ପ୍ରଥମ ଯୋହନ1

ଜୀବନସ୍ଵରୂପ ବାକ୍ୟ

1ଆଦ୍ୟରୁ ଯେ ବିଦ୍ୟମାନ, ଯାହାଙ୍କ ବାକ୍ୟ ଆମେ ଶୁଣିଅଛୁ, ଯାହାଙ୍କୁ ସ୍ଵଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ଵହସ୍ତରେ ସ୍ପର୍ଶ କରିଅଛୁ ସେହି ଜୀବନସ୍ଵରୂପ ବାକ୍ୟଙ୍କ ସମ୍ବନ୍ଧରେ ଆମେ ଘୋଷଣା କରୁଅଛୁ।2ସେହି ଜୀବନ ଆବିର୍ଭୂତ ହେଲେ; ଆମେ ତାହା ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ, ଏବଂ ଯେଉଁ ଅନନ୍ତଜୀବନ ପିତାଙ୍କ ସହିତ ଥିଲେ ଓ ଆମ ନିକଟରେ ଆବିର୍ଭୂତ ହୋଇଥିଲେ, ତାହାଙ୍କୁ ଆମେ ତୁମ୍ଭମାନଙ୍କ ନିକଟରେ ଘୋଷଣା କରୁଅଛୁ।3ଆମେ ଯାହା ଦେଖିଅଛୁ ଓ ଶୁଣିଅଛୁ ତାହା ତୁମ୍ଭମାନଙ୍କୁ ଜଣାଉଅଛୁ, ଯଦ୍ଦ୍ୱରା ତୁମ୍ଭେମାନେ ମଧ୍ୟ ଆମର ସହଭାଗିତା ଲାଭ କରିପାରିବ। ପୁଣି ଆମର ସହଭାଗିତା ପିତା ଓ ତାହାଙ୍କର ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହିଅଛି।4ଆମର ଆନନ୍ଦ ଯେପରି ପୂର୍ଣ୍ଣତା ଲାଭ କରିବ ଏଥିପାଇଁ ଆମେ ଏହା ଲେଖୁଅଛୁ।

ଆଲୋକରେ ଜୀବନଯାପନ କର

5ଆମେ ତାହାଙ୍କ ନିକଟରୁ ଯେଉଁ ବାର୍ତ୍ତା ଶୁଣିଅଛୁ ତାହା ଏହି ଈଶ୍ୱର ଜ୍ୟୋତିଃସ୍ଵରୂପ; ତାହାଙ୍କଠାରେ ତିଳେମାତ୍ର ଅନ୍ଧକାର ନାହିଁ।6ତାହାଙ୍କ ସଙ୍ଗେ ଆମର ସହଭାଗିତା ଅଛି ବୋଲି ଯଦି କହୁ ଅଥଚ ଆମେ ଅନ୍ଧକାରରେ ଜୀବନଯାପନ କରୁ, ତେବେ ଆମେ ମିଥ୍ୟାବାଦୀ ଅଟୁ ଓ ସତ୍ୟ ଅନୁସାରେ ଜୀବନଯାପନ କରୁ ନାହୁଁ।7କିନ୍ତୁ ସେ ଯେପରି ଆଲୋକନିବାସୀ, ଆମେ ଯଦି ସେହିପରି ଆଲୋକରେ ଜୀବନଯାପନ କରୁ, ତେବେ ପରସ୍ପର ସଙ୍ଗେ ଆମର ସହଭାଗିତା ଅଛି, ଏବଂ ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କର ରକ୍ତ ଆମକୁ ସମସ୍ତ ପାପରୁ ପରିଷ୍କୃତ କରେ।
8ଆମଠାରେ ପାପ ନାହିଁ ବୋଲି ଯଦି କହୁ, ତେବେ ଆମେ ନିଜକୁ ପ୍ରତାରଣା କରୁ ଓ ଆମ ମଧ୍ୟରେ ସତ୍ୟତା ନାହିଁ।9ଆମେ ଯଦି ନିଜର ପାପ ସ୍ୱୀକାର କରୁ, ତେବେ ଆମର ପାପକ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ପରିସ୍କାର କରିବାକୁ ସେ ବିଶ୍ୱାସଯୋଗ୍ୟ ଓ ନ୍ୟାୟବାନ୍ ଅଟନ୍ତି।10ଆମେ ପାପ କରି ନାହୁଁ ବୋଲି ଯଦି କହୁ, ତେବେ ଆମେ ତାହାଙ୍କୁ ମିଥ୍ୟାବାଦୀ କରୁ ଓ ତାହାଙ୍କର ବାକ୍ୟ ଆମ ଜୀବନରେ ସ୍ଥାନ ପାଇ ନାହିଁ।

Biblica, Inc.

https://app.library.bible/content/97b51048ae7f2ec9