ଯାଜକ ପଶ୍ହୂର ସହ ଯିରିମୀୟଙ୍କ ସଂଘର୍ଷ
1ଯିରିମୀୟ ଏହିସବୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବା ବେଳେ ଇମ୍ମେର ଯାଜକର ପୁତ୍ର, ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍ହୂର ତାହା ଶୁଣିଲା।2ତହିଁରେ ପଶ୍ହୂର ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନ୍ ନାମକ ଉପର ଦ୍ୱାରରେ ଥିବା ହରିକାଠରେ ତାଙ୍କୁ ବନ୍ଦ କରି ରଖିଲା।3ପୁଣି, ତହିଁ ପରଦିନ ପଶ୍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି, ମାଗୋରମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି।4କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ, ତୁମ୍ଭ ପ୍ରତି ଓ ତୁମ୍ଭର ସମସ୍ତ ବନ୍ଧୁ ପ୍ରତି ଆଶଙ୍କାଜନକ କରିବା; ପୁଣି, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଖଡ୍ଗ ଦ୍ୱାରା ହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ; ଆଉ, ଆମ୍ଭେ ସମୁଦାୟ ଯିହୁଦାକୁ ବାବିଲର ରାଜା ହସ୍ତରେ ସମର୍ପଣ କରିବା, ତହିଁରେ ସେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ଘେନିଯାଇ ଖଡ୍ଗରେ ବଧ କରିବ।5ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।6ପୁଣି, ହେ ପଶ୍ହୂର, ତୁମ୍ଭେ ତୁମ୍ଭ ଗୃହନିବାସୀ ସମସ୍ତଙ୍କ ସଙ୍ଗେ ବନ୍ଦୀତ୍ୱ ସ୍ଥାନକୁ ଯିବ ଓ ତୁମ୍ଭେ ବାବିଲରେ ଉପସ୍ଥିତ ହେବ, ଆଉ ସେଠାରେ ତୁମ୍ଭେ ମରିବ ଓ ସେଠାରେ କବର ପାଇବ, ତୁମ୍ଭର ଓ ତୁମ୍ଭେ ଯେଉଁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କଲ, ତୁମ୍ଭର ସେହି ବନ୍ଧୁ ସମସ୍ତଙ୍କର ଏହି ଦଶା ହେବ।”7ହେ ସଦାପ୍ରଭୁ, ତୁମ୍ଭେ ମୋତେ ଭୁଲାଇଅଛ, ଆଉ ମୁଁ ଭ୍ରାନ୍ତ ହୋଇଅଛି;ତୁମ୍ଭେ ମୋʼ ଅପେକ୍ଷା ବଳବାନ, ତୁମ୍ଭେ ଜୟ କରିଅଛ;ମୁଁ ସାରାଦିନ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରନ୍ତି।8କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ;“ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚସ୍ୱର କରେ;”କାରଣ ସଦାପ୍ରଭୁଙ୍କର ବାକ୍ୟ ମୋʼ ପ୍ରତି ସାରାଦିନଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି।9ଯଦି ପୁଣି, “ମୁଁ ତାହାଙ୍କ ବିଷୟ କହିବି ନାହିଁ,କିଅବା ତାହାଙ୍କ ନାମରେ ଆଉ କଥା କହିବି ନାହିଁ,”ଯଦି ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେରୁଦ୍ଧ ଦାହକାରୀ ଅଗ୍ନି ମୋʼ ହୃଦୟରେ ଥିଲା ପରି ହୁଏ,ଆଉ ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନ ପାରେ।10କାରଣ ମୁଁ ଅନେକଙ୍କର ଅପବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା ଅଛି।ମୋର ଝୁଣ୍ଟିବାର ଅପେକ୍ଷାକାରୀ ଆତ୍ମୀୟ ମିତ୍ର ସମସ୍ତେ କହନ୍ତି,“ତୁମ୍ଭେମାନେ ଅଭିଯୋଗ କର, ଆମ୍ଭେମାନେ ହିଁ ତାହାର ଅଭିଯୋଗ କରିବା;କେଜାଣି ସେ ଭୁଲିଯିବ, ତହିଁରେ ଆମ୍ଭେମାନେ ତାହାକୁ ପରାସ୍ତ କରିତାହାଠାରୁ ପରିଶୋଧ ନେବା।”11ମାତ୍ର ସଦାପ୍ରଭୁ ଭୟାନକ ବୀର ପରି ମୋʼ ସଙ୍ଗରେ ଅଛନ୍ତି;ଏହେତୁ ମୋର ତାଡ଼ନାକାରୀମାନେ ଝୁଣ୍ଟି ପଡ଼ିବେ ଓ ସେମାନେ ଜୟଯୁକ୍ତ ହେବେ ନାହିଁ;ସେମାନେ ବିବେଚନାପୂର୍ବକ କାର୍ଯ୍ୟ ନ କରିବାରୁ ଅତ୍ୟନ୍ତ ଲଜ୍ଜିତ ହେବେ,ସେ ଅପମାନ ନିତ୍ୟସ୍ଥାୟୀ ହେବ, ତାହା କେବେ ବିସ୍ମୃତ ହେବ ନାହିଁ।12ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ଧାର୍ମିକର ପରୀକ୍ଷକ,ତୁମ୍ଭେ ମର୍ମ ଓ ଅନ୍ତଃକରଣ ଦେଖୁଅଛ,ସେମାନଙ୍କ ପ୍ରତି ତୁମ୍ଭର ଦତ୍ତ ପ୍ରତିଫଳ ମୋତେ ଦେଖାଅ;କାରଣ ତୁମ୍ଭଙ୍କୁ ମୁଁ ଆପଣା ଗୁହାରି ଜଣାଇଅଛି।13ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ସଦାପ୍ରଭୁଙ୍କର ପ୍ରଶଂସା କର;କାରଣ ସେ ଦୁଷ୍କର୍ମକାରୀମାନଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରିଅଛନ୍ତି।14ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉ;ମୋʼ ମାତା ଯେଉଁ ଦିନ ମୋତେ ପ୍ରସବ କଲେ, ସେ ଦିନ ଆଶୀର୍ବାଦ ପ୍ରାପ୍ତ ନ ହେଉ।15ତୁମ୍ଭର ପୁତ୍ରସନ୍ତାନ ହୋଇଅଛି ବୋଲି ସମ୍ବାଦ ଦେଇଯେଉଁ ଲୋକ ମୋର ପିତାଙ୍କୁ ଅତି ଆନନ୍ଦିତ କରିଥିଲା, ସେ ଶାପଗ୍ରସ୍ତ ହେଉ।16ପୁଣି, ସଦାପ୍ରଭୁ କ୍ଷମା ନ କରି ଯେସକଳ ନଗର ବିନାଶ କରିଥିଲେ,ସେ ଲୋକ ସେହି ସବୁ ନଗର ତୁଲ୍ୟ ହେଉ;ଆଉ, ସେ ଲୋକ ପ୍ରାତଃକାଳରେ କ୍ରନ୍ଦନଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ;17କାରଣ ସେ ମୋତେ ଗର୍ଭରୁ ମାରି ପକାଇଲା ନାହିଁ;ତାହା କରିଥିଲେ, ମୋହର ମାତା ମୋର କବର ସ୍ୱରୂପ ହୋଇଥାʼନ୍ତେଓ ତାଙ୍କ ଗର୍ଭ ନିତ୍ୟ ଭାରୀ ଥାʼନ୍ତା।18ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି?