ଯୋହନ13

ଯୀଶୁ ଶିଷ୍ୟମାନଙ୍କର ପାଦ ଧୋଇଲେ

1ଏହା ନିସ୍ତାର ପର୍ବର ଠିକ ପୂର୍ବରୁ ଘଟିଥିଲା। ଯୀଶୁ ଜାଣିଥିଲେ ଯେ ଜଗତରୁ ବିଦାୟନେଇ ପିତାଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଆସିଲାଣି। ଜଗତରେ ତାହାଙ୍କର ଯେଉଁ ନିଜସ୍ଵ ଲୋକଙ୍କୁ ସେ ପ୍ରେମ କରି ଆସିଥିଲେ, ସେମାନଙ୍କ ପ୍ରତି ସେ ପୂର୍ଣ୍ଣ ପ୍ରେମ ପ୍ରକାଶ କଲେ।
2ରାତ୍ରି ଭୋଜନ ବେଳେ ଖାଦ୍ୟ ପରିବେଷଣ କରାଯାଉଥାଏ, ଏବଂ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ, ଶିମୋନର ପୁତ୍ର ଯିହୁଦା ଇଷ୍କାରିୟୋଥ କୁ ଶୟତାନ ସେତେବେଳକୁ ପ୍ରରୋଚିତ କରି ସାରିଥାଏ।3ପିତା ଯେସମସ୍ତ ବିଷୟ ତାଙ୍କର କର୍ତ୍ତୃତ୍ୱାଧୀନ କରିଛନ୍ତି, ଓ ସେ ଯେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ପ୍ରତ୍ୟାଗମନ କରୁଛନ୍ତି ତାହା ଯୀଶୁ ଜାଣିଥିଲେ;4ତେଣୁ ସେ ଭୋଜନରୁ ଉଠି, ଉପର ପିନ୍ଧା ପୋଷାକଟି କାଢ଼ି ଦେଲେ, ଓ ଅଣ୍ଟାରେ ଏକ ଗାମୁଛା ଗୁଡ଼ାଇଲେ।5ତା ପରେ, ସେ ଏକ ଗାମଲାରେ ପାଣି ଢାଳି ଶିଷ୍ୟମାନଙ୍କ ପାଦ ଧୋଇ ଦେଇ, ଅଣ୍ଟାରେ ଗୁଡ଼ା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ।
6ସେ ଯେତେବେଳେ ଶିମୋନ ପିତରଙ୍କ ନିକଟକୁ ଆସିଲେ, ସେ କହିଲେ, “ପ୍ରଭୁ, ଆପଣ କଅଣ ମୋର ପାଦ ଧୋଇବାକୁ ଯାଉଛନ୍ତି?”
7ଯୀଶୁ ଉତ୍ତର ଦେଲେ, “ମୁଁ ଯାହା କରୁଛି ତାହା ତୁମେ ଏବେ ବୁଝୁନାହଁ, କିନ୍ତୁ ପରେ ବୁଝିବ।”
8ପିତର କହିଲେ, “ନା” ଆପଣ କଦାପି ମୋର ପାଦ ଧୋଇବେ ନାହିଁ।
ଯୀଶୁ ଉତ୍ତର ଦେଲେ, ମୁଁ ଯଦି ତୁମର ପାଦ ନ ଧୁଏ, ତେବେ ମୋ ସହିତ ତୁମର କୌଣସି ଭାଗ ନାହିଁ।
9ତା ପରେ ଶିମୋନ ପିତର କହିଲେ, “ପ୍ରଭୁ,” ତା ହେଲେ କେବଳ ମୋର ପାଦ ନୁହେଁ, ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅନ୍ତୁ!
10ଯୀଶୁ ତାଙ୍କୁ କହିଲେ, “ଯେ ସ୍ନାନ କରିଛି ତାହାର କେବଳ ପାଦ ଧୋଇବା ଆବଶ୍ୟକ; ତାହାର ସମଗ୍ର ଶରୀର ଶୁଚି। ତୁମେମାନେ ଶୁଚି, କିନ୍ତୁ ସମସ୍ତେ ନୁହଁ।”11କାରଣ କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ, ତାହା ସେ ଜାଣିଥିବାରୁ ସମସ୍ତେ ଶୁଚି ନୁହଁ ବୋଲି କହିଲେ।
12ସେ ସେମାନଙ୍କର ପାଦ ଧୋଇ ସାରିଲା ପରେ, ତାଙ୍କର ପୋଷାକଟି ପିନ୍ଧି ନିଜ ସ୍ଥାନକୁ ଫେରିଗଲେ। ସେ ସେମାନଙ୍କୁ ପଚାରିଲେ। “ମୁଁ ତୁମମାନଙ୍କ ପାଇଁ ଯାହା କଲି ତାହା ବୁଝି ପାରୁଛ କି?”13“ତୁମେମାନେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ ବୋଲି ସମ୍ବୋଧନ କରୁଛ, ଓ ତାହା ଠିକ କଥା, କାରଣ ମୁଁ ପ୍ରକୃତରେ ହିଁ ତାହା।14ମୁଁ, ତୁମର ପ୍ରଭୁ ଓ ଗୁରୁ ହୋଇ ଯଦି ତୁମର ପାଦ ଧୋଇଲି, ତେବେ ତୁମେମାନେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ।15ମୁଁ ତୁମ୍ଭମାନଙ୍କ ପାଇଁ ଯାହା କଲି ତୁମେମାନେ ସେହିପରି କରିବା ଉଚିତ ବୋଲି ମୁଁ ତୁମ୍ଭମାନଙ୍କୁ ଏକ ଆଦର୍ଶ ଦେଇଛି।16ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଛି, କୌଣସି ଦାସ ନିଜ ମୁନିବ ଅପେକ୍ଷା ଶ୍ରେଷ୍ଠ ନୁହେଁ, କିମ୍ବା ବାର୍ତ୍ତାବହ ତାହାର ବାର୍ତ୍ତାପ୍ରେରକ ଅପେକ୍ଷା ଶ୍ରେଷ୍ଠ ନୁହେଁ।17ତୁମେମାନେ ଏବେ ଏହିସମସ୍ତ ବିଷୟ ଜାଣିଥିବାରୁ, ସେହିସବୁ କାର୍ଯ୍ୟରେ ପରିଣତ କଲେ ଆଶୀର୍ବାଦ ପାଇବ।

ବିଶ୍ୱାସଘାତକତା ସମ୍ବନ୍ଧରେ ଯୀଶୁଙ୍କର ପୂର୍ବାଭାଷ

18“ମୁଁ ତୁମ ସମସ୍ତଙ୍କ ସମ୍ବନ୍ଧରେ କହୁ ନାହିଁ; ଯେଉଁମାନଙ୍କୁ ମୁଁ ମନୋନୀତ କରିଛି ସେମାନଙ୍କୁ ଜାଣେ। କିନ୍ତୁ ଯେ ମୋର ଅନ୍ନ ଭୋଜନ କରେ, ସେ ମୋତେ ଗୋଇଠା ମାରିବାକୁ ଉଦ୍ୟତ: ‘ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ ସେଥିପାଇଁ ଏହା ଘଟୁଛି।’
19“ଏହା ଘଟିବା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ କହି ରଖୁଛି, ଯେପରି ତାହା ଘଟିବା ବେଳେ ମୁଁ ସେହି ବୋଲି ତୁମେମାନେ ବିଶ୍ୱାସ କରିବ।20ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଛି, ମୋ ଦ୍ଵାରା ପ୍ରେରିତ ବ୍ୟକ୍ତିକୁ ଯେ ଗ୍ରହଣ କରେ; ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”
21ଏହା କହିବା ପରେ, ଯୀଶୁ ଆତ୍ମାରେ ଉଦ୍‌ବିଗ୍ନ ହେଲେ ଓ ଦୃଢ଼ଭାବେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମ ମଧ୍ୟରୁ ଜଣେ ମୋ ପ୍ରତି ବିଶ୍ୱାସଘାତକତା କରିବ।”
22ସେ କାହା ବିଷୟରେ କହିଲେ, ତାହା ବୁଝି ନ ପାରି ବିସ୍ମୟରେ ଶିଷ୍ୟମାନେ ପରସ୍ପରକୁ ଦେଖିଲେ।23ସେମାନଙ୍କ ମଧ୍ୟରୁ ଜଣେ, ଯିଏ ଯୀଶୁଙ୍କର ପ୍ରିୟ ଶିଷ୍ୟ ଥିଲେ, ସେ ତାହାଙ୍କର ଠିକ ପାଖରେ ଭୋଜନରେ ବସିଥିଲେ।24ଶିମୋନ ପିତର ଏହି ଶିଷ୍ୟଙ୍କୁ ଠାରି କହିଲେ, “ସେ କାହା ବିଷୟରେ କହୁଛନ୍ତି ତାଙ୍କୁ ପଚାର।”
25ଯୀଶୁଙ୍କ ଆଡ଼କୁ ଆଉଜି ପଡ଼ି, ସେ ପଚାରିଲେ, “ପ୍ରଭୁ, ସେ କିଏ?”
26ଯୀଶୁ ଉତ୍ତର କଲେ, “ପାତ୍ରରେ ବୁଡ଼ାଇ ମୁଁ ଯାହାକୁ ଏହି ରୋଟୀ ଖଣ୍ଡକ ଦେବି ସେ ସେହି।” ତା ପରେ, ସେ ରୋଟୀ ଖଣ୍ଡକ ବୁଡ଼ାଇ, ଶିମୋନପୁତ୍ର ଇଷ୍କାରିୟୋଥ, ଯିହୁଦାକୁ ଦେଲେ।27ଯିହୁଦା ରୋଟୀ ଖଣ୍ଡକ ଗ୍ରହଣ କରିବା ମାତ୍ରକେ, ଶୟତାନ ତା ମଧ୍ୟରେ ପ୍ରବେଶ କଲା।
ଯୀଶୁ ତାହାକୁ କହିଲେ, “ତୁମେ ଯାହା କରିବାକୁ ଯାଉଛ, ତାହା ଶୀଘ୍ର କର।”
28କିନ୍ତୁ ଯୀଶୁ କାହିଁକି ତାକୁ ସେହି କଥା କହିଲେ ତାହା ଭୋଜନରେ ବସିଥିବା ଲୋକଙ୍କ ମଧ୍ୟରୁ କେହି ବୁଝିଲେ ନାହିଁ।29ଯିହୁଦା ଟଙ୍କାଥଳି ଦାୟିତ୍ଵରେ ଥିବାରୁ, କେହି କେହି ମନେ କଲେ ଯେ ପର୍ବ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ, କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାକୁ କହିଲେ।30ସେହି ରୋଟୀ ଖଣ୍ଡ ଗ୍ରହଣ କରିବା ମାତ୍ରେ, ଯିହୁଦା ବାହାରକୁ ଚାଲିଗଲା। ତାହା ଥିଲା ରାତ୍ରି ସମୟ।
31ସେ ଚାଲିଗଲା ପରେ, ଯୀଶୁ କହିଲେ, “ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଉଛନ୍ତି ଓ ତାଙ୍କଠାରେ ଈଶ୍ୱର ମହିମାନ୍ୱିତ ହେଉଛନ୍ତି।32ଈଶ୍ୱର ଯଦି ତାଙ୍କଠାରେ ମହିମାନ୍ୱିତ ହେଉଛନ୍ତି, ତେବେ ଈଶ୍ୱର ଆପଣାଠାରେ ପୁତ୍ରଙ୍କୁ ମହିମାନ୍ୱିତ କରିବେ, ଏବଂ ଶୀଘ୍ର ତାଙ୍କୁ ମହିମାନ୍ୱିତ କରିବେ।
33“ମୋର ସନ୍ତାନଗଣ, ମୁଁ ଆଉ ଅଳ୍ପ ସମୟ ତୁମମାନଙ୍କ ସଙ୍ଗରେ ରହିବି। ତୁମେମାନେ ମୋର ଅନ୍ୱେଷଣ କରିବ, କିନ୍ତୁ ମୁଁ ଯିହୁଦୀମାନଙ୍କୁ ଯେପରି କହିଥିଲି, ଠିକ ସେହିପରି ତୁମ୍ଭମାନଙ୍କୁ ମଧ୍ୟ ଏବେ କହୁଛି: ମୁଁ ଯେଉଁଠାକୁ ଯାଉଛି, ସେଠାକୁ ତୁମେମାନେ ଆସି ପାରିବ ନାହିଁ।
34“ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆଜ୍ଞା ଦେଉଛି: ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମମାନଙ୍କର ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ।35ତୁମେମାନେ ଯଦି ପରସ୍ପରକୁ ପ୍ରେମ କର, ତା ହେଲେ ସମସ୍ତେ ଜାଣିବେ ଯେ ତୁମେମାନେ ମୋର ଶିଷ୍ୟ।”

ପିତରଙ୍କ ଅସ୍ୱୀକାର ବିଷୟରେ ପୂର୍ବେ ସୂଚନା

36ଶିମୋନ ପିତର ତାଙ୍କୁ ପଚାରିଲେ, “ପ୍ରଭୁ, ଆପଣ କେଉଁଠାକୁ ଯାଉଛନ୍ତି?”
ଯୀଶୁ ଉତ୍ତର ଦେଲେ, “ମୁଁ ଯେଉଁଠାକୁ ଯାଉଛି, ତୁମେ ବର୍ତ୍ତମାନ ସେଠାକୁ ମୋର ଅନୁଗମନ କରିପାରିବ ନାହିଁ, କିନ୍ତୁ ପରେ କରିବ।”
37ପିତର ତାହାଙ୍କୁ କହିଲେ, “ପ୍ରଭୁ, ମୁଁ କାହିଁକି ବର୍ତ୍ତମାନ ଆପଣଙ୍କର ଅନୁଗମନ କରିପାରିବି ନାହିଁ? ମୁଁ ଆପଣଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେବି।”
38ଯୀଶୁ ଉତ୍ତର ଦେଲେ, “ସତରେ କଅଣ ତୁମେ ମୋ ପାଇଁ ଜୀବନ ଉତ୍ସର୍ଗ କରିଦେବ? ମୁଁ ତୁମକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ, ତୁମେ ମୋତେ ଜାଣ ବୋଲି ତିନିଥର ଅସ୍ୱୀକାର କରିବ!

Biblica, Inc.

https://app.library.bible/content/97b51048ae7f2ec9