ଆଦି ପୁସ୍ତକ50ory_irv
1ସେତେବେଳେ ଯୋଷେଫ ଆପଣା ପିତାଙ୍କର ମୁଖରେ ମୁଖ ଦେଇ ରୋଦନ କରି ଚୁମ୍ବନ କଲେ।2ପୁଣି, ଯୋଷେଫ ଆପଣା ପିତାଙ୍କର ଶବ ପୂତିଘ୍ନ ଦ୍ରବ୍ୟାକ୍ତ କରିବା ପାଇଁ ଆପଣା ଦାସ ବୈଦ୍ୟମାନଙ୍କୁ ଆଜ୍ଞା ଦେଲେ; ତହିଁରେ ବୈଦ୍ୟମାନେ ଇସ୍ରାଏଲଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କଲେ।3ତାହା ପାଇଁ ଚାଳିଶ ଦିନ ଲାଗିଲା; ଯେହେତୁ ପୂତିଘ୍ନ ଦ୍ରବ୍ୟାକ୍ତ କରିବାକୁ ଚାଳିଶ ଦିନ ଲାଗେ; ପୁଣି, ମିସରୀୟ ଲୋକମାନେ ତାଙ୍କ ନିମନ୍ତେ ସତୁରି ଦିନ ଯାଏ ଶୋକ କଲେ।4ସେହି ଶୋକ ଦିନ ଗତ ହୁଅନ୍ତେ, ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ଯଦି ମୁଁ ତୁମ୍ଭମାନଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ବିନୟ କରୁଅଛି, ଫାରୋଙ୍କ କର୍ଣ୍ଣଗୋଚରେ ଏହି କଥା କୁହ,5ମୋʼ ପିତା ମୋତେ ଶପଥ କରାଇ କହିଅଛନ୍ତି, ‘ଦେଖ, ଆମ୍ଭେ ମଲେ, କିଣାନ ଦେଶରେ ଆପଣା ନିମନ୍ତେ ଯେଉଁ କବର ଖନନ କରିଅଛୁ, ତହିଁରେ ଆମ୍ଭକୁ କବର ଦେବ।’ ଏଣୁ ଏବେ ମୋତେ ଯିବାକୁ ଦିଅନ୍ତୁ, ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।”6ତହିଁରେ ଫାରୋ କହିଲେ, “ଯାଅ, ତୁମ୍ଭ ପିତା ତୁମ୍ଭକୁ ଯେଉଁ ଶପଥ କରାଇଅଛନ୍ତି, ତୁମ୍ଭେ ତଦନୁସାରେ ତାଙ୍କୁ କବର ଦିଅ।”7ତହୁଁ ଯୋଷେଫ ଆପଣା ପିତାଙ୍କୁ କବର ଦେବାକୁ ଯାତ୍ରା କଲେ; ତହିଁରେ ଫାରୋଙ୍କର ଦାସମାନେ ଓ ତାଙ୍କ ଗୃହର ପ୍ରଧାନ ଲୋକମାନେ ଓ ମିସର ଦେଶର ପ୍ରଧାନ ଲୋକମାନେ,8ପୁଣି, ଯୋଷେଫଙ୍କର ସମସ୍ତ ପରିବାର ଓ ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃପରିବାର ତାଙ୍କ ସଙ୍ଗେ ଗମନ କଲେ; ଗୋଶନ ପ୍ରଦେଶରେ ସେମାନେ କେବଳ ଆପଣାମାନଙ୍କ ବାଳକଗଣ ଓ ମେଷପଲ ଓ ଗୋପଲ ଛାଡ଼ିଗଲେ।9ତାଙ୍କ ସଙ୍ଗରେ ରଥ ଓ ଅଶ୍ୱାରୋହୀଗଣ ଗମନ ଗଲେ; ତହିଁରେ ଅତିଶୟ ସମାରୋହ ହେଲା।10ଏଥିଉତ୍ତାରେ ସେମାନେ ଯର୍ଦ୍ଦନ ପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ମହା ବିଳାପ କରି ରୋଦନ କଲେ; ଯୋଷେଫ ସେଠାରେ ଆପଣା ପିତାଙ୍କ ଲାଗି ସାତ ଦିନ ପର୍ଯ୍ୟନ୍ତ ଶୋକ କଲେ।11ପୁଣି, ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସରୀୟମାନଙ୍କର ଏ ଅତି ଦାରୁଣ ଶୋକ,” ତେଣୁକରି ଯର୍ଦ୍ଦନ ପାରସ୍ଥ ସେହି ସ୍ଥାନ ଆବେଲ୍ ମିସରନାମରେ ବିଖ୍ୟାତ ହେଲା।12ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ତାଙ୍କ ପ୍ରତି ତଦନୁସାରେ କଲେ;13ଅର୍ଥାତ୍, ତାଙ୍କର ପୁତ୍ରମାନେ ତାଙ୍କୁ କିଣାନ ଦେଶକୁ ନେଇ ମକ୍ପେଲା କ୍ଷେତ୍ରରେ ମଧ୍ୟବର୍ତ୍ତୀ ଗୁହାରେ କବର ଦେଲେ; ସେହି ଗୁହା ମମ୍ରିର ସମ୍ମୁଖସ୍ଥ କ୍ଷେତ୍ର ସହିତ କବର ସ୍ଥାନାଧିକାର ନିମିତ୍ତ ହିତ୍ତୀୟ ଇଫ୍ରୋଣଠାରୁ ଅବ୍ରହାମଙ୍କ ଦ୍ୱାରା କ୍ରୀତ ହୋଇଥିଲା।14ଯୋଷେଫ ଆପଣା ପିତାଙ୍କୁ କବର ଦେଲା ଉତ୍ତାରେ ସେ ଓ ତାଙ୍କର ଭ୍ରାତୃଗଣ ପ୍ରଭୃତି ଯେତେ ଲୋକ ତାଙ୍କ ପିତାଙ୍କର କବର ଦେବାକୁ ତାଙ୍କ ସଙ୍ଗେ ଯାଇଥିଲେ, ସମସ୍ତେ ମିସରକୁ ପ୍ରତ୍ୟାଗମନ କଲେ।