ଫିଲିପୀୟ3

ବାହ୍ୟିକ ରୀତିନୀତି ପାଳନରେ ପରିତ୍ରାଣ ନାହିଁ

1ପରିଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର! ତୁମ୍ଭମାନଙ୍କ ନିକଟକୁ ସେହିସବୁ କଥା ପୁନର୍ବାର ଲେଖିବାକୁ ମୋ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ଏହା ତୁମ୍ଭମାନଙ୍କ ପାଇଁ ନିରାପଦଜନକ ଅଟେ।2ସେହି କୁକୁରମାନଙ୍କଠାରୁ, ସେହି ଦୁଷ୍କର୍ମକାରୀମାନଙ୍କଠାରୁ, ସେହି ସୁନ୍ନତବାଦୀମାନଙ୍କଠାରୁ ସାବଧାନ।3କାରଣ ଆମେ, ଯେଉଁମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ ଅନୁଭବ କରୁ ଏବଂ ବାହ୍ୟିକ ବିଷୟ ଉପରେ କୌଣସି ଆସ୍ଥା ରଖୁ ନାହୁଁ, ଆମେ ହିଁ ପ୍ରକୃତରେ ସୁନ୍ନତପ୍ରାପ୍ତ4ଯଦିବା ସେପ୍ରକାର ଆସ୍ଥା ରଖିବାକୁ ମୋର କାରଣ ରହିଅଛି।
ଯଦି ବାହ୍ୟିକ ରୀତିନୀତି ବିଷୟ ଉପରେ ଆସ୍ଥା ରଖିବାର କାରଣ ଅଛି ବୋଲି ଅନ୍ୟ କେହି ମନେ କରୁଥାଏ, ତେବେ ମୋର ତ ଅଧିକ କାରଣ ଅଛି:
5ମୁଁ ଅଷ୍ଟମ ଦିନରେ ସୁନ୍ନତ ହୋଇଅଛି, ମୁଁ ଇସ୍ରାଏଲ ଜାତିର ଲୋକ, ବେଞ୍ଜାମୀନ ବଂଶଜାତ, ହିବ୍ରୁମାନଙ୍କ ମଧ୍ୟରେ ଜଣେ ହିବ୍ରୁ; ବିଧିବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ନୈଷ୍ଠିକ ଫାରୂଶୀ;6ଉଦ୍‌ଯୋଗ ବିଷୟରେ ଖ୍ରୀଷ୍ଟ ମଣ୍ଡଳୀର ଉତ୍ପୀଡ଼କ; ବିଧିବ୍ୟବସ୍ଥା ପାଳନ ଦ୍ଵାରା ଧାର୍ମିକତା ଲାଭ ବିଷୟରେ ତ୍ରୁଟିଶୂନ୍ୟ।
7କିନ୍ତୁ ଯେଉଁସବୁ ବିଷୟ ମୋ ପାଇଁ ଲାଭଜନକ ଥିଲା ସେହିସବୁ ମୁଁ ଏବେ ଖ୍ରୀଷ୍ଟଙ୍କ ସକାଶେ କ୍ଷତିଜନକ ବୋଲି ମଣୁଅଛି।8ଆହୁରି ମଧ୍ୟ, ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଜାଣିବା ଯେ ଏଡ଼େ ମହତ୍ ବିଷୟ, ତା ତୁଳନାରେ ମୁଁ ସବୁକିଛି କ୍ଷତି ବୋଲି ମନେ କରୁଅଛି, ତାହାଙ୍କ ସକାଶେ ମୁଁ ସବୁକିଛି ହରାଇଛି।9ବିଧିବ୍ୟବସ୍ଥା ପାଳନ କରି ସ୍ଵଅର୍ଜିତ ଧାର୍ମିକତା ଦ୍ଵାରା ନୁହେଁ ମାତ୍ର ଯେଉଁ ଧାର୍ମିକତା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସଜନିତ, ଅର୍ଥାତ୍ ଯାହା ଈଶ୍ୱରାଗତ ଓ ବିଶ୍ୱାସଭୀତ୍ତିକ ତାହା ଦ୍ଵାରା ମୁଁ ଯେପରି ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ଆଶ୍ରିତ ବୋଲି ଜଣାଯାଏ, ଏଥିପାଇଁ ସେହିସବୁକୁ ଆବର୍ଜନା ବୋଲି ମନେ କରେ।10ମୁଁ ଖ୍ରୀଷ୍ଟଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତିକୁ ଓ ତାହାଙ୍କ ମୃତ୍ୟୁରେ ତାଙ୍କ ପରି ହୋଇ, ତାଙ୍କ ଦୁଃଖଭୋଗର ସହଭାଗିତା ଜାଣିବାକୁ ଚାହେଁ,11ଏହିରୂପେ କୌଣସିମତେ, ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଲାଭ କରିବାକୁ ଚାହେଁ।

ମୁଁ ଲକ୍ଷ୍ୟସ୍ଥଳକୁ ଦୌଡୁଅଛି

12ମୁଁ ଯେ ଏସମସ୍ତ ପାଇ ସାରିଅଛି, କିମ୍ବା ସିଦ୍ଧ ହୋଇ ସାରିଅଛି, ତା ନୁହେଁ କିନ୍ତୁ ଖ୍ରୀଷ୍ଟ ଯୀଶୁ ଯେଉଁ ବିଷୟ ପାଇଁ ମୋତେ ଧରିଲେ ତାହା ହିଁ ଧରିବା ପାଇଁ ମୁଁ ଆଗବଢ଼ି ଚାଲିଛି।13ଭାଇମାନେ, ମୁଁ ତାହା ଏପର୍ଯ୍ୟନ୍ତ ଧରି ପାରିଛି ବୋଲି ମନେ କରୁ ନାହିଁ। କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି: ପଶ୍ଚାତ୍ ବିଷୟସବୁ ଭୁଲି ଯାଇ ସମ୍ମୁଖସ୍ଥ ବିଷୟ ଉପରେ ଲକ୍ଷ୍ୟ ରଖିଅଛି,14ଖ୍ରୀଷ୍ଟ ଯୀଶୁଙ୍କ ହେତୁ ଈଶ୍ୱର ମୋତେ ଯେଉଁ ପୁରସ୍କାର ଦେବାକୁ ସ୍ଵର୍ଗୀୟ ଆହ୍ଵାନ ଦେଇଅଛନ୍ତି ତାହା ଲାଭ କରିବାକୁ ମୁଁ ଲକ୍ଷ୍ୟସ୍ଥଳକୁ ପ୍ରାଣପଣେ ଦୌଡୁଅଛି।
15ଆମେ, ଯେତେଜଣ ସୁପରିଣତ, ସମସ୍ତେ ସେହିପ୍ରକାର ମନୋଭାବ ଗ୍ରହଣ କରିବା ଉଚିତ। ଯଦି କୌଣସି ବିଷୟରେ ତୁମ୍ଭେମାନେ ଭିନ୍ନମତ ପୋଷଣ କରୁଥାଅ, ତା ମଧ୍ୟ ଈଶ୍ୱର ତୁମ୍ଭମାନଙ୍କ ନିକଟରେ ସ୍ପଷ୍ଟ କରିଦେବେ।16କେବଳ ଏତିକି ଯେ ଆମେ ଯାହା ଲାଭ କରିଅଛୁ ଆସ ତଦନୁଯାୟୀ ଜୀବନଯାପନ କରୁ।
17ଭାଇମାନେ, ଅନ୍ୟମାନଙ୍କ ସହିତ ମିଶି ମୋହର ଆଦର୍ଶ ଅନୁସରଣ କର, ଏବଂ ଆମେ ଦେଇଥିବା ଆଦର୍ଶ ଅନୁଯାୟୀ, ଯେଉଁମାନେ ଜୀବନ କାଟୁଅଛନ୍ତି ସେମାନଙ୍କୁ ଲକ୍ଷ୍ୟ କର।18କାରଣ, ମୁଁ ପୂର୍ବେ ତୁମ୍ଭମାନଙ୍କୁ ବହୁବାର ଯେପରି କହିଅଛି ଏବେ ମଧ୍ୟ ଲୋତକ ଝରାଇ କହୁଅଛି ଯେ, ଅନେକେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁଭାବେ ଜୀବନ କାଟୁଅଛନ୍ତି।19ସେମାନଙ୍କର ଶେଷଦଶା ହେଉଛି ବିନାଶ, ଉଦର ସେମାନଙ୍କର ଦେବତା, ଏବଂ ଯାହା ସେମାନଙ୍କ ପାଇଁ ଲଜ୍ଜାଜନକ ବିଷୟ, ତାହା ସେମାନଙ୍କ ଗର୍ବର କାରଣ। ଜାଗତିକ ବିଷୟଗୁଡ଼ିକରେ ସେମାନଙ୍କ ମନ ଆସକ୍ତ।20କିନ୍ତୁ ଆମର ନାଗରିକତ୍ଵ ସ୍ଵର୍ଗରେ ଅଛି। ଏବଂ ସେହି ସ୍ଥାନରୁ ଆମେ ଜଣେ ତ୍ରାଣକର୍ତ୍ତାଙ୍କର, ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ଅପେକ୍ଷାରେ ରହିଅଛୁ,21ସେ, ଯେଉଁ ଶକ୍ତି ଦ୍ଵାରା ସମସ୍ତ ବିଷୟକୁ ନିଜର ଅଧୀନ କରିପାରନ୍ତି, ତଦ୍ଦ୍ୱାରା ଆମର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀର ସଦୃଶ କରିବେ।

Biblica, Inc.

https://app.library.bible/content/97b51048ae7f2ec9