କପୋତର ତୁଲ୍ୟ ହୁଅ।29ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା,ତାହାର ଉଦ୍ଧତ ଭାବ, ତାହାର ଅହଙ୍କାର, ତାହାର ଦର୍ପଓ ତାହାର ଚିତ୍ତର ଅଭିମାନ କଥା ଶୁଣିଅଛୁ।30ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର କ୍ରୋଧ ଜାଣୁ, ତାହା କିଛି ନୁହେଁ, ତାହାର ଗର୍ବସବୁ କିଛି ହିଁ ସାଧନ କରି ନାହିଁ।31ଏଥିପାଇଁ ଆମ୍ଭେ ମୋୟାବର ପାଇଁ ହାହାକାର କରିବା; ହଁ, ଆମ୍ଭେ ସମୁଦାୟ ମୋୟାବ ପାଇଁ କ୍ରନ୍ଦନ କରିବା; କୀର୍ହେରସର ଲୋକମାନଙ୍କ ବିଷୟରେ ସେମାନେ ଶୋକ କରିବେ।32ହେ ସିବ୍‍ମାର ଦ୍ରାକ୍ଷାଲତା, ଯାସେରର ରୋଦନ ଅପେକ୍ଷାଆମ୍ଭେ ତୁମ୍ଭ ବିଷୟରେ ଅଧିକ ରୋଦନ କରିବା;ତୁମ୍ଭର ଶାଖାସବୁ ସମୁଦ୍ର ପାରିକୁ ଗଲା,ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ହିଁ ବିସ୍ତାରିତ ହେଲା;ତୁମ୍ଭର ଗ୍ରୀଷ୍ମକାଳୀନ ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେବିନାଶକ ଉପସ୍ଥିତ ହେଲା।33ମୋୟାବର ଫଳବାନ କ୍ଷେତ୍ର ଓ ଭୂମିରୁ ଆନନ୍ଦ ଓ ଉଲ୍ଲାସ ଦୂରୀକୃତ ହୋଇଅଛି;ପୁଣି, ଆମ୍ଭେ ଦ୍ରାକ୍ଷାକୁଣ୍ଡସବୁ ଦ୍ରାକ୍ଷାରସ ଶୂନ୍ୟ କରିଅଛୁ;କେହି ହର୍ଷନାଦରେ ଦ୍ରାକ୍ଷାମର୍ଦ୍ଦନ କରିବ ନାହିଁ; ସେହି ନାଦ ହର୍ଷନାଦ ହେବ ନାହିଁ।34ହିଷ୍‍ବୋନର ଚିତ୍କାର ସ୍ଥାନଠାରୁ ଇଲୀୟାଲୀ ପର୍ଯ୍ୟନ୍ତ,ମଧ୍ୟ ଯହସ ପର୍ଯ୍ୟନ୍ତ, ସୋୟରଠାରୁ ହୋରୋନୟିମ ପର୍ଯ୍ୟନ୍ତ,ଇଗ୍ଲତ୍‍-ଶଲୀଶୀୟା ପର୍ଯ୍ୟନ୍ତ ସେମାନେ ଚିତ୍କାର ଶବ୍ଦ ଉଠାଇଅଛନ୍ତି;କାରଣ ନିମ୍ରୀମର ଜଳସମୂହ ମଧ୍ୟ ଶୂନ୍ୟ ହେବ।35ଆହୁରି, ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାହକାରୀ ଲୋକକୁ ଲୋପ କରିବା।36ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି।37କାରଣ ପ୍ରତ୍ୟେକ ମସ୍ତକ ଟାଙ୍ଗରା ଓ ପ୍ରତ୍ୟେକ ଦାଢ଼ି କଟା ହୋଇଅଛି; ସମସ୍ତଙ୍କ ହସ୍ତରେ କଟା ଦାଗ ଓ କଟିଦେଶରେ ଚଟବସ୍ତ୍ର ଅଛି।38ମୋୟାବର ସମସ୍ତ ଗୃହ-ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।39ସେ କିପରି ଭଗ୍ନ ହୋଇଅଛି! ଲୋକେ କିପରି ବିଳାପ କରୁଅଛନ୍ତି!ମୋୟାବ ଲଜ୍ଜାରେ କିପରି ପୃଷ୍ଠ ଫେରାଇଅଛି!ଏହିରୂପେ ମୋୟାବ ଆପଣା ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କରହାସ୍ୟାସ୍ପଦ ଓ ଭୟସ୍ଥାନ ହେବ।”40କାରଣ ସଦାପ୍ରଭୁ ଏହି କଥା କହନ୍ତି,“ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।41କରୀୟୋଥ୍‍ ହସ୍ତଗତ ହେଲା, ଦୃଢ଼ ଦୁର୍ଗସବୁ ଅକସ୍ମାତ୍‍ ଆକ୍ରାନ୍ତ ହେଲା,ଆଉ ସେହି ଦିନରେ ମୋୟାବର ବୀରମାନଙ୍କ ଅନ୍ତଃକରଣପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣ ତୁଲ୍ୟ ହେବ।42ପୁଣି, ମୋୟାବ ଲୁପ୍ତ ହେବ, ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ,କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି।43ସଦାପ୍ରଭୁ କହନ୍ତି,ହେ ମୋୟାବ ନିବାସୀନ୍‍, ତୁମ୍ଭ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।44ଯେ ତ୍ରାସରୁ ପଳାଏ, ସେ ଖାତରେ ପଡ଼ିବଓ ଯେ ଖାତରୁ ଉଠି ରକ୍ଷା ପାଏ, ସେ ଫାନ୍ଦରେ ଧରା ପଡ଼ିବ;କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଉପରେ,ହଁ, ମୋୟାବର ଉପରେ ପ୍ରତିଫଳ ଦାନର ବର୍ଷ ଆଣିବା।45ଯେଉଁମାନେ ପଳାଇଗଲେ,ସେମାନେ ବଳହୀନ ହୋଇ ହିଷ୍‍ବୋନର ଛାୟା ତଳେ ଠିଆ ହୁଅନ୍ତି;କାରଣ ହିଷ୍‍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।46ହେ ମୋୟାବ, ତୁମ୍ଭେ ସନ୍ତାପର ପାତ୍ର! କମୋଶର ଲୋକମାନେ ବିନଷ୍ଟ ହେଲେ;କାରଣ ତୁମ୍ଭର ପୁତ୍ରଗଣ ବନ୍ଦୀ ହେଲେ ଓ ତୁମ୍ଭର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।47ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶେଷ କାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।” ମୋୟାବର ବିଚାର କଥା ଏତିକି।