ପ୍ରକାଶିତ ବାକ୍ୟ22
ଜୀବନ ନଦୀ
1ଏଉତ୍ତାରେ ଦୂତ ମୋତେ ସ୍ଫଟିକ ତୁଲ୍ୟ ସ୍ଵଚ୍ଛ ଜୀବନଜଳର ନଦୀ ଦେଖାଇଲେ, ତାହା ଈଶ୍ୱର ତଥା ମେଷଶାବକଙ୍କ ସିଂହାସନରୁ2ନିର୍ଗତ ହୋଇ ନଗରୀର ରାଜପଥର ମଧ୍ୟସ୍ଥଳରେ ପ୍ରବାହିତ ହେଉଥିଲା। ନଦୀର ଉଭୟେ ପାର୍ଶ୍ୱରେ ଥିଲା ଜୀବନବୃକ୍ଷ, ତାହା ବାରଥର ଫଳ ଧାରଣ କରି, ପ୍ରତ୍ୟେକ ମାସ ଫଳ ଉତ୍ପନ୍ନ କରୁଥିଲା। ପୁଣି ସେହି ବୃକ୍ଷର ପତ୍ର ସମୂହ ଜାତିଗଣର ଆରୋଗ୍ୟକାରକ।3ସେଠାରେ ଆଉ କୌଣସି ଅଭୀଶାପ ରହିବ ନାହିଁ। ଈଶ୍ୱର ତଥା ମେଷଶାବକଙ୍କ ସିଂହାସନ ନଗର ମଧ୍ୟରେ ରହିବ, ଏବଂ ତାହାଙ୍କର ସେବକମାନେ ତାହାଙ୍କର ସେବା କରିବେ।4ସେମାନେ ତାହାଙ୍କର ମୁଖ ଦର୍ଶନ କରିବେ, ଏବଂ ତାହାଙ୍କର ନାମ ସେମାନଙ୍କ କପାଳରେ ରହିବ।5ସେଠାରେ ଆଉ ରାତ୍ରି ହେବ ନାହିଁ। ପ୍ରଦୀପ କିମ୍ବା ସୂର୍ଯ୍ୟର ଆଲୋକ ସେମାନଙ୍କ ପାଇଁ ପ୍ରୟୋଜନ ହେବ ନାହିଁ, କାରଣ ସ୍ଵୟଂ ପ୍ରଭୁ ଈଶ୍ୱର ସେମାନଙ୍କୁ ଆଲୋକ ଦାନ କରିବେ। ପୁଣି ସେମାନେ ଯୁଗେ ଯୁଗେ ରାଜତ୍ଵ କରିବେ।6ଦୂତ ମୋତେ କହିଲେ, “ଏହିସବୁ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ। ଯାହାସବୁ ଶୀଘ୍ର ଘଟିବାକୁ ଯାଉଅଛି, ତାହା ପ୍ରଭୁ ଅର୍ଥାତ୍ ଭାବବାଦୀମାନଙ୍କ ଆତ୍ମଗଣର ଈଶ୍ୱର ଆପଣା ସେବକମାନଙ୍କୁ ଦର୍ଶାଇବାକୁ ନିଜ ଦୂତଙ୍କୁ ପଠାଇଛନ୍ତି।”7“ଦେଖ, ମୁଁ ଶୀଘ୍ର ଆସୁଅଛି! ଏହି ପୁସ୍ତକରେ ଥିବା ଭାବବାଣୀଗୁଡ଼ିକୁ ଯେ ପାଳନ କରେ ସେ ଧନ୍ୟ।”8ସ୍ଵୟଂ ମୁଁ, ଯୋହନ, ଏସମସ୍ତ ଶୁଣିଅଛି ଓ ଦେଖିଅଛି। ଏହିସବୁ ଶୁଣିବା ଓ ଦେଖିବା ପରେ ଯେଉଁ ଦୂତ ମୋତେ ଏସମସ୍ତ ଦେଖାଉଥିଲେ, ତାହାଙ୍କର ଆରାଧନା କରିବାକୁ ମୁଁ ତାହାଙ୍କ ପାଦତଳେ ପଡ଼ିଲି।9କିନ୍ତୁ ସେ ମୋତେ କହିଲେ, “ଏପରି କର ନାହିଁ! ମୁଁ ତୁମ ପରି ତୁମର ଭ୍ରାତା ଭାବବାଦୀମାନଙ୍କ ପରି ଓ ଏହି ପୁସ୍ତକର ସମସ୍ତ ବାକ୍ୟ ପାଳନକାରୀମାନଙ୍କ ପରି ଜଣେ ସହସେବକ ମାତ୍ର। ଈଶ୍ୱରଙ୍କ ଆରାଧନା କର।”10ତତ୍ପରେ ସେ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭାବବାଣୀଗୁଡ଼ିକୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।11ଯେ ଅସତ୍ ଆଚରଣ କରୁଅଛି ସେ ଅସତ୍ ଆଚରଣ କରୁଥାଉ; ଯେ ଅଶୁଚି ସେ ଅଶୁଚି ରହିଥାଉ; ଯେ ସତ୍ ଆଚରଣ କରୁଅଛି ସେ ସତ୍ ଆଚରଣ କରୁଥାଉ; ପୁଣି ଯେ ପବିତ୍ର ସେ ପବିତ୍ର ରହିଥାଉ।”12“ଦେଖ, ମୁଁ ଶୀଘ୍ର ଆସୁଅଛି! ମୋହର ପୁରସ୍କାର ମୋ ସଙ୍ଗରେ ଅଛି, ଏବଂ ମୁଁ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ତାହା ଦେବି।13ମୁଁ ଆଦି ଓ ମୁଁ ଅନ୍ତ, ମୁଁ ପ୍ରଥମ ଓ ଶେଷ, ମୁଁ ଆରମ୍ଭ ଓ ସମାପ୍ତି।14“ଜୀବନବୃକ୍ଷ ନିକଟକୁ ଯିବାର ଅଧିକାର ପାଇଁ ଓ ଦ୍ଵାର ଦେଇ ନଗର ମଧ୍ୟରେ ପ୍ରବେଶ କରିବା ଅଧିକାର ପାଇଁ ଯେଉଁମାନେ ଆପଣାର ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।15କିନ୍ତୁ କୁକୁରମାନେ ଏବଂ ତନ୍ତ୍ରସାଧକ, ଯୌନଅସଦାଚାରୀ, ନରଘାତକ, ପ୍ରତିମାପୂଜକ ଏବଂ ସବୁ ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।16“ମୁଁ, ସ୍ଵୟଂ ଯୀଶୁ, ମଣ୍ଡଳୀଗୁଡ଼ିକ ପାଇଁ ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେବାକୁ ମୋହର ଦୂତଙ୍କୁ ପଠାଇଅଛି। ମୁଁ ଦାଉଦଙ୍କ ମୂଳ ଓ ବଂଶଜ, ଏବଂ ଉଜ୍ଜ୍ୱଳ ପ୍ରଭାତୀତାରା।”17ଆତ୍ମା ଓ କନ୍ୟା କହୁଅଛନ୍ତି, “ଆସ!” ପୁଣି ଯେ ଶ୍ରବଣ କରେ ସେ କହୁ, “ଆସ!” ଯେ ତୃଷାର୍ତ୍ତ ସେ ଆସୁ; ଏବଂ ଯେ ଇଚ୍ଛା କରେ ସେ ବିନାମୂଲ୍ୟରେ ଜୀବନ ଜଳ ଗ୍ରହଣ କରୁ।18ଯେ ଏହି ପୁସ୍ତକରେ ଥିବା ଭାବବାଣୀଗୁଡ଼ିକ ଶ୍ରବଣ କରେ ତାହାକୁ ମୁଁ ଏହିରୂପେ ସତର୍କ କରାଉଅଛି, କେହି ଯଦି ଏହିସବୁ ବାକ୍ୟରେ କିଛି ଯୋଗ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ବର୍ଣ୍ଣିତ ବିପତ୍ତି ସବୁ ତା ଠାରେ ଯୋଗ କରିବେ।19କେହି ଯଦି ଏହି ଭାବବାଣୀ ସମ୍ୱଳିତ ପୁସ୍ତକର ବାକ୍ୟଗୁଡ଼ିକରୁ କିଛି କାଟି ଦିଏ, ତେବେ ଏହି ପୁସ୍ତକରେ ବର୍ଣ୍ଣିତ ଜୀବନବୃକ୍ଷରେ ଓ ପୁଣ୍ୟ ନଗରୀରେ, ତାହାର ଅଂଶ ଈଶ୍ୱର କାଟିଦେବେ।20ଯେ ଏହିସମସ୍ତ ବିଷୟରେ ସାକ୍ଷ୍ୟ ଦିଅନ୍ତି ସେ କହନ୍ତି, “ମୁଁ, ଅବଶ୍ୟ ଶୀଘ୍ର ଆସୁଅଛି।”ଆମେନ୍। ହେ ପ୍ରଭୁ ଯୀଶୁ, ଆସନ୍ତୁ।21ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଥାଉ। ଆମେନ୍।
Biblica, Inc.