ପ୍ରଥମ ରାଜାବଳୀ4ory_irv

ଶଲୋମନଙ୍କ ଅଧିକାରୀଗଣ

1ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ।2ଏମାନେ ତାଙ୍କର ଅଧିପତି ଥିଲେ, ଯଥା, ସାଦୋକର ପୁତ୍ର ଅସରୀୟ ଯାଜକ ଥିଲେ।3ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ4ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ;5ନାଥନର ପୁତ୍ର ଅସରୀୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନର ପୁତ୍ର ସାବୁଦ୍‍ ଯାଜକ ଓ ରାଜାଙ୍କ ମିତ୍ର ଥିଲା।6ପୁଣି, ଅହୀଶାର୍‍ ଗୃହାଧ୍ୟକ୍ଷ ଥିଲା ଓ ଅବ୍‍ଦର ପୁତ୍ର ଅଦୋନୀରାମ୍‍ ବେଠିକର୍ମର ଅଧ୍ୟକ୍ଷ ଥିଲା।7ଆଉ ସମଗ୍ର ଇସ୍ରାଏଲ ଉପରେ ଶଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ, ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ପ୍ରତି ଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ।8ଆଉ ସେମାନଙ୍କର ନାମ ଏହି; ଇଫ୍ରୟିମର ପର୍ବତମୟ ଦେଶରେ ବିନ୍‍-ହୂର।9ମାକସ୍‍, ଶାଲବୀମ୍‍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍‍ରେ ବିନ୍‍-ଦେକର;10ଅରୁବୋତରେ ବିନ୍‍-ହେଷଦ୍‍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା;11ସମୁଦାୟ ଦୋର ଉପପର୍ବତରେ ବିନ୍‍-ଅବୀନାଦବ୍‍; ତାହାର ଭାର୍ଯ୍ୟା ଶଲୋମନଙ୍କର କନ୍ୟା ଟାଫତ୍‍ ଥିଲା।12ତାନକ୍‍, ମଗିଦ୍ଦୋ, ବେଥ୍-ଶାନ୍‍ ଠାରୁ ଆବେଲ୍‍-ମହୋଲା ଓ ଯକମୀୟାମ୍‍ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମଗ୍ର ବେଥ୍-ଶାନରେ ଅହୀଲୂଦର ପୁତ୍ର ବାନା।13ରାମୋତ୍‍-ଗିଲୀୟଦରେ ବିନ୍‍-ଗେବର; ମନଃଶିର ପୁତ୍ର ଯାୟୀରର ଗିଲୀୟଦସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା, ଅର୍ଥାତ୍‍ ବାଶନସ୍ଥ ଅର୍ଗୋବ-ଅଞ୍ଚଳରେ ଥିବା ପ୍ରାଚୀର-ବେଷ୍ଟିତ ଓ ପିତ୍ତଳ ଅର୍ଗଳବିଶିଷ୍ଟ ଷାଠିଏ ବୃହତ ନଗର ତାହାର ଅଧୀନ ଥିଲା;14ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍‍।15ନପ୍ତାଲିରେ ଅହୀମାସ୍‍; ସେ ଶଲୋମନଙ୍କର କନ୍ୟା ବାସମତ୍‍କୁ ବିବାହ କରିଥିଲା।16ଆଶେର ଓ ବାଲୋତ୍‍ରେହୂଶୟର ପୁତ୍ର ବାନା।17ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍‍;18ବିନ୍ୟାମୀନ୍‍ରେ ଏଲାର ପୁତ୍ର ଶିମୀୟି;19ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍‍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।

ଶଲୋମନଙ୍କ ସମୃଦ୍ଧି

20ଯିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ବହୁସଂଖ୍ୟକ ଥିଲେ।21ପୁଣି, ଶଲୋମନ (ଫରାତ୍‍) ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିସର-ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ; ଶଲୋମନଙ୍କର ଯାବଜ୍ଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ।22ଶଲୋମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ ତିରିଶ ମହଣ ସରୁ ମଇଦାଓ ଷାଠିଏ ମହଣ ସୁଜି,23ଆଉ ଦଶ ପୁଷ୍ଟ ଗୋରୁ ଓ ଚରାସ୍ଥାନରୁ କୋଡ଼ିଏ ଗୋରୁ ଓ ଏକ ଶହ ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା।24କାରଣ, ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ (ଫରାତ୍‍) ନଦୀର ଏପାରିସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ; ପୁଣି, ତାଙ୍କର ଚତୁର୍ଦ୍ଦିଗସ୍ଥ ସବୁଆଡ଼େ ଶାନ୍ତି ଥିଲା।25ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରିବୃକ୍ଷ ମୂଳରେ ନିରାପଦରେ ବାସ କଲେ।26ଆଉ ଶଲୋମନଙ୍କର ରଥ ନିମନ୍ତେ ଚାଳିଶ ସହସ୍ର ଅଶ୍ୱଶାଳା ଓ ବାର ସହସ୍ର ଅଶ୍ୱାରୋହୀ ଥିଲେ।27ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ।28ସେମାନଙ୍କର ପ୍ରତ୍ୟେକ ଜଣ ମଧ୍ୟ ଆପଣା ଆପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଯବ ଓ ତୃଣ ଆଣିଲେ।29ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି, ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ।30ପୂର୍ବଦେଶୀୟ ଓ ମିସରୀୟ ସମସ୍ତ ଲୋକଙ୍କର ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା।31କାରଣ, ସେ ସମସ୍ତ ଲୋକଙ୍କଠାରୁ, ଇଷ୍ରାହୀୟ ଏଥନ୍‍ ଓ ମାହୋଲର ପୁତ୍ର ହେମନ ଓ କଲ୍‍କୋଲ୍‍ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା।32ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା।33ପୁଣି, ସେ ଲିବାନୋନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସୋବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ; ସେ ପଶୁ ଓ ପକ୍ଷୀ ଓ ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ମଧ୍ୟ ବର୍ଣ୍ଣନା କଲେ।34ପୁଣି, ପୃଥିବୀସ୍ଥ ଯେଉଁ ଯେଉଁ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ।