ଦ୍ୱିତୀୟ କରିନ୍ଥୀୟ2
1ଅତଏବ ମୁଁ ମନସ୍ଥ କଲି ଯେ ତୁମ୍ଭମାନଙ୍କ ନିକଟକୁ ମୁଁ ଆଉ ଏକ ଦୁଃଖଦାୟକ ଯାତ୍ରା କରିବି ନାହିଁ।2କାରଣ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତେବେ ଯେଉଁମାନଙ୍କୁ ଦୁଃଖିତ କରିଛି ସେମାନଙ୍କ ଛଡ଼ା ମୋତେ ଆନନ୍ଦ ଦେବାକୁ ଆଉ କିଏ ଅଛି?3ମୁଁ ସେପରି ଲେଖିବାର କାରଣ ଏହି ଯେ, ଯେଉଁମାନେ ମୋତେ ଆନନ୍ଦ ଦେବା କଥା ମୁଁ ଯାଇ ସେମାନଙ୍କଠାରୁ ଯେପରି ଦୁଃଖ ନ ପାଏ। ମୋର ଆନନ୍ଦରେ ତୁମ୍ଭେମାନେ ଭାଗୀ ହୁଅ, ଏହା ହିଁ ତୁମ ସମସ୍ତଙ୍କଠାରେ ମୋର ଭରସା।4କାରଣ ଦାରୁଣ ଦୁଃଖ ଓ ମନୋବେଦନାରେ ପୁଣି ବହୁ ଅଶ୍ରୁପାତପୂର୍ବକ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି, ତୁମ୍ଭମାନଙ୍କୁ ଦୁଃଖ ଦେବାକୁ ନୁହେଁ ମାତ୍ର ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ଗଭୀରତା ଜଣାଇବାକୁ ଲେଖିଥିଲି।
ପାପୀକୁ କ୍ଷମା ଦିଅ
5କେହି ଯଦି ଦୁଃଖ ଦେଇଛି, ସେ ମୋତେ ଯେତେ ଦୁଃଖ ନ ଦେଇଛି ତୁମ ସମସ୍ତଙ୍କୁ ଅଧିକ ଦୁଃଖ ଦେଇଛି ମୁଁ ଅତି କଠୋର ଭାବରେ ନ କହି କିଛି ପରିମାଣରେ ଦୁଃଖ ଦେଇଛି ବୋଲି କହୁଛି।6ତୁମ ମଧ୍ୟରୁ ଅଧିକାଂଶଙ୍କ ଦ୍ଵାରା ତାକୁ ଯେଉଁ ଶାସ୍ତି ଦିଆଯାଇଛି ତାହା ତା ପାଇଁ ଯଥେଷ୍ଟ।7ଏବେ, ତୁମ୍ଭେମାନେ ବରଂ ତାକୁ କ୍ଷମା ଓ ସାନ୍ତ୍ଵନା ଦେବା ଉଚିତ, ତା ହେଲେ ସେ ଅତ୍ୟଧିକ ଦୁଃଖରେ ଅଭିଭୂତ ହେବ ନାହିଁ।8ସେଥିପାଇଁ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତା ପ୍ରତି ପୁନର୍ବାର ପ୍ରେମ ପ୍ରଦର୍ଶନ କର।9ତୁମ୍ଭେମାନେ ସବୁ ବିଷୟରେ ବାଧ୍ୟ କି ନୁହଁ ତାହା ପରୀକ୍ଷା କରି ଜାଣିବାକୁ ମୁଁ ଲେଖିଥିଲି।10ତୁମେ କାହାକୁ କ୍ଷମା କଲେ, ମୁଁ ମଧ୍ୟ ତାକୁ କ୍ଷମା କରେ। ପୁଣି ମୁଁ ଯାହା କ୍ଷମା କରିଛି, ଅବଶ୍ୟ କ୍ଷମା କରିବାକୁ ସେପରି କୌଣସି ବିଷୟ ଯଦି ଥାଏ ତେବେ ମୁଁ ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟଙ୍କ ସାକ୍ଷାତରେ କ୍ଷମା କରିଛି।11ଯଦ୍ଦ୍ୱାରା ଶୟତାନ ତାର କୌଶଳ ଦ୍ଵାରା ଆମକୁ ହତବୁଦ୍ଧି କରିପାରିବ ନାହିଁ। କାରଣ ଆମେ ତାର କୁଅଭିସନ୍ଧି ବିଷୟରେ ଅଜ୍ଞ ନୋହୁଁ।12ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବାକୁ ମୁଁ ତ୍ରୋୟାସ୍କୁ ଯାଇ ଦେଖିଲି ଯେ ପ୍ରଭୁ ମୋ ପାଇଁ ଦ୍ଵାର ଉନ୍ମୁକ୍ତ କରିଛନ୍ତି,13ତଥାପି ମୋ ମନରେ ଶାନ୍ତି ନ ଥିଲା, କାରଣ ସେଠାରେ ମୋର ଭାଇ ତୀତସ୍ଙ୍କ ଦେଖା ପାଇଲି ନାହିଁ। ତେଣୁ ମୁଁ ସେମାନଙ୍କଠାରୁ ବିଦାୟନେଇ ମାସିଦୋନିଆକୁ ଚାଲିଗଲି।14କିନ୍ତୁ ଈଶ୍ୱରଙ୍କ ସ୍ତୁତିବାଦ ହେଉ, ସେ ଖ୍ରୀଷ୍ଟଙ୍କ ହେତୁ ଆମକୁ ସର୍ବଦା ବିଜୟ ଯାତ୍ରାରେ କଢ଼ାଇ ନିଅନ୍ତି ଏବଂ ତାହାଙ୍କ ସମ୍ଭନ୍ଧୀୟ ଜ୍ଞାନରୂପ ସୌରଭ ଆମ ଦ୍ଵାରା ସର୍ବତ୍ର ବିତରଣ କରନ୍ତି।15କାରଣ ପରିତ୍ରାଣ ପାଉଥିବା ଓ ବିନଷ୍ଟ ହେଉଥିବା ଲୋକଙ୍କ ମଧ୍ୟରେ ଆମେ ହେଉଛୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଖ୍ରୀଷ୍ଟଙ୍କର ସୁବାସ ସ୍ଵରୂପ।16ଜଣକ ପାଇଁ ଆମେ ହେଉଛୁ ମୃତ୍ୟୁର ଗନ୍ଧ ସ୍ଵରୂପ; ଓ ଅନ୍ୟ ଜଣକ ପାଇଁ, ଜୀବନର ସୌରଭ ସ୍ଵରୂପ। ଏପ୍ରକାର କାର୍ଯ୍ୟ ପାଇଁ କିଏ ସମକକ୍ଷ?17ଅନେକେ ଯେପରି କରନ୍ତି, ଆମେ ସେହିପରି ଲାଭ ପାଇଁ ଈଶ୍ୱରଙ୍କ ବାକ୍ୟରେ ବ୍ୟବସାୟ କରୁ ନାହୁଁ। ଅପର ପକ୍ଷରେ, ଆମେ ଈଶ୍ୱର ପ୍ରେରିତ ମନୁଷ୍ୟମାନଙ୍କ ପରି, ଈଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ନାମରେ ନିଷ୍କପଟଭାବେ କଥା କହୁ।Biblica, Inc.