ପ୍ରଥମ କରିନ୍ଥୀୟ7
ବିବାହ ସମ୍ବନ୍ଧରେ
1ବର୍ତ୍ତମାନ ତୁମ୍ଭେମାନେ ଲେଖିଥିବା ପ୍ରସଙ୍ଗ ଗୁଡ଼ିକର ଉତ୍ତର: “ବିବାହ ନ କରିବା ପୁରୁଷ ପକ୍ଷରେ ଭଲ।”2କିନ୍ତୁ ଭ୍ରଷ୍ଟାଚାରୀ ଏତେ ବେଶୀ ଯେ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ, ଏବଂ ପ୍ରତ୍ୟେକ ନାରୀର ନିଜର ସ୍ୱାମୀ ଥିବା ଉଚିତ।3ସ୍ୱାମୀ ନିଜ ପତ୍ନୀ ପ୍ରତି ତାହାର ଦାମ୍ପତ୍ୟ କର୍ତ୍ତବ୍ୟ ସମ୍ପାଦନ କରୁ, ଏବଂ ପତ୍ନୀ ନିଜ ସ୍ୱାମୀ ପ୍ରତି ତଦ୍ରୂପ କରୁ।4ପତ୍ନୀର ଶରୀର ଉପରେ କେବଳ ତା ନିଜର ଅଧିକାର ନାହିଁ ମାତ୍ର ତାହାର ସ୍ୱାମୀର ମଧ୍ୟ ଅଛି। ସେହିପରି, ସ୍ୱାମୀର ଶରୀର ଉପରେ କେବଳ ତା ନିଜର ଅଧିକାର ନାହିଁ ମାତ୍ର ପତ୍ନୀର ମଧ୍ୟ ଅଛି।5ପରସ୍ପରକୁ ବଞ୍ଚିତ କର ନାହିଁ, କିନ୍ତୁ କିଛିକାଳ ପାଇଁ ଉଭୟେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଏକମତ ହୋଇ ତୁମ୍ଭେମାନେ ନିଜ ନିଜକୁ ବଞ୍ଚିତ କରିପାର। ମାତ୍ର ଆତ୍ମସଂଯମ ଅଭାବରୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପ୍ରଲୋଭିତ ନ କରେ ଏଥିପାଇଁ ପୁନର୍ବାର ମିଳିତ ହୁଅ।6ମୁଁ ଆଦେଶ ଦେଲା ପରି କହୁ ନାହିଁ, କିନ୍ତୁ ଅନୁମତି ଦେଲା ପରି କହୁଛି।7ମୋର ଇଚ୍ଛା ସବୁ ପୁରୁଷ ମୋ ପରି ହୁଅନ୍ତୁ। କିନ୍ତୁ ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ବିଶେଷ ଦାନ ପାଇଛି; କେହି ଏହିପ୍ରକାର ଦାନ ପାଇଛି, ତ ଆଉ ଜଣେ ଅନ୍ୟ ପ୍ରକାର ପାଇଛି।8ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି: ମୋ ପରି, ସେମାନେ ଅବିବାହିତ ରହିଲେ ସେମାନଙ୍କ ପକ୍ଷରେ ଉତ୍ତମ।9କିନ୍ତୁ ସେମାନେ ଯଦି ନିଜକୁ ସଂଯତ କରି ନ ପାରନ୍ତି, ତେବେ ବିବାହ କରିବା ଉଚିତ୍, କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।10ବିବାହିତ ଲୋକଙ୍କୁ ମୁଁ ଏହି ଆଦେଶ ଦେଉଛି (ପ୍ରକୃତରେ ମୁଁ ନୁହେଁ, ପ୍ରଭୁ ଦେଉଛନ୍ତି): ସ୍ତ୍ରୀ ସ୍ୱାମୀକୁ ତ୍ୟାଗ ନ କରୁ।11କିନ୍ତୁ ଯଦି ତ୍ୟାଗ କରେ, ତେବେ ସେ ପୁନର୍ବିବାହ ନ କରୁ କିମ୍ବା ସ୍ୱାମୀ ସହିତ ପୁନର୍ମିଳିତ ହେଉ। ପୁଣି ସ୍ୱାମୀ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଉ।12ବାକି ଅନ୍ୟମାନଙ୍କୁ ମୁଁ ଏହା କହୁଛି (ପ୍ରଭୁ କହୁନାହାନ୍ତି, ମୁଁ କହୁଛି): ଯଦି କୌଣସି ଭାଇର ସ୍ତ୍ରୀ ବିଶ୍ୱାସିନୀ ହୋଇ ନ ଥାଏ କିନ୍ତୁ ସ୍ୱାମୀ ସହିତ ବାସ କରିବାକୁ ସମ୍ମତ ଥାଏ, ତେବେ ସେ ସ୍ତ୍ରୀକୁ ତ୍ୟାଗପତ୍ର ନ ଦେଉ।13ପୁଣି କୌଣସି ସ୍ତ୍ରୀର ସ୍ୱାମୀ ଯଦି ବିଶ୍ୱାସୀ ହୋଇ ନ ଥାଏ କିନ୍ତୁ ସ୍ତ୍ରୀ ସହିତ ବାସ କରିବାକୁ ସେ ସମ୍ମତ ଥାଏ, ତେବେ ସେହି ସ୍ତ୍ରୀ ସ୍ୱାମୀକୁ ତ୍ୟାଗପତ୍ର ନ ଦେଉ।14କାରଣ ଅବିଶ୍ୱାସୀ ସ୍ୱାମୀ ତାହାର ସ୍ତ୍ରୀ ହେତୁ ଶୁଚିମନ୍ତ ହୋଇଛି, ଏବଂ ଅବିଶ୍ୱାସିନୀ ସ୍ତ୍ରୀ ତାହାର ବିଶ୍ୱାସୀ ସ୍ୱାମୀ ହେତୁ ଶୁଚିମନ୍ତ ହୋଇଛି। ନଚେତ୍ ତୁମ୍ଭମାନଙ୍କର ସନ୍ତାନମାନେ ଅଶୁଚି ହେବେ, କିନ୍ତୁ, ଏବେ ସେମାନେ ପବିତ୍ର।15କିନ୍ତୁ ଯିଏ ଅବିଶ୍ୱାସୀ, ସେ ଯଦି ଛାଡ଼ି ଚାଲିଯିବାକୁ ଇଚ୍ଛା କରେ ତେବେ ସେ ତାହା କରୁ। ଏପ୍ରକାର ପରିସ୍ଥିତିରେ ବିଶ୍ୱାସୀ ପୁରୁଷ ବା ସ୍ତ୍ରୀ ଆବଦ୍ଧ ନୁହନ୍ତି; ଈଶ୍ୱର ଆମକୁ ଶାନ୍ତିରେ ବାସ କରିବାକୁ ଆହ୍ଵାନ କରିଛନ୍ତି।16ହେ ସ୍ତ୍ରୀ, ତୁମେ ତୁମ ସ୍ୱାମୀର ପରିତ୍ରାଣର କାରଣ ହୋଇପାରିବ ବୋଲି କିପରି ଜାଣୁଛ? କିମ୍ବା, ହେ ସ୍ୱାମୀ, ତୁମେ ତୁମ ସ୍ତ୍ରୀର ପରିତ୍ରାଣ କାରଣ ହୋଇପାରିବ ବୋଲି କିପରି ଜାଣୁଛ?17ତଥାପି, ପ୍ରଭୁ ଜୀବନରେ ଯାହା ପାଇଁ ଯେଉଁ ଅବସ୍ଥା ନିରୂପଣ କରିଛନ୍ତି ଏବଂ ଈଶ୍ୱର ତାହାକୁ ଯେଉଁ ଅବସ୍ଥାରେ ଆହ୍ଵାନ କରିଛନ୍ତି, ସେ ସେହି ଅବସ୍ଥାରେ ରହୁ। ସବୁ ମଣ୍ଡଳୀରେ ମୁଁ ଏହି ନିୟମ ଦେଉଛି।18ଆହୂତ ହେଲାବେଳେ କେହି କଅଣ ସୁନ୍ନତ ହୋଇ ସାରିଥିଲା? ସେ ଅସୁନ୍ନତ ହେବା ଉଚିତ ନୁହେଁ। ଆହୂତ ହେଲାବେଳେ କେହି କଅଣ ଅସୁନ୍ନତ ଥିଲା? ସେ ସୁନ୍ନତ ହେବା ଉଚିତ ନୁହେଁ।19ସୁନ୍ନତ କିଛି ନୁହେଁ ଅସୁନ୍ନତ କିଛି ନୁହେଁ। ଈଶ୍ୱରଙ୍କ ଆଜ୍ଞାସକଳ ପାଳନ କରିବା ହିଁ ସାର ବିଷୟ।20ଈଶ୍ୱର ଆହ୍ଵାନ କଲାବେଳେ ଯିଏ ଯେଉଁ ଅବସ୍ଥାରେ ଥିଲା ପ୍ରତ୍ୟେକ ଜଣ ସେହି ଅବସ୍ଥାରେ ରହୁ।21ଆହୂତ ହେଲାବେଳେ ତୁମେ କଅଣ କ୍ରୀତଦାସ ଥିଲ? ତାହା ତୁମକୁ ବିଚଳିତ ନ କରୁ ତଥାପି ଯଦି ମୁକ୍ତିଲାଭ କରିପାର, ତେବେ ମୁକ୍ତ ହୁଅ।22କାରଣ ପ୍ରଭୁଙ୍କ ଦ୍ଵାରା ଆହୂତ ହେଲାବେଳେ ଯିଏ କ୍ରୀତଦାସ ଥିଲା ସେ ତ ପ୍ରଭୁଙ୍କର ମୁକ୍ତ ଲୋକ; ସେହିପରି, ଆହୂତ ହେଲାବେଳେ ଯିଏ ମୁକ୍ତ ଥିଲା ସେ ତ ଖ୍ରୀଷ୍ଟଙ୍କର କ୍ରୀତଦାସ।23ତୁମ୍ଭେମାନେ ମହା ମୂଲ୍ୟରେ କ୍ରୀତ ହୋଇଛ; ମନୁଷ୍ୟମାନଙ୍କର କ୍ରୀତଦାସ ହୁଅ ନାହିଁ।24ଭାଇମାନେ, ଈଶ୍ୱରଙ୍କ ଦ୍ଵାରା ଆହୂତ ହେଲାବେଳେ ପ୍ରତ୍ୟେକ ଜଣ, ଯେଉଁ ଅବସ୍ଥାରେ ଥିଲେ ସେ ଈଶ୍ୱରଙ୍କ ନିକଟରେ ଦାୟୀ, ହୋଇଥିବାରୁ ସେହି ଅବସ୍ଥାରେ ଥାଉ।25ଏବେ କୁମାରୀମାନଙ୍କ ବିଷୟରେ: ମୁଁ ପ୍ରଭୁଙ୍କଠାରୁ କୌଣସି ଆଦେଶ ପାଇ ନାହିଁ, କିନ୍ତୁ ପ୍ରଭୁଙ୍କ ଦୟାରୁ ମୁଁ ବିଶ୍ୱାସଯୋଗ୍ୟ ହୋଇଥିବାରୁ ମୋ ନିଜର ମତ ବ୍ୟକ୍ତ କରୁଛି।26ବର୍ତ୍ତମାନ ସଂକଟକାଳ ହୋଇଥିବାରୁ ମୋର ମନେ ହୁଏ, ତୁମ୍ଭେମାନେ ଯେପରି ଅଛ ସେହିପରି ରହିବା ଭଲ।27ତୁମେ କଅଣ ବିବାହିତ? ଛାଡ଼ପତ୍ର ଚାହଁ ନାହିଁ। ତୁମେ କଅଣ ଅବିବାହିତ? ପତ୍ନୀ ଗ୍ରହଣ କରିବାକୁ ଇଚ୍ଛା କର ନାହିଁ।28କିନ୍ତୁ ଯଦି ବିବାହ କର, ତେବେ ତୁମେ ପାପ କରି ନାହଁ; ପୁଣି ଜଣେ କୁମାରୀ ଯଦି ବିବାହ କରେ, ତେବେ ସେ ପାପ କରି ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି ସେମାନେ ଇହ ଜୀବନରେ ବହୁ ଦୁଃଖକ୍ଳେଶର ସମ୍ମୁଖୀନ ହେବେ, ଏବଂ ତୁମ୍ଭେମାନେ ସେଥିରୁ ରକ୍ଷା ପାଅ ବୋଲି ମୋର ଇଚ୍ଛା।29ଭାଇମାନେ, ମୋର କହିବାର ଅର୍ଥ ଏହି ଯେ, ସମୟ ଅଳ୍ପ। ଯେଉଁମାନେ ପତ୍ନୀ ଗ୍ରହଣ କରିଛନ୍ତି ବର୍ତ୍ତମାନଠାରୁ ସେମାନେ ପତ୍ନୀ ନ ଥିଲା ପରି ଜୀବନଯାପନ କରନ୍ତୁ;30ଯେଉଁମାନେ ଶୋକ କରୁଛନ୍ତି, ସେମାନେ ଶୋକ ନ କଲା ପରି ହୁଅନ୍ତୁ; ଯେଉଁମାନେ ଆନନ୍ଦିତ, ସେମାନେ ଆନନ୍ଦିତ ନ ହେଲା ପରି ହୁଅନ୍ତୁ; ଯେଉଁମାନେ କିଛି କ୍ରୟ କରନ୍ତି, ତାହା ନିଜ ପାଇଁ ରଖିବା ବିଷୟ ପରି ମନେ ନ କରନ୍ତୁ;31ଯେଉଁମାନେ ଜଗତର ବିଷୟଗୁଡ଼ିକ ବ୍ୟବହାର କରନ୍ତି, ସେମାନେ ସେଥିରେ ଲିପ୍ତ ନ ହେଲା ପରି ରହନ୍ତୁ। କାରଣ ଜଗତର ବର୍ତ୍ତମାନର ରୂପ ଲୋପ ପାଉଛି।32ତୁମ୍ଭେମାନେ ଦୁଶ୍ଚିନ୍ତାରୁ ମୁକ୍ତ ରୁହ ବୋଲି ମୁଁ ଇଚ୍ଛା କରେ। ଅବିବାହିତ ବ୍ୟକ୍ତି ପ୍ରଭୁଙ୍କୁ କିପରି ଖୁସି କରିପାରିବ ସେଥିପାଇଁ ପ୍ରଭୁଙ୍କ ବିଷୟରେ ମନୋଯୋଗୀ ହୁଏ।33କିନ୍ତୁ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀକୁ କିପରି ଖୁସି କରିପାରିବ ଏଥିପାଇଁ ଜାଗତିକ ବ୍ୟାପାରରେ ମନୋଯୋଗୀ ହୁଏ,34ତାହାର ମନୋଯୋଗ ଦ୍ୱିଧାବିଭକ୍ତ ହୁଏ। ଅବିବାହିତା ନାରୀ ବା କୁମାରୀ ପ୍ରଭୁଙ୍କ ବିଷୟରେ ଉଦ୍ଯୋଗୀ ହୁଏ: ଉଭୟେ ଶରୀର ଓ ଆତ୍ମାରେ ପ୍ରଭୁଙ୍କ ପ୍ରତି ଅନୁରକ୍ତ ରହିବାକୁ ତାହାର ଲକ୍ଷ୍ୟ ଥାଏ। କିନ୍ତୁ ବିବାହିତା ନାରୀ କିପରି ତାହାର ସ୍ୱାମୀକୁ ପ୍ରୀତ କରିପାରିବ ସେଥିପାଇଁ ଜାଗତିକ ବ୍ୟାପାରରେ ମନୋଯୋଗୀ ହୁଏ।35ମୁଁ ତୁମ୍ଭମାନଙ୍କର ମଙ୍ଗଳ ପାଇଁ ଏହା କହୁଛି, ତୁମ୍ଭମାନଙ୍କୁ ସୀମାବଦ୍ଧ କରିବାକୁ କହୁ ନାହିଁ, କିନ୍ତୁ ତୁମ୍ଭେମାନେ ଯେପରି ଏକାଗ୍ରଚିତ୍ତରେ ପ୍ରଭୁଙ୍କ ପ୍ରତି ଅନୁରକ୍ତ ରହି ସତ୍ ପଥରେ ଜୀବନଯାପନ କରିବ ଏଥିପାଇଁ କହୁଛି।36କୌଣସି ବ୍ୟକ୍ତିର ଯଦି କୌଣସି କୁମାରୀ ସହିତ ନିର୍ବନ୍ଧ ହୋଇଥାଏ ଏବଂ ସେ ସେହି କୁମାରୀ ପ୍ରତି ସଂଯତ ଆଚରଣ କରୁ ନାହିଁ ବୋଲି ମନେ କରେ, ପୁଣି ଯଦି ସେହି କୁମାରୀର ଯୌବନାବସ୍ଥା ଗତ ହେଉଥାଏ ସେହି ବ୍ୟକ୍ତି ବିବାହ କରିବା ଉଚିତ ବୋଲି ମନେ କଲେ, ତାହାର ଇଚ୍ଛାନୁସାରେ ସେ କରୁ। ସେ ପାପ କରୁ ନାହିଁ। ସେମାନେ ବିବାହ କରିବା ଉଚିତ।37କିନ୍ତୁ ଯେଉଁ ବ୍ୟକ୍ତି ଏ ବିଷୟରେ ମନରେ ସ୍ଥିର କରିସାରିଛି ଓ ସେ ବାଧ୍ୟବାଧକତାର ଅଧୀନ ନୁହେଁ, କିନ୍ତୁ ନିଜର ଅଭିଳାଷକୁ ଦମନ କରିଛି ଏବଂ ବାଗ୍ଦତ୍ତା କୁମାରୀକୁ ବିବାହ ନ କରିବାକୁ ମନସ୍ଥ କରିଛି, ସେ ମଧ୍ୟ ଠିକ କାମ କରେ।38ଅତଏବ, ଯେ ସେହି କୁମାରୀକୁ ବିବାହ କରେ ସେ ଠିକ କାମ କରେ, ଏବଂ ଯେ ତାକୁ ବିବାହ କରେ ନାହିଁ ସେ ଆହୁରି ଭଲ କରେ।39ସ୍ୱାମୀ ବଞ୍ଚିଥିବା ଯାଏ ସ୍ତ୍ରୀ ତା ସହିତ ଆବଦ୍ଧ ଥାଏ। କିନ୍ତୁ ତାହାର ସ୍ୱାମୀ ମରିଗଲେ, ସେ ତାହାର ଇଚ୍ଛାନୁସାରେ ବିବାହ କରିବାକୁ ସ୍ୱାଧୀନ, କିନ୍ତୁ ସେହି ପୁରୁଷ ପ୍ରଭୁଙ୍କର ହୋଇଥିବା ଆବଶ୍ୟକ।40ମୋର ମତରେ, ସେ ପୁନର୍ବିବାହ ନ କରି ସେହିପରି ରହିଲେ ଅଧିକ ସୁଖୀ ହେବ ମୁଁ ମନେ କରେ ମୁଁ ମଧ୍ୟ ଈଶ୍ୱରଙ୍କ ଆତ୍ମା ପାଇଛି।Biblica, Inc.