ଯୋହନ8

1କିନ୍ତୁ ଯୀଶୁ ଜୀତ ପର୍ବତକୁ ଗଲେ।
2ପ୍ରତ୍ୟୁଷରେ ସେ ପୁଣି ମନ୍ଦିର ପ୍ରାଙ୍ଗଣକୁ ଫେରି ଆସିଲେ, ସେଠାରେ ଲୋକମାନେ ତାହାଙ୍କ ଚାରିଆଡ଼େ ସମବେତ ହେଲେ, ଏବଂ ସେ ବସି ସେମାନଙ୍କୁ ଶିକ୍ଷାଦେବାକୁ ଲାଗିଲେ।3ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧରା ପଡ଼ିଥିବା ଜଣେ ସ୍ତ୍ରୀଲୋକକୁ ନେଇ ଆସିଲେ। ଓ ତାହାକୁ ସମସ୍ତଙ୍କ ମଝିରେ ଠିଆ କରାଇଲେ4ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକ ବ୍ୟଭିଚାର କର୍ମ କରୁଥିବା ବେଳେ ଧରା ପଡ଼ିଛି।5ଏହିପ୍ରକାର ସ୍ତ୍ରୀମାନଙ୍କୁ ପଥର ପକାଇ ମାରିଦେବାକୁ ମୋଶା ଆମକୁ ବିଧିବ୍ୟବସ୍ଥାରେ ଆଦେଶ ଦେଇଛନ୍ତି, ଆପଣ କଅଣ କହୁଛନ୍ତି?”6ସେମାନେ ତାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇବା ପାଇଁ, ଏହି ପ୍ରଶ୍ନଟି ଏକ ଫାନ୍ଦ ସ୍ଵରୂପେ ବ୍ୟବହାର କରିଥିଲେ।
କିନ୍ତୁ ଯୀଶୁ ନଇଁପଡ଼ି ଅଙ୍ଗୁଳି ଦ୍ଵାରା ଭୂଇଁ ଉପରେ ଲେଖିବାକୁ ଲାଗିଲେ।
7ସେମାନେ ତାଙ୍କୁ ବାରମ୍ୱାର ପଚାରିବାରୁ, ସେ ମୁଣ୍ଡ ଟେକି ସେମାନଙ୍କୁ କହିଲେ, “ତୁମ ମଧ୍ୟରୁ ଯେ ପାପଶୂନ୍ୟ ସେ ପ୍ରଥମରେ ତା ଉପରେ ପଥର ଫୋପାଡ଼ୁ।”8ସେ ପୁଣି ନଇଁପଡ଼ି ଭୂଇଁରେ ଲେଖିବାକୁ ଲାଗିଲେ।
9ଏ କଥା ଶୁଣି, ବଡ଼ଠାରୁ ଆରମ୍ଭ କରି ସେମାନେ ସମସ୍ତେ, ଗୋଟି ଗୋଟି ହୋଇ ଚାଲିଗଲେ, ଶେଷରେ ରହିଲେ କେବଳ ଯୀଶୁ ଓ ସେଠାରେ ଠିଆ ହୋଇରହିଥିବା ସେହି ସ୍ତ୍ରୀ।10ଯୀଶୁ ମୁଣ୍ଡ ଟେକି ତାକୁ ପଚାରିଲେ, “ଗୋ ନାରୀ, ସେମାନେ କାହାନ୍ତି? କେହି କଅଣ ତୁମର ଦଣ୍ଡବିଧାନ କଲେ ନାହିଁ?”
11ସେ କହିଲା। “କେହି ନାହିଁ, ପ୍ରଭୁ।”
ଯୀଶୁ କହିଲେ। “ମୁଁ ମଧ୍ୟ ତୁମର ଦଣ୍ଡବିଧାନ କରୁ ନାହିଁ,” ଏବେ ଯାଅ ଆଉ ପାପ କର ନାହିଁ।

ଯୀଶୁ ଜଗତର ଜ୍ୟୋତି

12ଯୀଶୁ ଲୋକମାନଙ୍କୁ ପୁନର୍ବାର ଶିକ୍ଷା ଦେଇ କହିଲେ, “ମୁଁ ଜଗତର ଜ୍ୟୋତି। ଯେକେହି ମୋର ଅନୁଗମନ କରେ ସେ କେବେ ଅନ୍ଧକାରରେ ଗମନ କରିବ ନାହିଁ, କିନ୍ତୁ ସେ ଜୀବନର ଜ୍ୟୋତି ପାଇବ।”
13ଫାରୂଶୀମାନେ ତାଙ୍କୁ କହିଲେ, “ହେଇ ଦେଖ, ତୁମେ ନିଜେ ନିଜର ସାକ୍ଷୀ ହେଲଣି; ତୁମର ସାକ୍ଷ୍ୟ ବିଧିସଙ୍ଗତ ନୁହେଁ।”
14ଯୀଶୁ କହିଲେ, “ଯଦିବା ମୁଁ ନିଜ ସପକ୍ଷରେ ସାକ୍ଷ୍ୟ ଦିଏ, ମୋର ସାକ୍ଷ୍ୟ ବିଧିସଙ୍ଗତ, କାରଣ ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି ତାହା ଜାଣେ। କିନ୍ତୁ ମୁଁ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ ସେହି ବିଷୟରେ ତୁମ୍ଭମାନଙ୍କର କୌଣସି ଧାରଣା ନାହିଁ।15ତୁମେମାନେ ମାନବୀୟ ନୀତିରେ ବିଚାର କର; ମୁଁ କାହାରି ବିଚାର କରେ ନାହିଁ।16କିନ୍ତୁ ମୁଁ ଯଦି ବିଚାର କରେ, ତେବେ ମୋର ବିଚାରର ନିଷ୍ପତ୍ତି ଯଥାର୍ଥ, କାରଣ ମୁଁ ଏକାକୀ ନୁହେଁ। ଯେଉଁ ପିତା ମୋତେ ପଠାଇଛନ୍ତି ସେ ମୋ ସଙ୍ଗରେ ଅଛନ୍ତି।17ତୁମ ବିଧିବ୍ୟବସ୍ଥାରେ ଲେଖାଅଛି ଯେ ଦୁଇଜଣଙ୍କ ସାକ୍ଷ୍ୟ ବିଧିସଙ୍ଗତ ବୋଲି ଧରାଯିବ।18ଜଣେ ହେଉଛି ମୁଁ ମୋ ନିଜ ପାଇଁ ସାକ୍ଷ୍ୟ ଦେଉଛି; ଏବଂ ମୋର ଅନ୍ୟ ସାକ୍ଷୀ ହେଉଛନ୍ତି ସ୍ଵୟଂ ପିତା, ଯେ କି ମୋତେ ପଠାଇଛନ୍ତି।”
19ତତ୍ପରେ ସେମାନେ ତାହାଙ୍କୁ ପ୍ରଶ୍ନ କଲେ, “ତୁମର ପିତା କାହାନ୍ତି?”
ଯୀଶୁ ଉତ୍ତର ଦେଲେ। ତୁମେମାନେ ମୋତେ କିମ୍ବା ମୋର ପିତାଙ୍କୁ ଜାଣ ନାହିଁ, “ମୋତେ ଯଦି ଜାଣିଥାଆନ୍ତ, ମୋର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ।”
20ମନ୍ଦିରର ଯେଉଁ ସ୍ଥାନରେ ଦାନ ରଖାଯାଏ ସେହି ସ୍ଥାନ ନିକଟରେ ଯୀଶୁ ଶିକ୍ଷା ଦେଉଥିଲା ବେଳେ ଏହିସବୁ କଥା କହିଥିଲେ, ତଥାପି କେହି ତାଙ୍କୁ ଧରିଲେ ନାହିଁ, କାରଣ ସେପର୍ଯ୍ୟନ୍ତ ତାଙ୍କର ସମୟ ଆସି ନ ଥିଲା।
21ଯୀଶୁ ପୁନର୍ବାର ସେମାନଙ୍କୁ କହିଲେ, “ମୁଁ ଯାଉଛି, ତୁମେମାନେ ମୋତେ ଖୋଜିବ, ଓ ନିଜର ପାପରେ ମରିବ। ମୁଁ ଯେଉଁଠାକୁ ଯାଉଛି, ତୁମେମାନେ ସେଠାକୁ ଆସି ପାରିବ ନାହିଁ।”
22ଏଥିପାଇଁ ଯିହୁଦୀମାନେ କୁହାକୁହି ହେଲେ, “ସେ କଣ ଆତ୍ମହତ୍ୟା କରିବ? ସେ କଣ ଏହି କାରଣରୁ କହୁଛି, ‘ମୁଁ ଯେଉଁଠାକୁ ଯାଉଛି, ତୁମେମାନେ ସେଠାକୁ ଆସି ପାରିବ ନାହିଁ।’ ”
23କିନ୍ତୁ ଯୀଶୁ କହିବାକୁ ଲାଗିଲେ, “ତୁମମାନଙ୍କର ଉଦ୍ଭବ ଅଧଃ ସ୍ଥାନରୁ; ମୋର ଊର୍ଦ୍ଧ୍ୱ ସ୍ଥାନରୁ। ତୁମେମାନେ ଏହି ଜଗତର; ମୁଁ ଏହି ଜଗତର ନୁହେଁ।24ତୁମେମାନେ ଯେ ନିଜ ପାପରେ ମରିବ ଏହା ମୁଁ ତୁମ୍ଭମାନଙ୍କୁ କହିଥିଲି; ମୁଁ ସେହି ବ୍ୟକ୍ତି ବୋଲି ତୁମେମାନେ ଯଦି ବିଶ୍ୱାସ ନ କର, ତେବେ ନିଜ ପାପରେ ଅବଶ୍ୟ ମରିବ।”
25ସେମାନେ ପଚାରିଲେ। “ତୁମେ କିଏ?”
ଯୀଶୁ ଉତ୍ତର ଦେଲେ। “ତାହା ତ ମୁଁ ପ୍ରଥମରୁ କହି ଆସୁଛି,”
26“ତୁମର ବିଚାର କରି ତୁମ ବିରୁଦ୍ଧରେ ମୋର ଅନେକ କିଛି କହିବାର ଅଛି। କିନ୍ତୁ ମୋର ପ୍ରେରଣକର୍ତ୍ତା ସତ୍ୟମୟ, ଏବଂ ତାହାଙ୍କ ନିକଟରୁ ମୁଁ ଯାହା ଯାହା ଶୁଣିଛି ସେହିସବୁ ଜଗତକୁ ଜଣାଉଛି।”
27ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ ତାହା ସେମାନେ ବୁଝିଲେ ନାହିଁ।28ତେଣୁ ଯୀଶୁ କହିଲେ, “ତୁମେମାନେ ଯେତେବେଳେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ ଉଠାଇବ, ସେତେବେଳେ ଜାଣିବ ଯେ ମୁଁ ସେହି ବ୍ୟକ୍ତି ଏବଂ ମୁଁ ଯେ ନିଜ ମନରୁ କିଛି କରେ ନାହିଁ କିନ୍ତୁ ପିତା ମୋତେ ଯେପରି ଶିଖାଇଛନ୍ତି ତାହା ହିଁ କହେ।29ଯେ ମୋତେ ପଠାଇଛନ୍ତି ସେ ମୋ ସହିତ ଅଛନ୍ତି; ସେ ମୋତେ ଏକାକୀ ଛାଡ଼ିଦେଇ ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ।”30ସେ କଥା କହୁଥିବା ବେଳେ, ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
31ଯୀଶୁଙ୍କଠାରେ ବିଶ୍ୱାସ କରିଥିବା ଯିହୁଦୀମାନଙ୍କୁ, ସେ କହିଲେ, “ତୁମେମାନେ ଯଦି ମୋର ଶିକ୍ଷାରେ ଅଟଳ ରୁହ, ତେବେ ତୁମ୍ଭେମାନେ ପ୍ରକୃତରେ ମୋର ଶିଷ୍ୟ।32ତା ହେଲେ ତୁମ୍ଭେମାନେ ସତ୍ୟ ଜାଣିବ, ଏବଂ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ।”
33ସେମାନେ ତାଙ୍କୁ ଉତ୍ତର ଦେଲେ, “ଆମେ ଅବ୍ରହାମଙ୍କ ବଂଶଧର ଓ କେବେ କାହାର କ୍ରୀତଦାସ ହୋଇନାହୁଁ। ତେବେ ଆମେ ମୁକ୍ତ ହେବୁ ବୋଲି ତୁମେ କିପରି କହିପାରୁଛ?”
34ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେକେହି ପାପ କରେ, ସେ ପାପର କ୍ରୀତଦାସ।35ପରିବାର ମଧ୍ୟରେ ସର୍ବଦା ରହିବା ପାଇଁ କ୍ରୀତଦାସର ସ୍ଥାନ ନ ଥାଏ, କିନ୍ତୁ ପୁତ୍ର ସବୁକାଳ ପାଇଁ ପରିବାରଭୁକ୍ତ।36ତେଣୁ ପୁତ୍ର ତୁମକୁ ମୁକ୍ତ କଲେ, ତୁମେ ପ୍ରକୃତରେ ମୁକ୍ତ ହେବ।37ମୁଁ ଜାଣେ ତୁମ୍ଭେମାନେ ଅବ୍ରହାମଙ୍କ ବଂଶଧର। ତଥାପି ତୁମ୍ଭେମାନେ ମୋତେ ମାରିଦେବାକୁ ଉଦ୍ୟତ, କାରଣ ମୋର ବାକ୍ୟ ପାଇଁ ତୁମ ଅନ୍ତରରେ ସ୍ଥାନ ନାହିଁ।38ମୁଁ ପିତାଙ୍କ ନିକଟରେ ଯାହାସବୁ ଦେଖିଛି ସେହିସବୁ ତୁମ୍ଭମାନଙ୍କୁ କହୁଛି, ଓ ତୁମର ପିତା ନିକଟରୁ ଯାହା ଶୁଣିଛ ତାହା ତୁମ୍ଭେମାନେ କରୁଛ।”
39ସେମାନେ କହିଲେ। “ଅବ୍ରହାମ ଆମର ପିତା।”
ଯୀଶୁ କହିଲେ, “ତୁମ୍ଭେମାନେ ଯଦି ଅବ୍ରହାମଙ୍କ ସନ୍ତାନ ହୋଇଥାଆନ୍ତ, ତେବେ ଅବ୍ରହାମ ଯାହାସବୁ କରିଥିଲେ ସେହିସବୁ କର।
40ମୁଁ ଈଶ୍ୱରଙ୍କଠାରୁ ଯାହା ଶୁଣିଛି ସେହି ସତ୍ୟ ମୁଁ ତୁମ୍ଭମାନଙ୍କୁ ଜଣାଇଛି, ଅଥଚ ଏବେ ତୁମ୍ଭେମାନେ ସେହି ବ୍ୟକ୍ତିକୁ ହିଁ ହତ୍ୟା କରିବାକୁ ସଂକଳ୍ପବଦ୍ଧ, ଅବ୍ରହାମ ଏପ୍ରକାର କର୍ମ କରି ନ ଥିଲେ।41ତୁମର ପିତା ଯାହାସବୁ କରେ ତୁମ୍ଭେମାନେ ସେହିସବୁ କରୁଛ।”
ସେମାନେ ପ୍ରତିବାଦ କରି କହିଲେ। “ଆମେ ତ ଜାରଜ ସନ୍ତାନ ନୋହୁଁ, ସ୍ଵୟଂ ଈଶ୍ୱର ହିଁ ଆମର ଏକମାତ୍ର ପିତା।”
42ଯୀଶୁ ସେମାନଙ୍କୁ କହିଲେ, “ଈଶ୍ୱର ଯଦି ତୁମର ପିତା ହୋଇଥାଆନ୍ତେ, ତେବେ ତୁମେ ମୋତେ ପ୍ରେମ କରିବ, କାରଣ ମୁଁ ଈଶ୍ୱରଙ୍କ ନିକଟରୁ ଏଠାକୁ ଆସିଛି। ମୁଁ ମୋ ନିଜ ଇଚ୍ଛାରୁ ଆସି ନାହିଁ; କିନ୍ତୁ ସେ ମୋତେ ପଠାଇଅଛନ୍ତି।43କାହିଁକି ମୋର କଥା ତୁମକୁ ବୁଝା ପଡ଼ୁ ନାହିଁ? ଏହାର କାରଣ ହେଉଛି ଯେ ମୁଁ ଯାହା କହୁଛି ତାହା ତୁମ୍ଭେମାନେ ଶୁଣିବାକୁ ଅସମର୍ଥ।44ତୁମ୍ଭେମାନେ ତୁମ୍ଭମାନଙ୍କର ପିତା, ଶୟତାନର, ଓ ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର ଇଚ୍ଛା ପାଳନ କରିବାକୁ ଚାହୁଁଛ। ଆଦ୍ୟରୁ ସେ ଜଣେ ନରହନ୍ତା, ସତ୍ୟରେ ତାହାର ନିଷ୍ଠା ନାହିଁ, କାରଣ ତା ଠାରେ ଅଣୁମାତ୍ର ସତ୍ୟ ନାହିଁ। ସେ ମିଥ୍ୟା କଥା କହିଲା ବେଳେ, ଯାହା ତାହାର ସ୍ଵଭାବଗତ ତାହା ହିଁ କହେ, କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାର ଜନକ।45ତଥାପି ମୁଁ ସତ୍ୟ କହିବାରୁ, ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ!46ମୋ ଠାରେ ପାପର ଦୋଷ ଅଛି ବୋଲି ତୁମ ମଧ୍ୟରୁ କେହି କଅଣ ପ୍ରମାଣ କରିପାରିବ? ମୁଁ ଯଦି ସତ୍ୟ କହୁଛି, ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ?47ଯିଏ ଈଶ୍ୱରଙ୍କର ସେ ଈଶ୍ୱରଙ୍କ କଥାରେ କର୍ଣ୍ଣପାତ କରେ। ତୁମ୍ଭେମାନେ ଈଶ୍ୱରଙ୍କର ନୁହଁ ସେହି କାରଣରୁ କର୍ଣ୍ଣପାତ କରୁ ନାହଁ।”

ଯୀଶୁ ଓ ତାହାଙ୍କ ଦାବି

48ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଇ କହିଲେ, “ତୁମେ ଶମିରୋଣୀୟ ଓ ଭୂତଗ୍ରସ୍ତ ଲୋକ ବୋଲି ଆମେ କଣ ଠିକ କଥା କହି ନ ଥିଲୁ?”
49ଯୀଶୁ କହିଲେ, “ମୁଁ ଭୂତଗ୍ରସ୍ତ ନୁହେଁ,” କିନ୍ତୁ ମୁଁ ମୋର ପିତାଙ୍କୁ ସମ୍ମାନ ଦିଏ ଓ ତୁମ୍ଭେମାନେ ମୋର ଅସମ୍ମାନ କରୁଛ।50ମୁଁ ନିଜ ପାଇଁ ଗୌରବ ଲୋଡ଼ୁ ନାହିଁ; ମାତ୍ର ଜଣେ ଅଛନ୍ତି ଯେ କି ତାହା ଲୋଡ଼ନ୍ତି, ସେ ବିଚାରକର୍ତ୍ତା ଅଟନ୍ତି।51ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, କେହି ଯଦି ମୋର ବାକ୍ୟ ପାଳନ କରେ ସେ କେବେ ମୃତ୍ୟୁଭୋଗ କରିବ ନାହିଁ।
52ଏହା ଶୁଣି ଯିହୁଦୀମାନେ କହିଲେ, “ଏବେ ଆମେ ଠିକ ଜାଣିଲୁ ଯେ ତୁମେ ଭୂତଗ୍ରସ୍ତ! ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଛନ୍ତି, ଅଥଚ ତୁମେ କହୁଛ ଯେ ଯେଉଁ ମନୁଷ୍ୟ ତୁମର ବାକ୍ୟ ପାଳନ କରେ ସେ କେବେ ମୃତ୍ୟୁଭୋଗ କରିବ ନାହିଁ।53ଆମ ପିତୃପୁରୁଷ ଅବ୍ରହାମଙ୍କଠାରୁ ତୁମେ କଅଣ ମହାନ୍? ସେ, ଓ ଭାବବାଦୀମାନେ ମୃତ୍ୟୁଭୋଗ କଲେଣି। ତୁମେ ନିଜକୁ କଣ ବୋଲି ମନେ କରୁଛ?”
54ଯୀଶୁ ଉତ୍ତର ଦେଲେ, “ମୁଁ ଯଦି ନିଜକୁ ଗୌରବାନ୍ୱିତ କରୁଥାଏ, ମୋର ଗୌରବର ମୂଲ୍ୟ ନାହିଁ। ମୋର ପିତା, ଯାହାଙ୍କୁ ତୁମେ ତୁମର ଈଶ୍ୱର ବୋଲି କହୁଛ, ସେ ହିଁ ମୋତେ ଗୌରବାନ୍ୱିତ କରନ୍ତି।55ତୁମ୍ଭେମାନେ ତାହାଙ୍କୁ ଜାଣ ନାହିଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ। ତାହାଙ୍କୁ ଜାଣି ନାହିଁ ବୋଲି ମୁଁ ଯଦି କହେ, ତେବେ ମୁଁ ତୁମ୍ଭମାନଙ୍କ ପରି ମିଥ୍ୟାବାଦୀ ହୁଅନ୍ତି, କିନ୍ତୁ ମୁଁ ତାହାଙ୍କୁ ଜାଣେ ଓ ତାହାଙ୍କର ବାକ୍ୟ ପାଳନ କରେ।56ମୋର ଦିନ ଦେଖିବା ଆଶାରେ ତୁମର ପିତୃପୁରୁଷ ଅବ୍ରହାମ ଉଲ୍ଲସିତ ହୋଇଥିଲେ; ସେ ତାହା ଦେଖି ଆନନ୍ଦିତ ହୋଇଥିଲେ।”
57ଯିହୁଦୀମାନେ ତାହାଙ୍କୁ କହିଲେ, ତୁମକୁ ତ ପଚାଶ ବର୍ଷ ମଧ୍ୟ ହୋଇନାହିଁ, “ଆଉ ତୁମେ ଅବ୍ରହାମଙ୍କୁ ଦେଖିଛ!”
58ଯୀଶୁ ଉତ୍ତର କଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, “ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୋର ସ୍ଥିତି ରହିଛି!”59ଏ କଥାରେ, ସେମାନେ ତାଙ୍କୁ ପ୍ରସ୍ତରାଘାତ କରିବାକୁ ପ୍ରସ୍ତର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ, ମନ୍ଦିର ପ୍ରାଙ୍ଗଣରୁ ବାହାରି ଚାଲିଗଲେ।

Biblica, Inc.

https://app.library.bible/content/97b51048ae7f2ec9