ଯୋହନ11

ଲାଜାରଙ୍କ ମୃତ୍ୟୁ

1ଲାଜାର ନାମକ ଜଣେବ୍ୟକ୍ତି ପୀଡ଼ିତ ଥିଲେ। ସେ ବେଥାନୀର ଅଧିବାସୀ ଥିଲେ, ମରିୟମ ଓ ତାଙ୍କ ଭଉଣୀ ମାର୍ଥାଙ୍କର ଗ୍ରାମ।2ଯେଉଁ ନାରୀ ପ୍ରଭୁଙ୍କ ଉପରେ ସୁଗନ୍ଧତୈଳ ଢାଳି ନିଜ କେଶରେ ତାହାଙ୍କ ପାଦ ପୋଛି ଦେଇଥିଲେ, ଏ ହେଉଛନ୍ତି ସେହି ମରିୟମ, ଯାହାଙ୍କର ଭାଇ ଲାଜାର ବର୍ତ୍ତମାନ ରୋଗରେ ଶଯ୍ୟାଶାୟୀ।3ତେଣୁ ଭଉଣୀମାନେ ଯୀଶୁଙ୍କ ନିକଟକୁ ଏହି ଖବର ପଠାଇଲେ, “ପ୍ରଭୁ, ଆପଣ ଯାହାକୁ ସ୍ନେହ କରନ୍ତି ସେ ପୀଡ଼ିତ।”
4ଯୀଶୁ ତାହା ଶୁଣି, କହିଲେ, “ଏହି ରୋଗ ମରଣାନ୍ତକ। ନୁହେଁ, ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ ଉଦ୍ଦିଷ୍ଟ ଏବଂ ଏହା ଦ୍ଵାରା ଈଶ୍ୱରଙ୍କ ପୁତ୍ର ଗୌରବାନ୍ୱିତ ହେବେ।”5ଯୀଶୁ ମାର୍ଥା ଓ ତାଙ୍କ ଭଉଣୀଙ୍କୁ ଏବଂ ଲାଜାରଙ୍କୁ ସ୍ନେହ କରୁଥିଲେ।6ତଥାପି ଲାଜାର ପୀଡ଼ିତ ଥିବାର ଶୁଣି ସୁଦ୍ଧା, ସେ ଯେଉଁଠାରେ ଥିଲେ ସେଠାରେ ଆହୁରି ଦୁଇଦିନ ରହିଲେ,7ତା ପରେ ସେ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଚାଲ ଆମେ ଯିହୁଦା ପ୍ରଦେଶକୁ ଫେରିଯିବା।”
8କିନ୍ତୁ ସେମାନେ କହିଲେ, “ଗୁରୁ,” ଅଳ୍ପ କେତେ ଦିନ ପୂର୍ବେ ଯିହୁଦୀମାନେ ପଥର ଫୋପାଡ଼ି ଆପଣଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ, ତଥାପି ଆପଣ ସେଠାକୁ ଫେରିଯିବେ?
9ଯୀଶୁ ଉତ୍ତର ଦେଲେ, “ଦିନର ଆଲୁଅ କଅଣ ବାର ଘଣ୍ଟା ରହେ ନାହିଁ? ଯେଉଁ ମନୁଷ୍ୟ ଦିନରେ ଗମନାଗମନ କରେ ସେ ଝୁଣ୍ଟିବ ନାହିଁ, କାରଣ ଏହି ଜଗତର ଆଲୁଅରେ ସେ ଦେଖିପାରେ।10କିନ୍ତୁ ସେ ରାତ୍ରିରେ ଗମନାଗମନ କଲେ ଝୁଣ୍ଟି ପଡ଼େ, କାରଣ ଦେଖିବା ପାଇଁ ତାହାର ଆଲୁଅ ନ ଥାଏ।”
11ସେ ଏହା କହିବା ପରେ, ସେମାନଙ୍କୁ ଆହୁରି କହିବାକୁ ଲାଗିଲେ, “ଆମର ବନ୍ଧୁ ଲାଜାର ଶୋଇ ପଡ଼ିଛନ୍ତି; କିନ୍ତୁ ମୁଁ ତାଙ୍କୁ ଉଠାଇବାକୁ ଯାଉଛି।”
12ତାହାଙ୍କର ଶିଷ୍ୟମାନେ ଉତ୍ତର ଦେଲେ, “ପ୍ରଭୁ, ସେ ଯଦି ଶୋଇଛନ୍ତି, ତେବେ ଭଲ ହୋଇଯିବେ।”13ଯୀଶୁ ଲାଜାରଙ୍କ ମୃତ୍ୟୁ ହୋଇଥିବା ବିଷୟ କହୁଥିଲେ, କିନ୍ତୁ ସ୍ୱାଭାବିକ ନିଦ୍ରା ବିଷୟରେ ଯୀଶୁ କହିଲେ ବୋଲି ତାଙ୍କର ଶିଷ୍ୟମାନେ ଭାବିଲେ।
14ଅତଏବ ଯୀଶୁ ସ୍ପଷ୍ଟଭାବେ ସେମାନଙ୍କୁ କହିଲେ, “ଲାଜାରଙ୍କର ମୃତ୍ୟୁ ହୋଇଛି,15ତଥାପି ମୁଁ ତୁମ୍ଭମାନଙ୍କ ସକାଶେ ଆନନ୍ଦିତ ଯେ ମୁଁ ସେଠାରେ ନ ଥିଲି, ଏହା ଦ୍ଵାରା ତୁମ୍ଭେମାନେ ମୋ ଠାରେ ବିଶ୍ୱାସ କରିବ। କିନ୍ତୁ ଚାଲ ଆମେ ତାଙ୍କ ପାଖକୁ ଯିବା।”
16ଏହାପରେ ଥୋମା ଯାହାଙ୍କୁ ଦିଦିମସ୍ ବୋଲି କହନ୍ତି ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ଚାଲ ଆମେ ମଧ୍ୟ ଯିବା, ଓ ତାଙ୍କ ସଙ୍ଗେ ମରିବା।”
17ସେଠାରେ ପହଞ୍ଚି, ଯୀଶୁ ଜାଣିଲେ ଯେ ଲାଜାର କବରସ୍ଥ ହେବାର ଚାରି ଦିନ ହୋଇଯାଇଛି।18ଯିରୂଶାଲମରୁ ବେଥାନୀ ତିନି କିଲୋମିଟରରୁ କମ ବାଟ,19ଏବଂ ଭ୍ରାତୃ ବିଚ୍ଛେଦରେ ମାର୍ଥା ଓ ମରିୟମଙ୍କୁ ସାନ୍ତ୍ଵନା ଦେବା ପାଇଁ ଅନେକ ଯିହୁଦୀ ଆସିଥିଲେ।20ଯୀଶୁଙ୍କର ଆସିବା ଖବର ଶୁଣି, ମାର୍ଥା ତାଙ୍କୁ ଭେଟିବା ପାଇଁ ବାହାରିଗଲେ, କିନ୍ତୁ ମରିୟମ ଘରେ ରହିଲେ।
21ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ,” ଆପଣ ଯଦି ଏଠାରେ ଥାଆନ୍ତେ, ମୋର ଭାଇ ମରି ନ ଥାଆନ୍ତା।22କିନ୍ତୁ ମୁଁ ଜାଣେ ଯେ ଏବେ ମଧ୍ୟ ଆପଣ ଈଶ୍ୱରଙ୍କୁ ଯାହା ମାଗିବେ ସେ ତାହା ଦେବେ।
23ଯୀଶୁ ତାଙ୍କୁ କହିଲେ, “ତୁମର ଭାଇ ପୁଣି ଉଠିବ।”
24ମାର୍ଥା ଉତ୍ତର ଦେଲେ, “ମୁଁ ଜାଣେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ସେ ପୁନର୍ବାର ଉଠିବ।”
25ଯୀଶୁ ତାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋ ଠାରେ ବିଶ୍ୱାସ କରେ, ସେ ମଲେ ମଧ୍ୟ ବଞ୍ଚିବ;26ଏବଂ ଯେ ବଞ୍ଚିଥାଏ ଓ ମୋ ଠାରେ ବିଶ୍ୱାସ କରେ ସେ କେବେହେଲେ ମରିବ ନାହିଁ। ତୁମେ କଅଣ ଏହା ବିଶ୍ୱାସ କରୁଛ?”
27ସେ ତାହାଙ୍କୁ କହିଲେ, “ହଁ, ପ୍ରଭୁ,” ଜଗତକୁ ଯାହାଙ୍କର ଆସିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ ଅଟନ୍ତି, ଏହା ମୁଁ ବିଶ୍ୱାସ କରେ।
28ଏହା କହିବା ପରେ, ମାର୍ଥା ଫେରିଯାଇ ତାଙ୍କର ଭଉଣୀ ମରିୟମଙ୍କୁ ଅଲଗା ଡାକି ନେଇ କହିଲେ, ଗୁରୁ ଆସିଛନ୍ତି ଓ ତୋତେ ଡାକୁଛନ୍ତି।29ତାହା ଶୁଣି ମରିୟମ, ସଙ୍ଗେସଙ୍ଗେ ଉଠିଲେ ଓ ଯୀଶୁଙ୍କ ନିକଟକୁ ଗଲେ।30ସେପର୍ଯ୍ୟନ୍ତ ଯୀଶୁ ଗ୍ରାମ ମଧ୍ୟରେ ପ୍ରବେଶ କରି ନ ଥିଲେ, ମାତ୍ର ମାର୍ଥା ତାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ ସେହି ସ୍ଥାନରେ ଥିଲେ।31ଯେଉଁ ଯିହୁଦୀମାନେ ମରିୟମଙ୍କୁ ସାନ୍ତ୍ଵନା ଦେବାକୁ, ତାଙ୍କ ସହିତ ଘରେ ଥିଲେ, ସେମାନେ ଯେତେବେଳେ ମରିୟମଙ୍କୁ ଶୀଘ୍ର ଉଠି ବାହାରି ଯିବାର ଦେଖିଲେ, ସେମାନେ ଭାବିଲେ ଯେ ସେ କବର ନିକଟରେ ବିଳାପ କରିବାକୁ ଯାଉଛନ୍ତି, ତେଣୁ ସେମାନେ ତାଙ୍କ ପଛେ ପଛେ ଗଲେ।
32ଯୀଶୁ ଯେଉଁ ସ୍ଥାନରେ ଥିଲେ ମରିୟମ ସେଠାରେ ପହଞ୍ଚି ତାହାଙ୍କୁ ଦେଖି, ପାଦତଳେ ପଡ଼ି କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ, ମୋର ଭାଇ ମରି ନ ଥାଆନ୍ତା।”
33ମରିୟମଙ୍କୁ, ଓ ତାଙ୍କ ସହିତ ଆସିଥିବା ଯିହୁଦୀମାନଙ୍କୁ କ୍ରନ୍ଦନ କରୁଥିବା ଦେଖି, ଯୀଶୁ ଆତ୍ମାରେ ଅତିଶୟ ବିଚଳିତ ଓ ଦୁଃଖିତ ହେଲେ।34ସେ ପଚାରିଲେ। “ତାଙ୍କୁ କେଉଁଠାରେ କବର ଦେଇଛ?”
ସେମାନେ ଉତ୍ତର ଦେଲେ। “ପ୍ରଭୁ ଆସନ୍ତୁ, ଦେଖିବେ।”
35ଯୀଶୁ କାନ୍ଦିଲେ।
36ତହୁଁ ଯିହୁଦୀମାନେ କହିଲେ, “ଦେଖ ସେ ଲାଜାରକୁ କେତେ ସ୍ନେହ କରୁଥିଲେ!”
37କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, “ଯେ ଅନ୍ଧର ଆଖି ଖୋଲି ଦେଲେ ସେ କଣ ଏହି ବ୍ୟକ୍ତିକୁ ମରଣରୁ ରକ୍ଷା କରିପାରି ନ ଥାନ୍ତେ?”

ମୃତ ଲାଜାରଙ୍କୁ ଜୀବନ ଦାନ

38ଯୀଶୁ, ଆଉ ଥରେ ଅତିଶୟ ବିଚଳିତ ହୋଇ, ସମାଧି ନିକଟକୁ ଗଲେ। ତାହା ଗୋଟିଏ ଗୁମ୍ଫା ଥିଲା ଓ ତା ମୁହଁରେ ଏକ ପ୍ରସ୍ତର ରଖା ଯାଇଥିଲା।39ସେ କହିଲେ। “ପ୍ରସ୍ତରକୁ ଘୁଞ୍ଚାଇ ଦିଅ।”
ମୃତ ବ୍ୟକ୍ତିର ଭଉଣୀ ମାର୍ଥା କହିଲେ, “କିନ୍ତୁ, ପ୍ରଭୁ,” ଏତେବେଳକୁ ଦୁର୍ଗନ୍ଧ ହେଉଥିବ, କାରଣ ସେ ମରିବାର ଚାରି ଦିନ ହୋଇଗଲାଣି।
40ଏଉତ୍ତାରେ ଯୀଶୁ କହିଲେ, “ତୁମେ ଯଦି ବିଶ୍ୱାସ କର ତେବେ ଈଶ୍ୱରଙ୍କ ମହିମା ଦେଖିବ ବୋଲି, ମୁଁ କଅଣ ତୁମକୁ କହି ନ ଥିଲି?”
41ତେଣୁ ସେମାନେ ପଥରଟାକୁ ଘୁଞ୍ଚାଇ ଦେଲେ। ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତା, ମୁଁ ତୁମ୍ଭର ଧନ୍ୟବାଦ କରୁଛି ଯେ ତୁମ୍ଭେ ମୋର ପ୍ରାର୍ଥନା ଶୁଣିଛ।42ତୁମ୍ଭେ ସର୍ବଦା ମୋର ପ୍ରାର୍ଥନା ଶୁଣିଥାଅ ବୋଲି ମୁଁ ଜାଣିଥିଲି, କିନ୍ତୁ ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ମୁଁ ସେମାନଙ୍କ ସକାଶେ ଏହା କହିଲି।”
43ଏହା କହିବା ପରେ, ଯୀଶୁ ଉଚ୍ଚସ୍ଵରରେ ଡାକିଲେ, “ଲାଜାର, ବାହାରି ଆସ!”44ସେହି ମୃତ ବ୍ୟକ୍ତି ବାହାରି ଆସିଲେ, ତାଙ୍କର ହାତ ଓ ପାଦ ସମାଧି ବସ୍ତ୍ରରେ ବନ୍ଧା ହୋଇଥିଲା, ଏବଂ ମୁଖ ଏକ ଗାମୁଛାରେ ଆଚ୍ଛାଦିତ ଥିଲା।
ଯୀଶୁ ସେମାନଙ୍କୁ କହିଲେ, “ସମାଧି ବସ୍ତ୍ରଗୁଡ଼ିକ କାଢ଼ି ଦିଅ ଓ ତାଙ୍କୁ ଯିବାକୁ ଦିଅ।”

ଯୀଶୁଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର

45ଏହି କାରଣରୁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ, ଅର୍ଥାତ୍ ଯେଉଁମାନେ ମରିୟମଙ୍କୁ ଦେଖା କରିବାକୁ ଆସିଥିଲେ ଓ ଯୀଶୁ କରିଥିବା କର୍ମ ଦେଖିଥିଲେ, ସେମାନେ ତାଙ୍କଠାରେ ବିଶ୍ୱାସ କଲେ।46କିନ୍ତୁ ସେମାନଙ୍କ ମଧ୍ୟରୁ କେତେକେ ଫାରୂଶୀମାନଙ୍କ ନିକଟକୁ ଯାଇ ଯୀଶୁ ଯେଉଁ ଅଲୌକିକ କର୍ମ କରିଥିଲେ, ତାହା ଜଣାଇଲେ।47ତତ୍ପରେ ପ୍ରଧାନଯାଜକ ଓ ଫାରୂଶୀମାନେ ମହାସଭା ଡକାଇଲେ।
ସେମାନେ କହିଲେ। “ଆମେ କଅଣ କରୁଛୁ? ଏହି ଲୋକ ଅନେକ ଅଲୌକିକ କର୍ମ କରୁଛି।
48ଆମେ ଯଦି ତାକୁ ଏହିପରି ଭାବରେ ଛାଡ଼ି ଦେଉ, ତେବେ ସମସ୍ତେ ତା ଠାରେ ବିଶ୍ୱାସ କରିବେ, ଓ ରୋମୀୟମାନେ ଆସି ଆମର ମନ୍ଦିରକୁ ଓ ଆମ ଜାତିକୁ ଧ୍ୱଂସ କରିଦେବେ।”
49ସେତେବେଳେ ସେମାନଙ୍କ ମଧ୍ୟରୁ, କୟାଫା ନାମକ ଜଣେ, ଯେ କି ସେହି ବର୍ଷର ମହାଯାଜକ ଥିଲେ, ସେ କହିଲେ, “ତୁମ୍ଭେମାନେ କିଛି ଜାଣ ନାହିଁ!50ତୁମ୍ଭେମାନେ ବୁଝୁନାହଁ ଯେ ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଲୋକଙ୍କ ପାଇଁ ଜଣେ ମନୁଷ୍ୟ ପ୍ରାଣ ଦେବା ତୁମ୍ଭମାନଙ୍କ ପକ୍ଷେ ବରଂ ଭଲ।”
51ଏହା ସେ ନିଜ ମନରୁ କହି ନ ଥିଲେ, ମାତ୍ର ସେହି ବର୍ଷର ମହାଯାଜକ ଭାବରେ ଏହି ଭବିଷ୍ୟଦ୍‌ବାଣୀ ଉଚ୍ଚାରଣ କରିଥିଲେ ଯେ ଯୀଶୁ ଯିହୁଦୀ ଜାତି ନିମନ୍ତେ ପ୍ରାଣ ଦେବେ,52ପୁଣି କେବଳ ସେହି ଜାତି ନିମନ୍ତେ ନୁହେଁ ମାତ୍ର ସର୍ବତ୍ର ବିକ୍ଷିପ୍ତ ଈଶ୍ୱରଙ୍କ ସନ୍ତାନମାନଙ୍କ ନିମନ୍ତେ ମଧ୍ୟ ପ୍ରାଣ ଦେବେ, ଯେପରି ସେ ସେମାନଙ୍କୁ ସମ୍ମିଳିତ କରି ଏକ କରିବେ।53ଅତଏବ ସେହି ଦିନରୁ ସେମାନେ ତାହାଙ୍କର ପ୍ରାଣ ନେବାକୁ ଷଡ଼ଯନ୍ତ୍ର କଲେ।
54ସେଥିପାଇଁ ଯୀଶୁ ଯିହୁଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶ୍ୟରେ ଯାତାୟାତ କଲେ ନାହିଁ। ବରଞ୍ଚ ସେ ମରୁଭୂମି ନିକଟସ୍ଥ ଅଞ୍ଚଳରେ ଥିବା ଇଫ୍ରାଇମ ନାମକ ଏକ ଗ୍ରାମକୁ ଚାଲିଗଲେ, ଓ ସେଠାରେ ଶିଷ୍ୟମାନଙ୍କ ସହିତ ରହିଲେ।
55ଯିହୁଦୀୟ ନିସ୍ତାର ପର୍ବର ସମୟ ପାଖ ହୋଇ ଆସିଲା, ନିସ୍ତାର ପର୍ବ ପୂର୍ବରୁ ଶୁଚିକରଣ ବିଧି ପାଳନ ପାଇଁ ଅନେକେ ଗ୍ରାମାଞ୍ଚଳରୁ ଯିରୂଶାଲମକୁ ଗଲେ।56ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁଥିଲେ, ଏବଂ ମନ୍ଦିରରେ ଠିଆ ହୋଇଥିବା ବେଳେ ପରସ୍ପରକୁ ପଚାରିବାକୁ ଲାଗିଲେ, “କଅଣ ଭାବୁଛ? ସେ କଣ ପର୍ବକୁ ଆଦୌ ଆସିବେ ନାହିଁ?”57କିନ୍ତୁ ପ୍ରଧାନଯାଜକ ଓ ଫାରୂଶୀମାନେ ଆଦେଶ ଜାରି କରିଥିଲେ ଯେ ଯଦି କେହି ଯୀଶୁଙ୍କର ସନ୍ଧାନ ପାଏ ତେବେ ସେ ତାହା ଜଣାଇବ ତାହାହେଲେ ସେମାନେ ତାଙ୍କୁ ଗିରଫ କରିବେ।

Biblica, Inc.

https://app.library.bible/content/97b51048ae7f2ec9