ଦାଉଦଙ୍କ ଶେଷ କଥା
1“ଯିଶୀର ପୁତ୍ର ଦାଉଦ,ଯେ ବ୍ୟକ୍ତି ଉଚ୍ଚୀକୃତ,ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତଓ ଇସ୍ରାଏଲର ମଧୁର ଗାୟକ,ଦାଉଦଙ୍କର ଶେଷ କଥା ଏହି;2ମୋʼ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେଓ ତାହାଙ୍କର ବାକ୍ୟ ମୋʼ ଜିହ୍ୱାରେ ଥିଲା।3ଇସ୍ରାଏଲର ପରମେଶ୍ୱର କହିଲେ,ଇସ୍ରାଏଲର ଶୈଳ ମୋତେ କହିଲେ;ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ,ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ।4ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ,ମେଘରହିତ ପ୍ରଭାତ ତୁଲ୍ୟ ହେବ;ସେହି ସମୟରେ ବୃଷ୍ଟି ଉତ୍ତାରେ ନିର୍ମଳ କିରଣ ଦ୍ୱାରାଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ।5ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି?ସେ ମୋʼ ସହିତ ସର୍ବ ବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି?ସେ କି ମୋର ରକ୍ଷା କରିବେ ନାହିଁ?6ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ୱରୂପ,କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି;7ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ,ଲୌହ ଓ ବର୍ଚ୍ଛାଦଣ୍ଡରେ ତାହାକୁ ସଜ୍ଜିତ ହେବାକୁ ହେବ;ସେମାନେ ଆପଣା ଆପଣା ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବେ।”ଦାଉଦଙ୍କ ପ୍ରଖ୍ୟାତ ଯୋଦ୍ଧାଗଣ
8ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ଆଠ ଶହ ଲୋକର ହତ୍ୟା କଲା।9ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ ଲୋକମାନେ ପଳାନ୍ତେ,10ସେ ଉଠି ଆପଣା ହସ୍ତ କ୍ଳାନ୍ତ ଓ ଆପଣା ହସ୍ତ ଖଡ୍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେହି ଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ସୈନ୍ୟଦଳ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ।11ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ। ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୁରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ।12ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ।13ଆଉ ତିରିଶ ଜଣ ପ୍ରଧାନ ସୈନ୍ୟମାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ।14ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।15ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପ ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”16ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ।17ପୁଣି ସେ କହିଲେ, “ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼ ଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ।” ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।18ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା। ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।19ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟନ୍ତ ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।20ଆଉ ପରାକ୍ରାନ୍ତ କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।21ଆହୁରି ସେ ଏକ ଜଣ ମିସରୀୟ ବଳବାନ ପୁରୁଷକୁ ବଧ କଲା ଓ ସେହି ମିସରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା ନିକଟକୁ ଗଲା ଓ ସେହି ମିସରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।22ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା।23ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ।24ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;25ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା;26ପଲ୍ଟୀୟ ହେଲସ୍, ତକୋୟୀୟ ଇକ୍କେଶର ପୁତ୍ର ଈରା;27ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ;28ଅହୋହୀୟ ସଲମୋନ୍, ନଟୋଫାତୀୟ ମହରୟ;29ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ୍ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ;30ପିରୀୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ;31ଅର୍ବତୀୟ ଅବିୟେଲ୍ବୋନ, ବରହୂମୀୟ ଅସ୍ମାବତ୍;32ଶାଲ୍ବୋନୀୟ ଇଲୀୟହବା, ଯାଶେନ୍ର ପୁତ୍ରଗଣ, ଯୋନାଥନ;33ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ;34ମାଖାଥୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ;35କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ;36ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନି;37ଅମ୍ମୋନୀୟ ସେଲକ୍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;38ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍;39ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ।