ଯିରିମୀୟ13ory_irv

ଶଣବସ୍ତ୍ରର କଟିବନ୍ଧ

1ସଦାପ୍ରଭୁ ମୋତେ ଏହି କଥା କହିଲେ, “ତୁମ୍ଭେ ଯାଇ ମସିନା ନିର୍ମିତ ଏକ ପଟୁକା କିଣି ତାହା ଆପଣା କଟିଦେଶରେ ବାନ୍ଧ ଓ ଜଳରେ ତାହା ରଖ ନାହିଁ।”2ତହିଁରେ ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ପଟୁକା କିଣି ଆପଣା କଟିଦେଶରେ ବାନ୍ଧିଲି।3ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,4“ଯଥା, ଉଠ, ତୁମ୍ଭ କଟିଦେଶରେ ଥିବା ଯେଉଁ ପଟୁକା ତୁମ୍ଭେ କିଣିଅଛ, ତାହା ନେଇ ଫରାତ୍‍ ନଦୀ ନିକଟକୁ ଯାଇ, ସେଠାସ୍ଥିତ ଏକ ଶୈଳ ଛିଦ୍ରରେ ଲୁଚାଇ ରଖ।”5ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୁଁ ଯାଇ ଫରାତ୍‍ ନଦୀ ନିକଟରେ ତାହା ଲୁଚାଇ ରଖିଲି।6ପୁଣି, ଅନେକ ଦିନ ଉତ୍ତାରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଉଠି ଫରାତ୍‍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଚାଇ ରଖିବା ପାଇଁ ଆମ୍ଭେ ଆଜ୍ଞା କଲୁ, ତାହା ସେଠାରୁ ନିଅ।”7ତେବେ ମୁଁ ଫରାତ୍‍ ନଦୀ ନିକଟକୁ ଯାଇ ସେହି ପଟୁକା ଲୁଚାଇ ରଖିଥିବା ସ୍ଥାନ ଖୋଳି ତାହା ନେଲି; ଆଉ ଦେଖ, ସେ ପଟୁକା ନଷ୍ଟ ହୋଇଅଛି, ତାହା ଆଉ କୌଣସି କର୍ମର ଯୋଗ୍ୟ ନୁହେଁ।8ତେବେ “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,9ଯଥା, ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ପ୍ରକାରେ ଯିହୁଦାର ଦର୍ପ ଓ ଯିରୂଶାଲମର ମହାଦର୍ପ ଚୂର୍ଣ୍ଣ କରିବା।10ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହୋଇ ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଚାଲନ୍ତି ଓ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍‍ଗମନ କରିଅଛନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।11କାରଣ ସଦାପ୍ରଭୁ କହନ୍ତି, ମନୁଷ୍ୟର କଟିଦେଶରେ ପଟୁକା ଯେରୂପ ସଂଲଗ୍ନ ଥାଏ, ତଦ୍ରୂପ ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା-ବଂଶକୁ ଆମ୍ଭର ଲୋକ, କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ କରିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ; ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।

ଦ୍ରାକ୍ଷା କଳସ

12ଏହେତୁ ତୁମ୍ଭେ ସେମାନଙ୍କୁ ଏହି କଥା କହିବ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ପ୍ରତ୍ୟେକ କଳସ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ;’ ତହିଁରେ ସେମାନେ ତୁମ୍ଭକୁ କହିବେ, ‘ପ୍ରତ୍ୟେକ କଳସ ଯେ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ, ଏହା କʼଣ ଆମ୍ଭେମାନେ ଜାଣୁ ନାହୁଁ?’13ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ, ଅର୍ଥାତ୍‍ ଦାଉଦର ସିଂହାସନୋପବିଷ୍ଟ ରାଜାଗଣଙ୍କୁ ଓ ଯାଜକମାନଙ୍କୁ, ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଓ ଯିରୂଶାଲମ ନିବାସୀ ସମସ୍ତଙ୍କୁ ମତ୍ତତାରେ ପୂର୍ଣ୍ଣ କରିବା।14ପୁଣି, ଆମ୍ଭେ ସେମାନଙ୍କର ଏକ ଜଣକୁ ଅନ୍ୟ ଜଣର ଉପରେ, ହଁ, ପିତୃଗଣକୁ ଓ ପୁତ୍ରଗଣକୁ ଏକ ସଙ୍ଗେ କଚାଡ଼ି ପକାଇବା, ଏହା ସଦାପ୍ରଭୁ କହନ୍ତି; ଆମ୍ଭେ ସେମାନଙ୍କ ପ୍ରତି କୃପା କିଅବା ଦୟା ଅଥବା କରୁଣା ନ କରି ସେମାନଙ୍କୁ ନଷ୍ଟ କରିବା।’”

ଅହଙ୍କାରୀଙ୍କୁ ସତର୍କବାଣୀ

15ତୁମ୍ଭେମାନେ ଶୁଣ ଓ କର୍ଣ୍ଣପାତ କର; ଅହଙ୍କାର କର ନାହିଁ;କାରଣ ସଦାପ୍ରଭୁ କଥା କହିଅଛନ୍ତି।16ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅନ୍ଧକାର ଉପସ୍ଥିତ କରିବା ପୂର୍ବେଓ ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କ ଚରଣ ଝୁଣ୍ଟିବା ପୂର୍ବେ;ପୁଣି, ତୁମ୍ଭେମାନେ ଆଲୁଅର ଅପେକ୍ଷା କରୁ କରୁ ସେ ତାହା ମୃତ୍ୟୁୁଚ୍ଛାୟାରେଓ ଘୋର ଅନ୍ଧକାରରେ ପରିଣତ କରିବା ପୂର୍ବେ, ତୁମ୍ଭେମାନେ ତାହାଙ୍କୁ ଗୌରବ ଦିଅ।17ମାତ୍ର ଯଦି ତୁମ୍ଭେମାନେ ଏ କଥା ଶୁଣିବ ନାହିଁ,ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବୁହାଇବ।18ତୁମ୍ଭେ ରାଜାକୁ ଓ ରାଜମାତାକୁ କୁହ, “ତୁମ୍ଭେମାନେ ଆପଣାମାନଙ୍କୁ ନମ୍ର କରି ବସ;କାରଣ ତୁମ୍ଭମାନଙ୍କର ମସ୍ତକାଭରଣ, ଅର୍ଥାତ୍‍, ଗୌରବ ମୁକୁଟ ତଳେ ପଡ଼ିଅଛି।19ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛିଓ ତାହା ଫିଟାଇବାକୁ କେହି ନାହିଁ; ସମୁଦାୟ ଯିହୁଦା ନିର୍ବାସିତ ହୋଇଅଛି;ତାହା ସମ୍ପୂର୍ଣ୍ଣ ରୂପେ ନିର୍ବାସିତ ହୋଇଅଛି।20ତୁମ୍ଭେମାନେ ଚକ୍ଷୁ ଖୋଲି ଉତ୍ତର ଦିଗରୁ ଆସନ୍ତା ଲୋକମାନଙ୍କୁ ଦେଖ;ତୁମ୍ଭକୁ ଯେଉଁ ପଲ ଦତ୍ତ ହୋଇଥିଲା, ତୁମ୍ଭର ସେହି ସୁନ୍ଦର ପଲ କାହିଁ?21ତୁମ୍ଭେ ଯେଉଁମାନଙ୍କୁ ନିଜେ ଆପଣା ବିରୁଦ୍ଧରେ ଶିକ୍ଷା ଦେଇଅଛ,ତୁମ୍ଭର ସେହି ମିତ୍ରମାନଙ୍କୁ ଯେତେବେଳେ ସେ ତୁମ୍ଭର ମସ୍ତକ ସ୍ୱରୂପ କରି ନିଯୁକ୍ତ କରିବେ,ସେତେବେଳେ ତୁମ୍ଭେ କଅଣ କହିବ? ପ୍ରସବକାଳରେ ଯେପରି ସ୍ତ୍ରୀଲୋକ,ସେହିପରି ତୁମ୍ଭେ କି ବେଦନାଗ୍ରସ୍ତ ହେବ ନାହିଁ?22ପୁଣି ଯଦି ତୁମ୍ଭେ ମନେ ମନେ ପଚାରିବ,ମୋʼ ପ୍ରତି ଏପରି ଦଶା କାହିଁକି ଘଟିଲା?(ତେବେ ଶୁଣ,) ତୁମ୍ଭ ଅଧର୍ମର ବାହୁଲ୍ୟରୁ ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛିଓ ତୁମ୍ଭର ଗୋଇଠି ଦୌରାତ୍ମ୍ୟ ଭୋଗ କରୁଅଛି।23କୂଶୀୟ ଲୋକ କି ଆପଣା ଚର୍ମଓ ଚିତାବାଘ କି ଆପଣା ଚିତ୍ରବର୍ଣ୍ଣ ବଦଳାଇ ପାରେ?ତାହାହେଲେ, କୁକର୍ମ କରିବାକୁ ଅଭ୍ୟସ୍ତ ଯେ ତୁମ୍ଭେମାନେ,ତୁମ୍ଭେମାନେ କି ସୁକର୍ମ କରି ପାରିବ?24ଏନିମନ୍ତେ ପ୍ରାନ୍ତରସ୍ଥ ବାୟୁ ସମ୍ମୁଖରେ ଉଡ଼ନ୍ତା ନଡ଼ା ପରିଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବା।25ସଦାପ୍ରଭୁ କହନ୍ତି, ଆମ୍ଭଠାରୁ ଏହି ତୁମ୍ଭର ବାଣ୍ଟ ଓ ପରିମିତ ଅଂଶ;କାରଣ ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ମିଥ୍ୟାରେ ବିଶ୍ୱାସ କରିଅଛ।26ଏନିମନ୍ତେ ଆମ୍ଭେ ହିଁ ତୁମ୍ଭ ବସ୍ତ୍ରର ଅଞ୍ଚଳତୁମ୍ଭ ମୁଖ ପର୍ଯ୍ୟନ୍ତ ଟେକିବା ଓ ତୁମ୍ଭର ଲଜ୍ଜା ଦେଖାଯିବ।27ଆମ୍ଭେ କ୍ଷେତ୍ରସ୍ଥ ଗିରିଗଣ ଉପରେ ତୁମ୍ଭର ଘୃଣ୍ୟ କର୍ମ, ତୁମ୍ଭର ବ୍ୟଭିଚାର,ତୁମ୍ଭର ହିଁ ହିଁ ହେବାର ଓ ତୁମ୍ଭର ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ।ହେ ଯିରୂଶାଲମ, ତୁମ୍ଭେ ସନ୍ତାପର ପାତ୍ର! ତୁମ୍ଭେ ଶୁଚିକୃତ ହେବାକୁ ମଙ୍ଗୁ ନାହଁ;ଆହୁରି କେତେ କାଳ ଏପରି ହେବ?”