ଦ୍ୱିତୀୟ ତୀମଥି1

1ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ଜୀବନ ଅଛି, ସେହି ବିଷୟକ ପ୍ରତିଜ୍ଞା ଅନୁଯାୟୀ ଈଶ୍ୱରଙ୍କ ଇଚ୍ଛାନୁସାରେ, ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ରୂପେ ନିଯୁକ୍ତ ପାଉଲ ନିକଟରୁ,
2ଆପଣାର ପ୍ରିୟ ପୁତ୍ର, ତୀମଥିଙ୍କୁ ଅଭିବାଦନ:
ପିତା ଈଶ୍ୱରଙ୍କଠାରୁ ଏବଂ ଆମର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ ପ୍ରତି ଅନୁଗ୍ରହ, ଦୟା ଓ ଶାନ୍ତି ବିରାଜୁ।

କୃତଜ୍ଞତା ଓ ଧନ୍ୟବାଦ

3ମୋର ପିତୃପୁରୁଷମାନଙ୍କ ପରି, ମୁଁ ଯେଉଁ ଈଶ୍ୱରଙ୍କୁ ନିର୍ମଳ ବିବେକରେ ଉପାସନା କରେ, ଦିବାରାତ୍ର ପ୍ରାର୍ଥନା କଲାବେଳେ, ତୁମକୁ ସର୍ବଦା ସ୍ମରଣ କରି ତାହାଙ୍କର ଧନ୍ୟବାଦ କରେ।4ତୁମର ଲୋତକ ସ୍ମରଣ କରି, ତୁମକୁ ଦେଖିବା ପାଇଁ ମୁଁ ଆକାଂକ୍ଷିତ, ତା ହେଲେ ମୋର ଆନନ୍ଦ ପୂର୍ଣ୍ଣ ହେବ।5ମୁଁ ତୁମର ଅକପଟ ବିଶ୍ୱାସ ବିଷୟ ସ୍ମରଣ କରେ, ଏହା ପ୍ରଥମେ ତୁମ ମାତାମହୀ ଲୋୟି ଏବଂ ତୁମ ମାତା ଇଉନିସ୍‌ଙ୍କଠାରେ ଥିଲା, ତାହା ତୁମଠାରେ ମଧ୍ୟ ଅଛି ବୋଲି, ମୁଁ ନିଶ୍ଚିତଭାବେ ଜାଣେ।

ତିମଥିଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା କ୍ଷମତାଗୁଡ଼ିକୁ ମନେ ପକାଇବା

6ଏହି କାରଣରୁ ମୁଁ ତୁମକୁ ସ୍ମରଣ କରାଇ ଦେଉଅଛି ଯେ ମୋର ହସ୍ତାର୍ପଣ ଦ୍ଵାରା ତୁମେ ଈଶ୍ୱରଙ୍କର ଯେଉଁ ବରଦାନ ପାଇଅଛ, ତାହାକୁ ଜ୍ୱାଳାଇ ରଖ।7କାରଣ ଈଶ୍ୱର ଆମକୁ ଭୀରୁତାର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ଦେଇଅଛନ୍ତି।8ଅତଏବ ଆମ୍ଭମାନଙ୍କ ପ୍ରଭୁଙ୍କ ପାଇଁ ସାକ୍ଷ୍ୟ ଦେବା ବିଷୟରେ, କିମ୍ବା ତାହାଙ୍କ ସକାଶେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ। କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ସୁସମାଚାର ପାଇଁ ମୋ ସହିତ ଦୁଃଖଭୋଗ କର।9ସେ ତ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଜୀବନ କାଟିବାକୁ ଆହ୍ଵାନ କରିଅଛନ୍ତି, ଆମର କୌଣସି କର୍ମର ବଳରେ ସେ ଏହା କରିନାହାନ୍ତି ମାତ୍ର ଆପଣାର ସଂକଳ୍ପ ଓ ଅନୁଗ୍ରହ ଅନୁଯାୟୀ କରିଅଛନ୍ତି। ଏହି ଅନୁଗ୍ରହ ଅନାଦିକାଳରୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଆମକୁ ଦତ୍ତ ହୋଇଅଛି,10ମାତ୍ର ଏବେ ଆମର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆବିର୍ଭାବ ଦ୍ଵାରା ପ୍ରକାଶିତ ହୋଇଅଛି, ଖ୍ରୀଷ୍ଟ ଯୀଶୁ, ମୃତ୍ୟୁକୁ ଲୋପ କରି ସୁସମାଚାର ମାଧ୍ୟମରେ ଜୀବନ ଓ ଅମରତ୍ଵକୁ ପ୍ରକାଶ କରିଅଛନ୍ତି।11ମୁଁ ଏହି ସୁସମାଚାରର ଜଣେ ଅଗ୍ରଦୂତ ପ୍ରେରିତ ଓ ଶିକ୍ଷାଦାତା ରୂପେ ନିଯୁକ୍ତ ହୋଇଅଛି।12ସେଥିପାଇଁ ମୁଁ ଏ ଯାଏ ଦୁଃଖଭୋଗ କରୁଅଛି। ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ଯାହାଙ୍କଠାରେ ମୁଁ ବିଶ୍ୱାସ କରିଅଛି ତାହାଙ୍କୁ ଜାଣେ ପୁଣି ତାହାଙ୍କ ହସ୍ତରେ ଯାହା ସମର୍ପଣ କରିଅଛି, ତାହା ସେହି ମହାଦିବସ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ସମର୍ଥ ବୋଲି ନିଶ୍ଚିତ ରୂପେ ଜାଣିଅଛି।
13ତୁମେ ମୋ ଠାରୁ ଯାହା ଶୁଣିଅଛ, ତାହାକୁ ଅଭ୍ରାନ୍ତ ଶିକ୍ଷାର ଆଦର୍ଶ ରୂପେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଓ ପ୍ରେମ ସହିତ ଧରି ରଖ।14ତୁମ ନିକଟରେ ଗଚ୍ଛିତ ଉତ୍ତମ ବିଷୟକୁ ଆମ ଅନ୍ତରବାସୀ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ସୁରକ୍ଷା କର।

ଅବ୍ୟବସ୍ଥା ଓ ବିଶ୍ୱସ୍ତତାର ଉଦାହରଣ

15ତୁମେ ତ ଜାଣ ଯେ ଏସିଆ ପ୍ରଦେଶରେ ସମସ୍ତେ ମୋତେ ପରିତ୍ୟାଗ କରିଅଛନ୍ତି, ଫିଜେଲସ୍ ଓ ହର୍ମଜିନସ୍ ମଧ୍ୟ।
16ଅନୀସିଫରସ୍‌ଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ଅନେକଥର ମୋତେ ସତେଜ କରିଅଛନ୍ତି ଏବଂ ମୋର ଶିକୁଳିବନ୍ଧନ ପାଇଁ ଲଜ୍ଜିତ ହୋଇନାହାନ୍ତି।17ବରଞ୍ଚ, ମୁଁ ରୋମ୍‌ରେ ଥିବା ସମୟରେ, ମୋର ସନ୍ଧାନ ପାଇବା ପର୍ଯ୍ୟନ୍ତ କଷ୍ଟ ସ୍ୱୀକାର କରି ସେ ମୋତେ ଖୋଜିଥିଲେ।18ପ୍ରଭୁ କରନ୍ତୁ ଯେପରି ସେହି ମହା ଦିବସରେ ସେ ପ୍ରଭୁଙ୍କଠାରୁ ଦୟା ଲାଭ କରିବେ! ଏଫିସସ୍‌ରେ ସେ ମୋତେ କେତେ ଉପାୟରେ ସାହାଯ୍ୟ କରିଥିଲେ, ତାହା ତୁମେ ଜାଣ।

Biblica, Inc.

https://app.library.bible/content/97b51048ae7f2ec9