ଲୂକ12

ସତର୍କବାଣୀ ଓ ଉତ୍ସାହବାଣୀ

1ଏଥିମଧ୍ୟରେ, ହଜାର ହଜାର ଲୋକ ସମବେତ ହୋଇ, ପରସ୍ପର ଉପରେ ମାଡ଼ି ପଡ଼ୁଥିଲେ, ସେହି ସମୟରେ ଯୀଶୁ ପ୍ରଥମେ ଶିଷ୍ୟମାନଙ୍କୁ, କହିବାକୁ ଲାଗିଲେ: “ଫାରୂଶୀମାନଙ୍କ ଖମିର ସ୍ଵରୂପ କପଟାଚରଣ ବିଷୟରେ, ସାବଧାନ ଥାଅ।2ଏପରି କୌଣସି ବିଷୟ ଗୁପ୍ତ ନାହିଁ ଯାହା ପ୍ରକାଶିତ ନ ହେବ, କିମ୍ବା କୌଣସି ବିଷୟ ଆଚ୍ଛାଦିତ ନାହିଁ ଯାହା ଜଣା ନ ପଡ଼ିବ।3ଯାହା ତୁମେ ଅନ୍ଧକାରରେ କହିଛ ତାହା ଦିବାଲୋକରେ ଶୁଣାଯିବ, ଏବଂ ଯାହା ରୁଦ୍ଧ କୋଠରିରେ କାନେ କାନେ କହିଛ ତାହା ଛାତ ଉପରୁ ଘୋଷଣା କରାଯିବ।
4“ମୋର ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁମାନେ ଶରୀରକୁ ବଧ କରନ୍ତି କିନ୍ତୁ ତା ପରେ ଆଉ କିଛି କରିପାରନ୍ତି ନାହିଁ ସେମାନଙ୍କୁ ଭୟ କର ନାହିଁ।5କିନ୍ତୁ କାହାକୁ ଭୟ କରିବା ଉଚିତ ତାହା ମୁଁ ତୁମ୍ଭମାନଙ୍କୁ ଦର୍ଶାଇବି: ଶରୀରକୁ ବଧ କଲାପରେ, ତୁମକୁ ନରକରେ ପକାଇବାକୁ ଯାହାଙ୍କର ଶକ୍ତି ଅଛି, ତାହାଙ୍କୁ ଭୟ କର। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, ତାହାଙ୍କୁ ହିଁ ଭୟ କର।6ପାଞ୍ଚୋଟି ଘରଚଟିଆ କଅଣ ଦୁଇ ପଇସାରେ ବିକାହୁଏ ନାହିଁ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏ ସୁଦ୍ଧା ଈଶ୍ୱରଙ୍କ ଦ୍ଵାରା ବିସ୍ମୃତ ହୁଏ ନାହିଁ।7ଏପରିକି, ତୁମ ମସ୍ତକର କେଶସବୁ ମଧ୍ୟ ଗଣା ହୋଇଛି। ଅତଏବ ଭୟ କର ନାହିଁ; ତୁମେମାନେ ଅନେକ ଘରଚଟିଆଠାରୁ ଅଧିକ ମୂଲ୍ୟବାନ୍।
8“ମୁଁ ତୁମ୍ଭମାନଙ୍କୁ କହୁଛି, ଯେକେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ୱୀକାର କରେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ।9କିନ୍ତୁ ଯେ ମୋତେ ଲୋକଙ୍କ ସାକ୍ଷାତରେ ଅସ୍ୱୀକାର କରେ ସେ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ।10ଆହୁରି ମଧ୍ୟ ଯେକେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହେ ତାକୁ କ୍ଷମା ଦିଆଯିବ, ମାତ୍ର ଯେ ପବିତ୍ରଆତ୍ମାଙ୍କର ନିନ୍ଦା କରେ ତାକୁ କ୍ଷମା ଦିଆଯିବ ନାହିଁ।
11“ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଉପାସନାଗୃହ, ଶାସକ ଓ କର୍ତ୍ତୁପକ୍ଷଙ୍କ ସମ୍ମୁଖକୁ ବିଚାର ପାଇଁ ଆଣିବେ, ସେତେବେଳେ ତୁମେମାନେ କିପରି ଆତ୍ମସମର୍ଥନ କରିବ ଅବା କଅଣ କହିବ ସେବିଷୟରେ ଚିନ୍ତିତ ହୁଅ ନାହିଁ,12କାରଣ କଅଣ କହିବାକୁ ହେବ ସେତେବେଳେ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଶିଖାଇବେ।”

ନିର୍ବୋଧ ଧନୀର ଦୃଷ୍ଟାନ୍ତ ଗଳ୍ପ

13ଜନତା ମଧ୍ୟରୁ କେହି ଜଣେ ତାହାଙ୍କୁ କହିଲା, “ଗୁରୁ, ମୋ ସହିତ ଉତ୍ତରାଧିକାର ଭାଗ କରିଦେବାକୁ ମୋ ଭାଇକୁ କହନ୍ତୁ।”
14ଯୀଶୁ ଉତ୍ତର ଦେଲେ, “ହେ ମାନବ, ତୁମ ଦୁହିଁଙ୍କ ମଧ୍ୟରେ ବିଚାରକର୍ତ୍ତା କିମ୍ବା ମଧ୍ୟସ୍ଥ ହେବାକୁ କିଏ ମୋତେ ନିଯୁକ୍ତ କଲା?”15ତତ୍ପରେ ସେ ସେମାନଙ୍କୁ କହିଲେ, “ସାବଧାନ! ସମସ୍ତ ପ୍ରକାର ଲୋଭ ପ୍ରତି ସତର୍କ ଥାଅ; କାରଣ ମନୁଷ୍ୟର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ।”
16ତହୁଁ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ-ଗକ୍ପଟି କହିଲେ: “ଜଣେ ଧନୀଲୋକର ଜମିରେ ପ୍ରଚୁର ଶସ୍ୟ ଉତ୍ପନ୍ନ ହେଲା।17ସେ ମନେ ମନେ ଭାବିଲା, ‘କଣ କରିବି? ମୋର ଶସ୍ୟ ଆଦି ରଖିବାକୁ ସ୍ଥାନ ନାହିଁ।’
18“ତା ପରେ ସେ କହିଲା, ‘ମୁଁ ଏହିପରି କରିବି। ମୋର ଅମାରସବୁ ଭାଙ୍ଗି ଦେଇ ବଡ଼ ବଡ଼ କରି ଗଢ଼ିବି, ଓ ସେଠାରେ ମୋର ଶସ୍ୟ ଓ ସାମଗ୍ରୀ ଜମା କରି ରଖିବି।19ପୁଣି ନିଜକୁ କହିବି, “ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରଚୁର ଉତ୍ତମ ଦ୍ରବ୍ୟ ତୋ ପାଇଁ ଗଚ୍ଛିତ ରହିଛି। ଜୀବନକୁ ଉପଭୋଗ କର୍; ଖାଇ, ପିଇ ମଉଜ କର୍।” ’
20“କିନ୍ତୁ ଈଶ୍ୱର ତାକୁ କହିଲେ, ‘ରେ ନିର୍ବୋଧ! ଆଜି ରାତିରେ ହିଁ ତୋର ପ୍ରାଣ ତୋ ଠାରୁ ନିଆଯିବ। ତା ହେଲେ ନିଜ ପାଇଁ ଯାହାସବୁ ଆୟୋଜନ କରିଛୁ ସେହିସବୁ କାହାର ହେବ?’
21“ଯେକେହି ନିଜ ନିମନ୍ତେ ଧନ ସଞ୍ଚୟ କରେ ଅଥଚ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ ତାହାର ଦଶା ଏହିପରି ହେବ।”

ଚିନ୍ତିତ ହୁଅ ନାହିଁ

22ଏହାପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ: “ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କହୁଛି, କଣ ଖାଇବ; ଏହା ଭାଳି ହୋଇ ନିଜ ଜୀବନ ନିମନ୍ତେ, କିମ୍ବା କଣ ପିନ୍ଧିବ ଏହା ଭାଳି ହୋଇ ନିଜ ଶରୀର ନିମନ୍ତେ ଚିନ୍ତିତ ହୁଅ ନାହିଁ।23ଖାଦ୍ୟ ଅପେକ୍ଷା ଜୀବନ, ଓ ବସ୍ତ୍ର ଅପେକ୍ଷା ଶରୀର ଅଧିକ ମହତ୍।24କାଉମାନଙ୍କ କଥା ବିବେଚନା କର: ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ସେମାନଙ୍କର ଭଣ୍ଡାରଘର କି ଅମାର ନାହିଁ; ତଥାପି ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି। ତୁମେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍!25ତୁମ ମଧ୍ୟରୁ କିଏ ଚିନ୍ତା କରି କରି ନିଜ ପରମାୟୁରେ ଘଣ୍ଟାଟିଏ ଯୋଗ କରିପାରିବ?26ତୁମେ ଯଦି ଏହି ସାମାନ୍ୟ ବିଷୟ କରିପାରିବ ନାହିଁ, ତେବେ ଅନ୍ୟ ସବୁ ବିଷୟ ପାଇଁ କାହିଁକି ଚିନ୍ତିତ ହେଉଛ?
27“ଘାସଫୁଲଗୁଡ଼ିକ କିପରି ବଢ଼ନ୍ତି ତାହା ଭାବି ଦେଖ। ସେମାନେ ପରିଶ୍ରମ କରନ୍ତି ନାହିଁ କି ସୂତା କାଟନ୍ତି ନାହିଁ। ତଥାପି ମୁଁ ତୁମ୍ଭମାନଙ୍କୁ କହୁଛି, ଶଲୋମନ ସୁଦ୍ଧା ନିଜର ସମସ୍ତ ଐଶ୍ବର୍ଯ୍ୟରେ ଏମାନଙ୍କ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।28ପ୍ରାନ୍ତରରେ ଯେଉଁ ଫୁଲ ଆଜି ଅଛି, ଓ କାଲିକି ନିଆଁରେ ପକାଯାଏ, ତାକୁ ଯଦି ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ହେ ଅଳ୍ପବିଶ୍ୱାସୀମାନେ ସେ ତୁମ୍ଭମାନଙ୍କୁ ବସ୍ତ୍ରରେ କେତେ ଅଧିକ ଭୂଷିତ ନ କରିବେ!29ଆହୁରି ମଧ୍ୟ କଣ ଖାଇବ ବା କଣ ପିଇବ; ସେଥିରେ ମନ ଦିଅ ନାହିଁ, ସେବିଷୟରେ ଚିନ୍ତିତ ହୁଅ ନାହିଁ।30କାରଣ ଜଗତର ଅନ୍ୟଜାତୀୟ ଲୋକମାନେ ଏହିସବୁ ବିଷୟ ପଛରେ ଧାଆଁନ୍ତି, କିନ୍ତୁ ଏହିସବୁ ବିଷୟ ଯେ ତୁମର ପ୍ରୟୋଜନ ତାହା ତୁମର ପିତା ଜାଣନ୍ତି।31ବରଞ୍ଚ ତାହାଙ୍କର ରାଜ୍ୟ ଅନ୍ୱେଷଣ କର, ଏବଂ ଏସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।

ଅକ୍ଷୟ ଧନ

32“ହେ ସାନ ପଲ, ଭୟ କର ନାହିଁ, କାରଣ ତୁମମାନଙ୍କର ପିତା ସେହି ରାଜ୍ୟ ତୁମ୍ଭମାନଙ୍କୁ ଦେବା ପାଇଁ ସନ୍ତୁଷ୍ଟ।33ତୁମର ଯାହା ଅଛି ତାହା ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର। ନିଜ ନିମନ୍ତେ ଅକ୍ଷୟ ଥଳୀ ପ୍ରସ୍ତୁତ କର ଏବଂ ଯେଉଁଠାରେ ଚୋର ପଶେ ନାହିଁ, ଓ କୀଟ ନଷ୍ଟ କରେ ନାହିଁ, ଏପରି ସ୍ଵର୍ଗରେ ଅଶେଷ ଧନ ସଞ୍ଚୟ କର।34କାରଣ ଯେଉଁଠାରେ ତୁମର ଧନ ଥାଏ, ସେହିଠାରେ ତୁମର ମନ ଥାଏ।

ସତର୍କ ରହିବା ବିଷୟରେ

35“କାମ ପାଇଁ ଲୁଗା ଭିଡ଼ି ପ୍ରସ୍ତୁତ ଥାଅ ଓ ତୁମମାନଙ୍କର ପ୍ରଦୀପ ଜଳୁ ଥାଉ।36ବିବାହ ଉତ୍ସବରୁ କର୍ତ୍ତା ଫେରି ଦ୍ଵାରରେ ମାରିଲେ, ତତ୍‌କ୍ଷଣାତ୍ ଦ୍ଵାର ଫିଟାଇବାକୁ ଅପେକ୍ଷା କରୁଥିବା ଲୋକମାନଙ୍କ ପରି ତୁମେମାନେ ଅପେକ୍ଷାରେ ରହିଥାଅ।37ସେମାନଙ୍କର କର୍ତ୍ତା ଆସି ଯେଉଁ ଦାସମାନଙ୍କୁ ସଜାଗ ଦେଖିବେ ସେମାନଙ୍କର ମଙ୍ଗଳ ହେବ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସେ ଅଣ୍ଟା ଭିଡ଼ି ସେମାନଙ୍କୁ ଆସନରେ ବସାଇ, ନିଜେ ଆସି ପରିବେଷଣ କରିବେ।38ରାତ୍ରିର ଦ୍ୱିତୀୟ କି ତୃତୀୟ ପ୍ରହରରେ ଆସିଲେ ସୁଦ୍ଧା ଯେଉଁ ଦାସମାନଙ୍କର କର୍ତ୍ତା ସେମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ, ସେମାନଙ୍କର ମଙ୍ଗଳ ହେବ।39କିନ୍ତୁ ଏହା ଜାଣିଥାଅ: କେତେବେଳେ ଚୋର ଆସିବ ଏହା ଯଦି ଗୃହକର୍ତ୍ତା ଜାଣନ୍ତେ, ତେବେ ତାଙ୍କ ଘରେ ଚୋର ପଶିବାକୁ ଦିଅନ୍ତେ ନାହିଁ।40ତୁମେମାନେ ମଧ୍ୟ ପ୍ରସ୍ତୁତ ରହିଥାଅ, କାରଣ ମନୁଷ୍ୟପୁତ୍ର ଏପରି ସମୟରେ ଆସିବେ ଯେତେବେଳେ ତୁମେ ତାଙ୍କୁ ଅପେକ୍ଷା କରୁ ନ ଥିବ।”
41ପିତର ପଚାରିଲେ, “ପ୍ରଭୁ, ଆପଣ କଣ କେବଳ ଆମକୁ, ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କଥା କହୁଛନ୍ତି?”
42ପ୍ରଭୁ ଉତ୍ତର ଦେଲେ, “କିଏ ତାହାହେଲେ ବୁଦ୍ଧିମାନ ଓ ବିଶ୍ୱସ୍ତ ଗୁମାସ୍ତା, ଯାହାର କର୍ତ୍ତା ତାଙ୍କ ଦାସମାନଙ୍କୁ ଯଥା ସମୟରେ ଖାଦ୍ୟ ପଡ଼ି ଦେବାର ଦାୟିତ୍ଵ ଦେଇଛନ୍ତି?43କର୍ତ୍ତା ଫେରି ଆସିବା ସମୟରେ ନିଜର ଯେଉଁ ଦାସକୁ ସେହି କାର୍ଯ୍ୟ କରୁଥିବା ଦେଖନ୍ତି ତାହାର ମଙ୍ଗଳ ହେବ।44ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସେ ତାହାକୁ ତାଙ୍କର ସର୍ବସ୍ଵ ଉପରେ ଦାୟିତ୍ଵ ଦେବେ।45କିନ୍ତୁ ମନେକର ସେହି ଦାସ ମନେ ମନେ କହିବ, ‘ମୋର କର୍ତ୍ତାଙ୍କର ଫେରିବାକୁ ବହୁତ ବିଳମ୍ବ ହେବ,’ ଏବଂ ସେ ଯଦି ଦାସଦାସୀମାନଙ୍କୁ ମାର୍‌ପିଟ୍ କରିବାକୁ, ଓ ଖାଇପିଇ ମାତାଲ ହେବାକୁ ଆରମ୍ଭ କରିବ।46ତେବେ ଯେଉଁଦିନ ସେ ତାଙ୍କୁ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ ଏପରି ଦିନ ଓ ଏପରି ସମୟରେ ସେହି ଦାସର କର୍ତ୍ତା ଆସି ପହଞ୍ଚିଯିବେ। ସେ ତାକୁ କାଟି ଖଣ୍ଡ ଖଣ୍ଡ କରି ଅବିଶ୍ୱାସୀମାନଙ୍କ ମଧ୍ୟରେ ସ୍ଥାନ ଦେବେ।
47“ଯେଉଁ ଦାସ ନିଜ କର୍ତ୍ତାର ଇଚ୍ଛା ଜାଣି ସୁଦ୍ଧା ପ୍ରସ୍ତୁତ ହୁଏ ନାହିଁ କିମ୍ବା ନିଜ କର୍ତ୍ତାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରେ ନାହିଁ ସେ ବହୁତ ପ୍ରହାର ଭୋଗ କରିବ।48ମାତ୍ର ଯିଏ ନ ଜାଣି ଶାସ୍ତିଯୋଗ୍ୟ କାର୍ଯ୍ୟ କରେ ସେ ଅଳ୍ପ ପ୍ରହାର ଭୋଗ କରିବ। ଯାହାକୁ ବହୁତ ଦିଆଯାଇଛି, ତା ଠାରୁ ବହୁତ ଦାବୀ କରାଯିବ; ଏବଂ ଯାହାକୁ ବହୁତ ଦାୟିତ୍ଵ ଦିଆଯାଇଛି, ତା ଠାରୁ ଆହୁରି ଅଧିକ ଦାବୀ କରାଯିବ।

ଶାନ୍ତି ନୁହେଁ, ବିଭେଦ

49“ମୁଁ ପୃଥିବୀରେ ଅଗ୍ନି ଆଣିବାକୁ ଆସିଛି, ଆହା, ସେହି ଅଗ୍ନି ଜଳି ଉଠି ସାରିଥାଆନ୍ତା କି!50କିନ୍ତୁ ମୋତେ ଏକ ଡୁବନ ମଧ୍ୟଦେଇ ଯିବାକୁ ହେବ, ଏବଂ ତାହା ସମାପ୍ତ ନ ହେବାଯାଏ ମୁଁ ଯେ କେଡ଼େ ବ୍ୟଥିତ ହେଉଛି!51ତୁମେମାନେ କଣ ମନେ କରୁଛ ମୁଁ ପୃଥିବୀରେ ଶାନ୍ତି ଆଣିବାକୁ ଆସିଛି? ନା, ମୁଁ ତୁମ୍ଭମାନଙ୍କୁ କହୁଛି, ବରଂ ବିଭେଦ ଜନ୍ମାଇବାକୁ ଆସିଛି।52ଏବେଠାରୁ ଗୋଟିଏ ପରିବାରରେ ଯଦି ପାଞ୍ଚ ଜଣ ଥାଆନ୍ତି ତେବେ ସେମାନେ ପରସ୍ପର ବିରୁଦ୍ଧରେ ଉଠିବେ, ଦୁଇଜଣଙ୍କ ବିରୁଦ୍ଧରେ ତିନିଜଣ ଓ ତିନିଜଣଙ୍କ ବିରୁଦ୍ଧରେ ଦୁଇଜଣ ଉଠିବେ।53ସେମାନେ ବିଭକ୍ତ ହେବେ, ପୁତ୍ର ବିରୁଦ୍ଧରେ ପିତା ଓ ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା ଓ ମାତା ବିରୁଦ୍ଧରେ କନ୍ୟା, ବୋହୁ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୁ ଉଠିବେ।”

ସମୟର ସୂଚନା

54ସେ ଲୋକମାନଙ୍କୁ କହିଲେ: “ପଶ୍ଚିମ ଦିଗରେ ମେଘ ଉଠିବାର ଦେଖିଲେ, ତୁମେମାନେ ସଙ୍ଗେସଙ୍ଗେ କହିଥାଅ, ‘ବର୍ଷା ଆସୁଛି,’ ଓ ତାହା ହିଁ ହୋଇଥାଏ।55ପୁଣି ଦକ୍ଷିଣା ପବନ ବହିଲେ, ତୁମେମାନେ କହିଥାଅ, ‘ଗରମ ପଡ଼ିବ,’ ଓ ତାହା ହିଁ ହୋଇଥାଏ।56ହେ କପଟାଚାରୀମାନେ! ତୁମେମାନେ ପୃଥିବୀ ଓ ଆକାଶକୁ ଦେଖି ପୂର୍ବାଭାସ ପାଇପାର। ଅଥଚ ଏହି କାଳର ପୂର୍ବାଭାସ କିପରି ପାଇ ପାରୁ ନାହଁ?
57“କଣ ଯଥାର୍ଥ ତାହା କାହିଁକି ନିଜେ ବିଚାର କରୁ ନାହଁ?58ତୁମର ବିପକ୍ଷ ସହିତ ବିଚାରକ ପାଖକୁ ଗଲାବେଳେ, ବାଟରେ ତା ସହିତ ମିଳାମିଶା କରିବାକୁ ଯଥାସାଧ୍ୟ ଚେଷ୍ଟା କର, ନଚେତ୍ ସେ ତୁମକୁ ବିଚାରପତିଙ୍କ ପାଖକୁ ଟାଣିନେବ, ଓ ବିଚାରପତି ତୁମକୁ ପ୍ରହରୀ ହାତରେ ସମର୍ପଣ କରିଦେବେ, ଏବଂ ପ୍ରହରୀ ତୁମକୁ କାରାଗାରରେ ରୁଦ୍ଧ କରିବ।59ମୁଁ ତୁମ୍ଭମାନଙ୍କୁ କହୁଛି, ତୁମେ ଶେଷ ପଇସାଟି ନ ଶୁଝିବା ଯାଏ ସେଠାରୁ ଆଦୌ ବାହାରି ପାରିବ ନାହିଁ।”

Biblica, Inc.

https://app.library.bible/content/97b51048ae7f2ec9