ଈଶ୍ୱରଙ୍କ ଲୋକଙ୍କ ବିଜୟ
1ସେହି ଦିନ ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ;“ଆମ୍ଭମାନଙ୍କର ଗୋଟିଏ ଦୃଢ଼ ନଗର ଅଛି; ସେ ପରିତ୍ରାଣକୁ ତହିଁର ପ୍ରାଚୀର ଓ ପରିଖା ସ୍ୱରୂପ କରିବେ।2ସତ୍ୟପାଳନକାରୀ ଧାର୍ମିକ ଗୋଷ୍ଠୀ ଯେପରି ପ୍ରବେଶ କରି ପାରିବେ, ଏଥିପାଇଁ ତୁମ୍ଭେମାନେ ନଗରର ଦ୍ୱାରସବୁ ମୁକ୍ତ କର।3ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ; କାରଣ ସେ ତୁମ୍ଭଠାରେ ନିର୍ଭର ରଖେ।4ତୁମ୍ଭେମାନେ ସଦାକାଳ ସଦାପ୍ରଭୁଙ୍କଠାରେ ନିର୍ଭର ରଖ; କାରଣ ସଦାପ୍ରଭୁ ଯିହୋବାଃଙ୍କଠାରେ ଅନନ୍ତକାଳସ୍ଥାୟୀ ଶୈଳ ଅଛି।5ପୁଣି, ସେ ଊର୍ଦ୍ଧ୍ୱସ୍ଥାନ ନିବାସୀମାନଙ୍କୁ, ଉନ୍ନତ ନଗରକୁ ଅବନତ କରିଅଛନ୍ତି;ସେ ତାହା ଅବନତ କରି ଭୂମିସାତ୍ କରନ୍ତି; ସେ ତାହାକୁ ଧୂଳିରେ ମିଶାଇ ଦିଅନ୍ତି।6ପାଦ, ଦରିଦ୍ରମାନଙ୍କର ପାଦ ଓ ଦୀନହୀନମାନଙ୍କ ପାଦବିକ୍ଷେପ ତାହା ଦଳିତ କରିବ।”7ଧାର୍ମିକର ମାର୍ଗ ସରଳ; ଯଥାର୍ଥିକ ଯେ ତୁମ୍ଭେ, ତୁମ୍ଭେ ଧାର୍ମିକର ପଥ ଦେଖାଉଅଛ।8ହେ ସଦାପ୍ରଭୋ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗରେ ତୁମ୍ଭ ଅପେକ୍ଷାରେ ରହିଅଛୁ;ତୁମ୍ଭର ନାମ ଓ ତୁମ୍ଭର ସ୍ମରଣ ଚିହ୍ନ ପ୍ରତି ଆମ୍ଭମାନଙ୍କର ପ୍ରାଣର ଆକାଂକ୍ଷା ଅଛି।9ରାତ୍ରିକାଳରେ ମୁଁ ଆପଣା ପ୍ରାଣ ସହିତ ତୁମ୍ଭର ଆକାଂକ୍ଷା କରିଅଛି; ହଁ, ମୁଁ ଆପଣା ଅନ୍ତରସ୍ଥ ଆତ୍ମା ସହିତ ଶୀଘ୍ର ତୁମ୍ଭର ଅନ୍ୱେଷଣ କରିବି;କାରଣ ପୃଥିବୀରେ ତୁମ୍ଭର ଶାସନସକଳ ପ୍ରକାଶିତ ହେଲେ ଜଗନ୍ନିବାସୀମାନେ ଧର୍ମ ଶିକ୍ଷା କରନ୍ତି।10ଦୁଷ୍ଟ ଲୋକ ପ୍ରତି ଦୟା ପ୍ରକାଶ କରାଗଲେ ହେଁ ସେ ଧର୍ମ ଶିଖିବ ନାହିଁ; ସରଳତାର ଦେଶରେ ସେ ଅନ୍ୟାୟ କରିବଓ ସଦାପ୍ରଭୁଙ୍କର ମହିମାକୁ ଅନାଇବ ନାହିଁ।11ହେ ସଦାପ୍ରଭୋ, ତୁମ୍ଭର ହସ୍ତ ଉତ୍ଥିତ ହୋଇଅଛି, ତଥାପି ସେମାନେ ଦେଖନ୍ତି ନାହିଁ,ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଉଦ୍ଯୋଗ ଦେଖି ସେମାନେ ଲଜ୍ଜିତ ହେବେ; ହଁ, ଅଗ୍ନି ତୁମ୍ଭ ବିପକ୍ଷଗଣକୁ ଗ୍ରାସ କରିବ।12ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଶାନ୍ତି ନିରୂପଣ କରିବ; କାରଣ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କର ସକଳ କାର୍ଯ୍ୟ ସାଧନ କରିଅଛ।13ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ଛଡ଼ା ଅନ୍ୟ ପ୍ରଭୁମାନେ ଆମ୍ଭମାନଙ୍କ ଉପରେ ରାଜତ୍ୱ କରିଥିଲେ, ମାତ୍ର କେବଳ ତୁମ୍ଭ ଦ୍ୱାରା ଆମ୍ଭେମାନେ ତୁମ୍ଭ ନାମର କୀର୍ତ୍ତନ କରିବା।14ସେମାନେ ମରିଅଛନ୍ତି, ସେମାନେ ଆଉ ଜୀବିତ ହେବେ ନାହିଁ; ସେମାନେ ମୃତ ହୋଇଅଛନ୍ତି, ସେମାନେ ଉଠିବେ ନାହିଁ;ଏହେତୁ ତୁମ୍ଭେ ପ୍ରତିଫଳ ଦେଇ ସେମାନଙ୍କୁ ସଂହାର କରିଅଛ ଓ ସେମାନଙ୍କ ସ୍ମରଣ ଲୁପ୍ତ କରିଅଛ।15ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ, ହେ ସଦାପ୍ରଭୋ, ତୁମ୍ଭେ ଏହି ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ; ତୁମ୍ଭେ ଗୌରବାନ୍ୱିତ ହୋଇଅଛ;ତୁମ୍ଭେ ଦେଶର ସୀମାସକଳ ବିସ୍ତାର କରିଅଛ।16ହେ ସଦାପ୍ରଭୋ, ସଙ୍କଟ ସମୟରେ ସେମାନେ ତୁମ୍ଭର ଅନ୍ୱେଷଣ କରିଅଛନ୍ତି, ତୁମ୍ଭର ଶାସ୍ତି ସେମାନଙ୍କ ଉପରେ ଥିବା ବେଳେ ସେମାନେ ପ୍ରାର୍ଥନା ଢାଳି ପକାଇଲେ।17ଗର୍ଭିଣୀ ପ୍ରସବକାଳର ନିକଟବର୍ତ୍ତୀ ହେବା ବେଳେ ଯେପରି ବ୍ୟଥିତା ହୁଏ ଓ ବେଦନାରେ କ୍ରନ୍ଦନ କରେ,ସେହିପରି ହେ ସଦାପ୍ରଭୋ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ହୋଇଅଛୁ।18ଆମ୍ଭେମାନେ ଗର୍ଭିଣୀ ହୋଇଅଛୁ, ଆମ୍ଭେମାନେ ବ୍ୟଥିତା ହୋଇ ବାୟୁ ପ୍ରସବ କରିଅଛୁ; ଆମ୍ଭେମାନେ ଦେଶର ଉଦ୍ଧାର ସାଧନ କରି ନାହୁଁ;କିଅବା ଜଗନ୍ନିବାସୀମାନେ ଭୂମିଷ୍ଠ ହୋଇ ନାହାନ୍ତି।19ତୁମ୍ଭର ମୃତମାନେ ଜୀବିତ ହେବେ; ମୋହର ଶବସବୁ ଉଠିବେ। ହେ ଧୂଳିନିବାସୀମାନେ, ତୁମ୍ଭେମାନେ ଉଠି ଗାନ କର;କାରଣ ତୁମ୍ଭର ଶିଶିର ତୃଣର ଶିଶିର ତୁଲ୍ୟ ଓ ଭୂମି ମୃତମାନଙ୍କୁ ବାହାର କରିଦେବ।20ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର;କ୍ରୋଧ ବହି ଯିବାଯାଏ ଅଳ୍ପକ୍ଷଣ ଆପଣାକୁ ଲୁଚାଅ।21କାରଣ ଦେଖ, ସଦାପ୍ରଭୁ ପୃଥିବୀ ନିବାସୀମାନଙ୍କର ଅପରାଧ ସକାଶେ ସେମାନଙ୍କୁ ଶାସ୍ତି ଦେବା ପାଇଁ ଆପଣା ସ୍ଥାନରୁ ବାହାର ହୋଇ ଆସୁଅଛନ୍ତି;ପୃଥିବୀ ହିଁ ଆପଣା ମଧ୍ୟସ୍ଥ ରକ୍ତ ପ୍ରକାଶ କରିବ ଓ ଆପଣା ହତ ଲୋକମାନଙ୍କୁ ଆଉ ଆଚ୍ଛାଦନ କରିବ ନାହିଁ।