ପ୍ରକାଶିତ ବାକ୍ୟ8
ସପ୍ତମ ମୁଦ୍ରା ଓ ଧୂପଦାନୀ
1ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସ୍ଵର୍ଗରେ ପ୍ରାୟ ଅଧଘଣ୍ଟାକାଳ ନୀରବତା ବିରାଜିଲା।2ଆହୁରି ମଧ୍ୟ, ମୁଁ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି ଏବଂ ସେମାନଙ୍କୁ ସାତଟି ତୂରୀ ଦତ୍ତ ହେଲା।3ସୁବର୍ଣ୍ଣ ଧୂପଦାନୀ ଧରିଥିବା, ଆଉ ଜଣେ ଦୂତ ଆସି, ବେଦି ନିକଟରେ ଠିଆ ହେଲେ। ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସାଧୁମାନଙ୍କ ପ୍ରାର୍ଥନା ସହିତ ଉତ୍ସର୍ଗ କରିବାକୁ, ତାଙ୍କୁ ପ୍ରଚୁର ଧୂପ ଦିଆଗଲା।4ଦୂତଙ୍କ ହସ୍ତରୁ ଧୂପର ଧୂମ, ସାଧୁମାନଙ୍କ ପ୍ରାର୍ଥନା ସହ ମିଶି, ଈଶ୍ୱରଙ୍କ ଛାମୁରେ ଉଠିଲା।5ତତ୍ପରେ ଦୂତ ଧୂପଦାନୀକୁ ନେଇ ବେଦିର ଅଗ୍ନିରେ ପୂର୍ଣ୍ଣ କରି ପୃଥିବୀ ଉପରେ ନିକ୍ଷେପ କଲେ; ଅନନ୍ତର ବଜ୍ରନାଦ ଓ ଗୁରୁଗମ୍ଭୀର ଶଦ୍ଦ ହେଲା, ବିଦ୍ୟୁତାଲୋକ ଝଲସି ଉଠିଲା ଓ ଭୂକମ୍ପନ ହେଲା।ତୂରୀନାଦ
6ତତ୍ପରେ ସାତଟି ତୂରୀ ଧରିଥିବା ସାତ ଜଣ ଦୂତ ତୂରୀ ବଜାଇବାକୁ ପ୍ରସ୍ତୁତ ହେଲେ।7ପ୍ରଥମ ଦୂତ ତୂରୀଧ୍ୱନି କଲେ, ଏବଂ ରକ୍ତମିଶ୍ରିତ ଶିଳା, ଓ ଅଗ୍ନି ବୃଷ୍ଟି ହୋଇ ପୃଥିବୀ ଉପରେ ପଡ଼ିଲା। ପୃଥିବୀର ଏକ ତୃତୀୟାଂଶ ଜଳିଗଲା, ବୃକ୍ଷାଦିର ଏକ ତୃତୀୟାଂଶ ଜଳିଗଲା ଓ ସମସ୍ତ ସବୁଜ ତୃଣାଦି ଜଳିଗଲା।8ଦ୍ୱିତୀୟ ଦୂତ ତୂରୀଧ୍ୱନି କରିବାରୁ ସମୁଦ୍ର ମଧ୍ୟରେ କିଛି ଗୋଟାଏ ନିକ୍ଷିପ୍ତ ହେଲା, ଯାହା ଏକ ବିଶାଳ ଜ୍ୱଳନ୍ତ ପର୍ବତ ପରି ଦିଶୁଥିଲା। ସମୁଦ୍ରର ଏକ ତୃତୀୟାଂଶ ରକ୍ତ ପାଲଟିଗଲା,9ସମୁଦ୍ର ମଧ୍ୟସ୍ଥ ପ୍ରାଣୀମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମରିଗଲେ, ଏବଂ ଜାହାଜଗୁଡ଼ିକର ଏକ ତୃତୀୟାଂଶ ଧ୍ୱଂସ ପାଇଲା।10ତୃତୀୟ ଦୂତ ତୂରୀଧ୍ୱନି କରିବାରୁ, ମଶାଲ ପରି ଜଳୁଥିବା ଏକ ବୃହତ୍ ତାରକା, ଆକାଶରୁ ନଦନଦୀ ଏବଂ ଜଳ ନିର୍ଝରଗୁଡ଼ିକର ଏକ ତୃତୀୟାଂଶ ଉପରେ ପତିତ ହେଲା।11ସେହି ତାରକାର ନାମ ନାଗଦଅଣା। ତହୁଁ ଏକ ତୃତୀୟାଂଶ ଜଳଭାଗ ତିକ୍ତ ହୋଇଗଲା, ଏବଂ ତିକ୍ତ ହୋଇଥିବା ସେହି ଜଳ ହେତୁ ଅନେକ ଲୋକ ପ୍ରାଣ ହରାଇଲେ।12ଚତୁର୍ଥ ଦୂତ ତୂରୀଧ୍ୱନି କରିବାରୁ, ସୂର୍ଯ୍ୟର ଏକ ତୃତୀୟାଂଶ, ଚନ୍ଦ୍ରର ଏକ ତୃତୀୟାଂଶ, ଓ ନକ୍ଷତ୍ରଗୁଡ଼ିକର ଏକ ତୃତୀୟାଂଶ, ଆଘାତପ୍ରାପ୍ତ ହେଲେ, ଯଦ୍ଦ୍ୱାରା ସେମାନଙ୍କର ଏକ ତୃତୀୟାଂଶ ଅନ୍ଧକାରରେ ପରିଣତ ହେଲା। ଦିବସର ଏକ ତୃତୀୟାଂଶ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।13ମୁଁ ଚାହିଁ ରହିଥିଲା ବେଳେ, ଗୋଟିଏ ଈଗଲ ପକ୍ଷୀ ମଧ୍ୟାକାଶରେ ଉଡ଼ି ଉଡ଼ି ଉଚ୍ଚସ୍ଵରରେ ଏହା କହିବାର ଶୁଣିଲି “ହାୟ! ହାୟ! ହାୟ ଯେଉଁ ଅନ୍ୟ ତିନି ଦୂତ ତୂରୀନାଦ କରିବାକୁ ଉଦ୍ୟତ, ସେଥିସକାଶେ ପୃଥିବୀନିବାସୀମାନେ ଦୁଃଖରେ ପଡିବେ!”Biblica, Inc.