ଦ୍ୱିତୀୟ ବଂଶାବଳୀ1ory_irv

ଗିବୀୟୋନ୍‍ରେ ଶଲୋମନଙ୍କ ପ୍ରାର୍ଥନା

1ଏଥିଉତ୍ତାରେ ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ।2ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ।3ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା।4ମାତ୍ର ଦାଉଦ କିରୀୟଥ୍‍-ଯିୟାରୀମ୍‍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ।5ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ।6ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।

ଜ୍ଞାନ ନିମନ୍ତେ ଶଲୋମନଙ୍କ ପ୍ରାର୍ଥନା

7ସେହି ରାତ୍ରି ପରମେଶ୍ୱର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭକୁ କʼଣ ଦେବା, ତାହା ମାଗ।”8ତହିଁରେ ଶଲୋମନ ପରମେଶ୍ୱରଙ୍କୁ କହିଲେ, “ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ।9ଏବେ, ହେ ସଦାପ୍ରଭୋ ପରମେଶ୍ୱର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ।10ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକୁ କିଏ ବିଚାର କରି ପାରିବ?”11ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ;12ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”

ରାଜା ଶଲୋମନଙ୍କୁ ସମ୍ପତ୍ତି ପ୍ରଦାନ

13ତହୁଁ ଶଲୋମନ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ବୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ।14ଏଉତ୍ତାରେ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ; ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।15ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ।16ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ।17ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ଶେକଲରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ ଏକ ଶହ ପଚାଶ ଶେକଲରୌପ୍ୟ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେହି ସବୁ ଅଣାଯିବାର ରୀତି ଥିଲା।