୨ ଯୋହନ1ory_irv

ଅଭିବାଦନ

1ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।2ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ।3ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।

ସତ୍ୟ ଓ ପ୍ରେମରେ ଆଚରଣ

4ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।5ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।6ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।7କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।8ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।9ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।10କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;11କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।

ଶେଷ ଶୁଭେଚ୍ଛା

12ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।13ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।